କୋହଲି ଓ ଡି’ଭିଲିୟର୍ସଙ୍କ ମିଳିତ ଭାରତ-ଦକ୍ଷିଣ ଆଫ୍ରିକା ଏକାଦଶରେ ଧୋନି ଅଧିନାୟକ

ବାଙ୍ଗାଲୋର: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଆଇପିଏଲ୍‌ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସାଥୀ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡିଭିଲିୟର୍ସ ମିଳିତ ଭାବେ ଉଭୟ ଦେଶର ଖେଳାଳିଙ୍କୁ ନେଇ ଗୋଟିଏ ୧୧ ଜଣିଆ ଦଳ ବାଛିଛନ୍ତି। ସେହି ମିଳିତ ଏକାଦଶରେ ଭାରତର ୭ ଓ ଦକ୍ଷିଣ ଆଫ୍ରିକାର ୪ ଜଣ ଖେଳାଳି ସାମିଲ ଥିଲା ବେଳେ ଉଭୟେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ଭାବେ ବାଛିଛନ୍ତି। ଉଭୟ ସେମାନଙ୍କ ସଦ୍ୟ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ବାର୍ତାଳାପ ଅବସରରେ ଏଭଳି ମିଳିତ ଏକାଦଶ ବାଛିବା ସାଙ୍ଗଙ୍କୁ ଧୋନିଙ୍କୁ ନେତୃତ୍ବ ଭାର ଅର୍ପଣ କରିଛନ୍ତି। ସେହିପରି ଦୁହେଁ ମଧ୍ୟ ମିଳିତ ନିଷ୍ପତ୍ତିକ୍ରମେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍‌ଙ୍କୁ ମିଳିତ ଏକ‌ାଦଶର ପ୍ରଶିକ୍ଷକ ଭାବେ ବାଛିଛନ୍ତି। ମୋର ସବୁବେଳେ ତାଙ୍କ ପ୍ରତି ଗଭୀର ସମ୍ମାନ ରହିଛି। ସେ ସର୍ବଦା ଜଣେ ଭଦ୍ର ଓ ନରମ ସ୍ବଭାବର ବ୍ୟକ୍ତି ଯିଏକି କ୍ରିକେଟ୍‌କୁ ଭଲଭାବେ ଚିହ୍ନିଛନ୍ତି ଓ ପଢ଼ିଛନ୍ତି ମଧ୍ୟ। ସେଥିପାଇଁ ତାଙ୍କୁ ଅଧିନାୟକ ବାଛିବାକୁ ମନସ୍ଥ କଲି ବୋଲି କହିଛନ୍ତି ଡିଭିଲିୟର୍ସ।

ଅନ୍ୟପକ୍ଷରେ କୋହଲି ଆର୍‌ସିବି ସହ ତାଙ୍କ ଲମ୍ବା ସମୟର ସଂପର୍କକୁ ନେଇ ବର୍ଣ୍ଣନା କରିଥିଲେ। ସେ କେବେ ବି ଏହି ଫ୍ରାଞ୍ଚାଇଜ୍‌କୁ ଛାଡ଼ିବାର ଇଛା କରନ୍ତିନି। ବରଂ ସେହି ଦଳକୁ ଆଇପିଏଲ୍‌ ବିଜେତା କରାଇବାର ଲାଳସା କଥା କହିଥିଲେ କୋହଲି। ଏମଧ୍ୟରେ ଆର୍‌ସିବି ସହ ୧୨ ବର୍ଷ ବିତିଗଲାଣି। ଅବଶ୍ୟ ଏହା ଏକ ଚମତ୍କାର ଯାତ୍ରା। ଏହି ଲମ୍ବା ଯାତ୍ରା ଅବସରରେ ଫ୍ରାଞ୍ଚାଇଜ୍‌ ମୋତେ ଯେଭଳି ଭଲ ପାଇବା ଓ ପତିଆରା ଦେଇଛି ସେଥିପାଇଁ ମୁଁ ଦଳ ଛାଡ଼ି ଚାଲିଯିବା କଥା କଦାପି ଚିନ୍ତା କରିପାରିବିନି ବୋଲି କୋହଲି କହିଛନ୍ତି। ଆମେ ଗତ ୧୨ ସଂସ୍କରଣ ମଧ୍ୟରେ ୩ ଥର ଟ୍ରଫି ଜିତିବାର ଅତି ନିକଟତର ହୋଇଥିଲୁ। ହେଲେ ଭାଗ୍ୟ କାହିଁକି ସବୁଥର ସାଥୀ ଦେଉନି ତାହା ଜାଣିପାରୁନି। ତଥାପି ଅଗଣିତ ଲୋକଙ୍କ ପାଇଁ ଆ‌ର୍‌ସିବିକୁ ଆଇପିଏଲ୍‌ ବିଜେତା କରାଇବା ମୋର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ମିଳିତ ଏକାଦଶ: ସଚିନ୍ ତେନ୍ଦୁଲକର, ରୋହିତ ଶର୍ମା, ବିରାଟ କୋହଲି, ଏବି ଡିଭିଲିୟର୍ସ, ଜାକ୍ସ କାଲିସ୍‌, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଯୁବରାଜ ସିଂହ, ୟୁଜ୍‌ବେନ୍ଦ୍ର ଚହଲ୍‌, ଡେଲ୍‌ ଷ୍ଟେନ୍‌, ଯଶ୍‌ପ୍ରୀତ୍‌ ବୁମ୍‌ରା ଓ କାଗିସୋ ରବାଦା।

ସମ୍ବନ୍ଧିତ ଖବର