ଧୋନୀ ହେଲେ ଝାଡଖଣ୍ଡର ସର୍ବାଧିକ ଆୟକର ଦାତା

ରାଞ୍ଚି: ପୂର୍ବତନ ଟିମ୍‌-ଇଣ୍ଡିଆ କ୍ୟାପ୍‌ଟେନ ତଥା ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଝାଡଖଣ୍ଡ ରାଜ୍ୟର ସର୍ବାଧିକ ଆୟକର ଦାତା ଘୋଷିତ ହୋଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଧୋନୀ ୧୨.୧୭ କୋଟି ଟଙ୍କାର ଆୟକର ପୈଠ କରିଛନ୍ତି। ଝାଡଖଣ୍ଡରୁ ପ୍ରକାଶିତ ହିନ୍ଦୀ ଖବର କାଗଜ ‘ପ୍ରଭାତ ଖବର’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଥିସହ କ୍ରିକେଟର ଧୋନୀ ୩ କୋଟି ଟଙ୍କାର ଅଗ୍ରୀମ ଆୟକର ମଧ୍ୟ ପୈଠ କରିଛନ୍ତି। ମୁଖ୍ୟ ଆୟକର କମିସନର ଭି.ମହାଲିଙ୍ଗମ୍‌ ଏ ସଂପର୍କିତ ସୂଚନା ଦେଇ କହିଛନ୍ତି, ଗତ ବର୍ଷ ମହେନ୍ଦ୍ର ସିଂ ଧୋନୀ ୧୦.୯୩ କୋଟି ଟଙ୍କାର ଆୟକର ଦେଇଥିଲେ। ମାତ୍ର ସେ ରାଜ୍ୟର ସର୍ବାଧିକ ଆୟକର ଦାତା ହୋଇ ପାରି ନଥିଲେ।

ନିକଟରେ ଚର୍ଚ୍ଚା ହୋଇଥିଲା କି ମହେନ୍ଦ୍ର ସିଂ ଧୋନୀ ବୋଧହୁଏ ଅନ୍ତର୍ଜାତୀୟ ଏକଦିବସୀୟରୁ ଅବସର ନେଇ ପାରନ୍ତି। ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜର ମ୍ୟାଚ ଶେଷରେ ଅମ୍ପାୟର୍‌ଙ୍କଠାରୁ ଧୋନୀ ବଲ ମାଗିନେବା ଦୃଶ୍ୟ କ୍ୟାମେରାରେ କଏଦ୍‌ ହେବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇ ଟିମ୍‌-ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ କହିଥିଲେ ଯେ, ଧୋନୀ ଭାରତ ଅରୁଣଙ୍କୁ ବଲ୍‌ ଦେଖାଇବା ଲାଗି ଅମ୍ପାୟର୍‌ ଙ୍କ ଠାରୁ ବଲ୍‌ ମାଗି ନେଇଥିଲେ। ଧୋନୀ ଏକଦିବସୀୟରୁ ଅବସର ଗ୍ରହଣ କରୁନାହାନ୍ତି।

ସମ୍ବନ୍ଧିତ ଖବର