ସେଞ୍ଚୁରିଅନ୍: ଅଧିନାୟକ ଜୀବନର ଚତୁର୍ଥ ବର୍ଷରେ ପହଞ୍ଚିଥିଲେ ମଧ୍ୟ ବିରାଟ କୋହଲି ଶ୍ରେଷ୍ଠତ୍ୱରେ ପହଞ୍ଚି ନାହାନ୍ତି। ଡ୍ରେସିଂ ରୁମରେ ସେ ଭୟ ସଞ୍ଚାର କରିପାରନ୍ତି ଏବଂ ତାଙ୍କୁ ଏବେ ଜଣେ ଭଲ ମାର୍ଗଦର୍ଶକଙ୍କ ଆବଶ୍ୟକତା ରହିଛି। ଏଭଳି କରାଗଲେ ତାଙ୍କ ନେତୃତ୍ୱ ଦକ୍ଷତାରୁ ସର୍ବାଧିକ ଫାଇଦା ଉଠାଇ ହେବ। ଏଭଳି ମତ ରଖିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରଶିକ୍ଷକ ରେ ଜେନିଙ୍ଗ୍ସ। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳ ସହିତ ସମ୍ପୃକ୍ତ ଥିବାବେଳେ ଜେନିଙ୍ଗ୍ସ କୋହଲିଙ୍କୁ ୧୯ ବର୍ଷରୁ କମ୍ କ୍ରିକେଟ୍ର ଭାବେ ବେଶ ନିକଟରୁ ଦେଖି ଆସିଛନ୍ତି। ଜେନିଙ୍ଗ୍ସଙ୍କ ମତରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ବିରାଟ କୋହଲିଙ୍କ ନେତୃତ୍ୱ ପରିବର୍ତନ ମଧ୍ୟରେ ଅନେକ ପ୍ରଭେଦ।
ଧୋନି ଅତିି ଶାନ୍ତ, କୋହଲି କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଡ୍ରେସିଂ ରୁମ୍ରେ କୋହଲି ଭୟ ସଞ୍ଚାର କରିପାରନ୍ତି। ଏପରିକି ସାଥୀ ଖେଳାଳିମାନେ ଅସଲ କୋହଲି କିଏ ଦ୍ୱନ୍ଦ୍ୱରେ ପଡ଼ି ପାରନ୍ତି ବୋଲି ଜେନିଙ୍ଗ୍ସ କହିଛନ୍ତି। ଦଳରେ ଜଣେ ଶାନ୍ତ ସ୍ୱଭାବର ଚରିତ୍ର ଆବଶ୍ୟକ ରହିଛି, ଭୟ ସଞ୍ଚାର ଯୁବ ଖେଳାଳିଙ୍କ ପାଇଁ ଭଲ ନୁହେଁ ବୋଲି ଜେନିଙ୍ଗ୍ସ ଅନୁଭବ କରିଛନ୍ତି। ତେବେ ଜେନିଙ୍ଗ୍ସଙ୍କ ବିଶ୍ୱାସ ବୟସ ବଢ଼ିବା ସହିତ କୋହଲି ଉନ୍ନତି କରିବେ ଏବଂ ସ୍ୱତଃ ଶାନ୍ତ ପଡ଼ିଯିବେ। ସବୁବେଳ ପାଇଁ ସେ ଏତେ ଉଗ୍ର ରହିବେ ନାହିଁ। କିନ୍ତୁ ସମୟେ ସମୟେ କୋହଲିଙ୍କୁ ଶିଖା ଦେବାର ଆବଶ୍ୟକ ରହିଛି। କୋହଲି ବଡ଼ ଫୁର୍ତିଲା ଏବଂ ପରିବର୍ତନ ପାଇଁ ବ୍ୟାକୁଳ। ସେ ବିଶ୍ୱର ଶ୍ରେଷ୍ଠ ହେବାକୁ ଚାହାନ୍ତି ଏବଂ ତାଙ୍କ ନିକଟରେ ସେଭଳି ହେବାର ଦକ୍ଷତା ରହିଛି। ତଥାପି ତାଙ୍କୁ କିଛି ସହାୟତା ଆବଶ୍ୟକ ବୋଲି କହିଛନ୍ତି ଜେନିଙ୍ଗ୍ସ।
ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ କୋହଲି ଟେଷ୍ଟ୍ ଶୃଙ୍ଖଳାରେ ଅଗ୍ରଣୀ ରନ୍ ସଂଗ୍ରହକାରୀ ରହିଥିବାବେଳେ ପ୍ରଥମ ଦିନିକିଆରେ ନିଜର ୩୩ତମ ଶତମ ଜମାଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ୪୬* ରନ୍ କରିଥିଲେ। ଏ ବୟସରେ କୋହଲି ୩୩ ଶତକ ହାସଲ କରି ସାରିଥିବାବେଳେ ତାଙ୍କ ନିକଟରେ ଆହୁରି ୧୦ ବର୍ଷ କ୍ରିକେଟ୍ ବାକି ଅଛି। ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକ ପରେ କୋହଲି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ସାରିଛନ୍ତି। ବହୁ ପୂର୍ବରୁ ସେ ରିକି ପଣ୍ଟିଂ (୩୦)ଙ୍କୁ ପଛରେ ପକାଇ ସାରିଛନ୍ତି। ବିଗତ ୫ ଦିନିକିଆରେ ସେ ୩ ଶତକ ମାରିଛନ୍ତି। ୨୦୦୮ ମସିହା ୧୯ ବର୍ଷରୁ କମ୍ ବିଶ୍ୱକପ୍ଠାରୁ ମୁଁ କୋହଲିଙ୍କୁ ଭଲ ଭାବରେ ଜାଣିଛି।
ମୁଁ ଦକ୍ଷିଣ ଆଫ୍ରିକା ଯୁବ ଦଳ ପ୍ରଶିକ୍ଷକ ଥିବାବେଳେ ସେ ଭାରତୀୟ ଦଳରୁ ଖେଳିଥିଲେ। ସେବେଠାରୁ ତାଙ୍କ ବ୍ୟାଟିଂ ସେ ବୟସ ବର୍ଗରେ ଶ୍ରେଷ୍ଠ ଥିଲା। ମୋର ସବୁ ଅଭିଜ୍ଞତାକୁ ମିଶାଇଲେ କୋହଲି ବର୍ତମାନ ସ୍ପିନ୍ ବିପକ୍ଷରେ ଶ୍ରେଷ୍ଠ ଖେଳାଳି। ସାର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କୁ ଶ୍ରେଷ୍ଠ କି ବୋଲି ପ୍ରଶ୍ନ ହେବାରୁ ଜେନିଙ୍ଗ୍ସ କହିଥିଲେ ‘ମୁଁ ସେଭଳି ଜାଣି ନାହିଁ, ବର୍ତମାନ କିନ୍ତୁ ସେ ବିଶ୍ୱର ଶ୍ରେଷ୍ଠ ୨ ବ୍ୟାଟ୍ସମ୍ୟାନ୍ ଭିତରେ। ଲୋକମାନେ ବିଦେଶ ଗସ୍ତ ପ୍ରଦର୍ଶନ କଥା କହିଥାନ୍ତି। କିନ୍ତୁ ସଦ୍ୟ ସମାପ୍ତ ଶୃଙ୍ଖଳାରେ ହାସିମ୍ ଆମଲା, ଏବି ଡି’ଭିଲିୟର୍ସ ଏବଂ ଫାପ୍ ଡୁ ପ୍ଲେସିସ୍ଙ୍କୁ ବି କୋହଲି ପଛରେ ପକାଇ ଦେଲେ।
ଚଳିତ ଦିନିକିଆ ଶୃଙ୍ଖଳା ସମ୍ପର୍କରେ ଜେନିଙ୍ଗ୍ସ କହିଥିଲେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ଫେରିବାର କୌଣସି ବାଟ ନାହିଁ। ଦଳୀୟ ପରିଚାଳକ ତ୍ରୁଟିପୂର୍ଣ୍ଣ ରଣକୌଶଳ କରିଛନ୍ତି। ଦଳ ଚୟନ ହେଉ କି ମର୍କରାମଙ୍କୁ ଅଧିନାୟକ ମନୋନୀତ କରିବା ଭୁଲ ରହିଛି। କୋହଲି ଏତେ ଆକ୍ରାମକ ଯେ ୨-୦ ଆଗୁଆ ସୁଯୋଗକୁ ହାତଛଡ଼ା ହେବାକୁ ଦେବେ ନାହିଁ। ଫାପ୍, ଏବି ଏବଂ କ୍ୱିଣ୍ଟନ୍ଙ୍କ ପରେ ଦଳର ମଧ୍ୟମାଗ ଅନଭିଜ୍ଞ। ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତିପାରେ। ମୋ ବିଶ୍ୱାସ ଦକ୍ଷିଣ ଆଫ୍ରିକା ଏହି ଶୃଙ୍ଖଳା ହାରି ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/12-Jenningsh-Kohli.jpg)