ଦୁବାଇ: ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା'ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍‌ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରି ବିରାଟ କୋହଲିଙ୍କ ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗା‌ଲୋର (ଆର୍‌ସିବି)କୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ଦେଇଛି। କଷ୍ଟକର ପିଚ୍‌ରେ କୋହଲି ନିଜେ ଅର୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଆରସିବିକୁ ଚେନ୍ନାଇ ସୁପରକିଙ୍ଗ୍ସ ସଫଳତାର ସହ ମାତ୍ର ଦେଢ଼ ଶହ ରନ୍ ତଳେ ଅଟକାଇ ଦେଇଥିଲା। ଷ୍ଟମ୍ପରୁ ଷ୍ଟମ୍ପ ବୋଲିଂ ସହ ଆରସିବି ବ୍ୟାଟ୍ସମ୍ୟାନ୍‌ଙ୍କୁ ହାତଖୋଲା ସଟ୍ ଖେଳିବାର କୌଣସି ସୁଯୋଗ ଦେଇ ନଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ବୋଲର। ଫଳରେ ଏହି ଦଳ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ କେବଳ ୧୪୫ ରନ୍ କରି ପାରିଥିଲା। ଏହା ପରେ ପୁଣି ଥରେ ପାଳି ଆରବାର ସୁବର୍ଣ୍ଣ ସୁଯୋଗ ଲାଭ କରିଥିବା ଋତୁରାଜ ଗାଏକ୍ବାଡ୍‌ଙ୍କ ପ୍ରଥମ ଅର୍ଧଶତକ ବଳରେ ୮ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗାଏକ୍ବାଡଙ୍କ ବିଳମ୍ବିତ ଗର୍ଜନ ପରେ ମଧ୍ୟ ପ୍ଲେ ଅଫ୍ ଦୌଡ଼ରୁ ପଛରେ ପଡ଼ି ସାରିଥିବା ଚେନ୍ନାଇ ଶେଷରେ ଆଶ୍ବସ୍ତ ହୋଇଥିଲା। ଦଳ ପାଖରେ ଆଉ ମାତ୍ର ଦୁଇଟି ମ୍ୟାଚ୍ ଥିଲା ବେଳେ ଏହାକୁ ଜିତି ସମ୍ମାନର ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ବ‌ୋଲି ମ୍ୟାଚ୍ ପରେ ଅଧିନାୟକ ଧୋନି କହିଥିଲେ। ଦ୍ବାଦଶ ମ୍ୟାଚ୍‌ରୁ ଚେନ୍ନାଇ ରବିବାର ଚତୁର୍ଥ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆର୍‌ସିବି ୧୧ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଋତୁରାଜ ତାଙ୍କ ସ୍ମରଣୀୟ ଓ ମ୍ୟାଚ୍ ବିଜୟୀ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

Advertisment

ଆରସିବିକୁ ରୁନ୍ଧିଲେ କରନ, ଚହର
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ସଙ୍ଗେ ସଙ୍ଗେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳକୁ ଏକ ଦୃଢ଼ ମୂଳଦୁଆ ଦେବାକୁ କିନ୍ତୁ ପ୍ରାରମ୍ଭିକ ଯୋଡ଼ି ଦେବଦତ୍ତ ପଡ଼ିକଲ ଓ ଆରୋନ ଫିଞ୍ଚ୍ ପୁଣି ଥରେ ବିଫଳ ହୋଇଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବା ଦୁବାଇ ପିଚ୍‌ରେ ଫିଞ୍ଚ୍ ଦଳୀୟ ସ୍କୋର ୩୧ ରନ୍ ଥିଲା ବେଳେ ଆଉଟ୍ ହୋଇ ଯାଇଥିଲେ। ପଡ଼ିକଲ ଭଲ ଆରମ୍ଭ କରିବା ସତ୍ତ୍ବେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଅଧିନାୟକ କୋହଲି ବଡ଼ ସଟ୍ ଖେଳିବା ଅପେକ୍ଷା ସିଙ୍ଗଲ ଓ ଡବଲ ରନ୍ ଉପରେ ଅଧିକ ଜୋର ଦେଇଥିଲେ। ତାଙ୍କ ସହ ଯୋଗ ଦେଇଥିବା ଆରସିବିର ଅନ୍ୟତମ ମହତ୍ବପୂର୍ଣ୍ଣ ଖେଳାଳି ଏବି ଡି'ଭିଲିୟର୍ସ ଦ୍ରୁତ ରନ୍ କରିବା ଆରମ୍ଭ କରିଥିଲେ। ହେଲେ ଧୋନି ତାଙ୍କ ବୋଲିଂ ବାହିନୀର ଗୋଟି ଚାଳନା ଅତି ଚତୁରତାର ସହ କରି ଉଭୟ କୋହଲି ଓ ଡି'ଭିଲିୟର୍ସଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ। ସତ ଚେଷ୍ଟା ପରେ ମଧ୍ୟ ଏହି ଦୁଇ ତାରକା ରନ୍ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲେ। ତେବେ ଡି'ଭିଲିୟର୍ସଙ୍କୁ ଠିକଣା ସମୟରେ ପ୍ୟାଭିଲିୟନ୍ ପଠାଇ ଦୀପକ ଚହର ହିଁ ଆର୍‌ସିବି ରନ୍ ସଂଗ୍ରହ ହାର୍‌ରେ ଏକପ୍ରକାର ବ୍ରେକ୍ ଲଗାଇ ଦେଇଥିଲେ। ଦୁଇ ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ କ୍ରିସ୍ ମୋରିସ୍ ବିଫଳ ହେବା ପରେ ଆରସିବି ଆଉ ଦେଢ଼ ଶହ ରନ୍ ଛୁଇଁ ପାରି ନଥିଲା। ସାମ୍‌ କରନ ୩ ୱିକେଟ୍ ନେଇ ଆରସିବିକୁ ଅଧିକ ଘାଇଲା କରିଥିଲେ।

ଚେନ୍ନାଇ ବ୍ୟାଟର୍‌ଙ୍କ ଯୋଜନାବଦ୍ଧ ଆକ୍ରମଣ
ପିଚ୍ ସହଜ ନଥିଲେ ମଧ୍ୟ ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ଯୋଜନାବଦ୍ଧ ଭାବେ ଆରମ୍ଭରୁ ଆରସିବି ବୋଲରଙ୍କୁ ଆକ୍ରମଣ କରିଥିଲେ। ଏହାର ନେତୃତ୍ବ ଯୁବ ତାରକା ଋତୁରାଗ ଗାଏକ୍ବାଡ୍‌ ହିଁ ନେଇଥିଲେ। ଫାଫ୍ ଡୁ' ପ୍ଲେସିସଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ୪୬ ରନ୍ ଯୋଡ଼ିବା ପରେ ଅମ୍ବାତି ରାୟୁଡୁଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୬୭ ରନ୍ ସଂଗ୍ରହ କରି ଚେନ୍ନାଇ ବିଜୟକୁ ସେ ପକ୍କା କରି ଦେଇଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଆଜି ପୂରା ଲୟରେ ଥିଲା ଭଳି ମନେ ହୋଇଥିଲେ। ୩ ଦର୍ଶନୀୟ ଚୌକା ସହ ୧୯ ରନ୍ କରି ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୪୨ ବଲ୍‌ରୁ ୩ ଚୌକା ଓ ୨ ଛକା ବଳରେ ପ୍ରଥମ ଆଇପିଏଲ୍‌ ଅର୍ଧଶତକ ଅର୍ଜନ କରିଥିବା କ୍ରିସ୍ ମୋରିସଙ୍କୁ ଛକା ମାରି ଗାଏକ୍ବାଡ୍ ବିଜୟ ମୁଣ୍ଡି ମାରିଥିଲେ। ଚେନ୍ନାଇ ୧୮.୪ ଓଭରରେ ୧୫୦/୨ କରି ମନୋବଳ ବଢ଼ାଇଥିଲା।