ପ୍ରଶିକ୍ଷକଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ଦଳୀୟ ଗସ୍ତ ବାତିଲ କରିଦେଇଥିଲେ ଧୋନି: କର୍ଷ୍ଟେନ୍

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗ୍ୟାରି କର୍ଷ୍ଟେନ୍ ପ୍ରଶିକ୍ଷକ ଭାବେ ଯୋଗଦେବା ପରେ ଭାରତୀୟ କ୍ରିକେଟ୍ ଦଳ ସଫଳତାର ଶୀର୍ଷ ଛୁଇଁଥିଲା। ପ୍ରଥମ ଥର ପାଇଁ ଟେଷ୍ଟ୍ ମାନ୍ୟତାର ଶୀର୍ଷ ସ୍ଥାନ ଅଧିକାର କରିବା ସହ ୨୦୧୧ରେ ଆଇସିସି ଏକଦିବସୀୟ ବିଶ୍ବକପ୍ ମଧ୍ୟ ଜିତିଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ନେତୃତ୍ବ ସହ କର୍ଷ୍ଟେନଙ୍କ ସଠିକ୍ ମାର୍ଗଦର୍ଶନ ହିଁ ଭାରତକୁ ଏଭଳି ପ୍ରତୀକ୍ଷିତ ସଫଳତା ଦେଇଥିଲା। କର୍ଷ୍ଟେନଙ୍କୁ ଧୋନି ବହୁତ ସମ୍ମାନ କରୁଥିଲା ବେଳେ କର୍ଷ୍ଟେନ ମଧ୍ୟ ଧୋନିଙ୍କ ଏକାଗ୍ରତା ଓ ସଚ୍ଚୋଟତାକୁ ବହୁତ ଭଲ ପାଉଥିଲେ। ଏପରିକି ନିଜ ଜୀବନରେ ଭେଟିଥିବା କିଛି ହାତଗଣତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଧୋନି ଅନ୍ୟତମ ବୋଲି ପୂର୍ବରୁ ଅନେକବାର କର୍ଷ୍ଟେନ କହିସାରିଛନ୍ତି। ଗୁରୁବାର ସେ ପୁଣି ଥରେ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ କର୍ଷ୍ଟେନ କହିଛନ୍ତି ଯେ ମୁଁ ଭେଟିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଧୋନି ଅନ୍ୟତମ। ସେ ଜଣେ ମହାନ ଅଧିନାୟକ, ସାଥୀ ଓ ପ୍ରତିପକ୍ଷ ଖେଳାଳିଙ୍କ ପାଇଁ ଆଦର୍ଶ। ଧୋନିଙ୍କର ସବୁଠାରୁ ଭଲ ଗୁଣ ହେଲା ଦେଶ ପ୍ରତି ତାଙ୍କର ଭଲ ପାଇବା ଓ ନିଷ୍ଠାପରତା। ଧୋନିଙ୍କ ମହାନତାକୁ ମନେ ପକାଇ କର୍ଷ୍ଟେନ ଏହି ଅବସରରେ ଏକ ଘଟଣା ବର୍ଣ୍ଣନା କରିଥିଲେ। ଏକ କାର୍ଯ୍ୟକ୍ରମ ଲାଗି ପ୍ରଶିକ୍ଷକ ମଣ୍ଡଳିକୁ ଯୋଗଦେବାର ଅନୁମତି ନମିଳିବାରୁ ଧୋନି କିଭଳି ଭାରତୀୟ ଦଳର ଗସ୍ତକୁ ବାତିଲ କରିଦେଇଥିଲେ ସେକଥା ବଖାଣିଛନ୍ତି। ‘‘ମୁଁ ଏକଥା କେବେ ବି ଭୁଲି ପାରିବିନାହିଁ। ବିଶ୍ବକପ୍‌ର ଠିକ୍ ପୂର୍ବରୁ ବେଙ୍ଗାଲୁରୁର ଏକ ବିମାନ ଚାଳନା ବିଦ୍ୟାଳୟକୁ ବୁଲିବାକୁ ଯିବା ଲାଗି ଆମକୁ ଆମନ୍ତ୍ରଣ ମିଳିଥିଲା। ଆମ ସହକାରୀ ପ୍ରଶିକ୍ଷକ ମଣ୍ଡଳିରେ ଦୁଇ ତିନି ଜଣ ବିଦେଶୀ ଖେଳାଳି ଥିଲେ।

ସମଗ୍ର ଦଳ ଏହି କାର୍ଯ୍ୟକ୍ରମକୁ ନେଇ ବେଶ୍ ଉତ୍ସାହିତ ଥିଲା। ତେବେ ଆୟୋଜକମାନେ ଆମକୁ କିଛି ସମୟ ପରେ ଜଣାଇଥିଲେ ଯେ ସୁରକ୍ଷା କାରଣ ପାଇଁ ଦଳ ସହ ଥିବା ତିନି ଜଣ ଦକ୍ଷିଣ ଆଫ୍ରିକୀୟ ଅର୍ଥାତ୍ ମୁଁ, ପ୍ୟାଡି ଉପଟନ୍ ଓ ଏରିକ ସିମନ୍ସଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ। ଧୋନି ଏହା ଶୁଣିବା ପରେ ପୂରା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲେ। ସେ କହିଥିଲେ, ଏମାନେ ମୋ ଲୋକ, ଯଦି ସେମାନଙ୍କୁ ଭିତରକୁ ଯିବାର ଅନୁମତି ମିଳିବନି ତାହାଲେ ଆମ ଭିତରୁ କେହି ବି ଯିବୁନି। ଧୋନି ଏଭଳି ହିଁ ଥିଲେ’’ ବୋଲି କର୍ଷ୍ଟେନ କହିଥିଲେ। କର୍ଷ୍ଟେନ ଆହୁରି କହିଥିଲେ ଯେ ଦଳ ହାରୁ କି ଜିତୁ ଧୋନି ଏବଂ ମୁଁ ପରସ୍ପର ବହୁତ ସମୟ କଟାଉଥିଲୁ। ସେଥିପାଇଁ ପରସ୍ପର ସହ କାମ କରିବା, ଆମ ପାଇଁ ସହଜ ହୋଇଯାଇଥିଲା। ଧୋନିଙ୍କ ନିଷ୍ଠାପରତା ହିଁ ମୋତେ ସବୁଠାରୁ ବେଶି ପ୍ରଭାବିତ କରିଥିଲା। ଏମିତି ସମୟ ବି ଆସୁଥିଲା, ଆମେ ମ୍ୟାଚ୍ ଜିତି ପାରୁନଥିଲୁ। କଠିନ ସମୟ ଦେଇ ଗତି କରୁଥିଲୁ। ଆମେ କିନ୍ତୁ ପରସ୍ପର ସହ ଆଲୋଚନା ପର୍ଯ୍ୟାଲୋଚନା କରି ବାଟ ବାହାର କରିବାକୁ ଚେଷ୍ଟା କରୁଥିଲୁ। ତିନି ବର୍ଷର ଅବଧି ଭିତରେ ଆମେ ପରସ୍ପରର ଅତି ନିକଟତର ହୋଇଯାଇଥିଲୁ।

ସମ୍ବନ୍ଧିତ ଖବର