ତଥାପି ଧୋନିଙ୍କୁ ଶେଷ ସୁଯୋଗ ମିଳିବ: କେଶବ

କୋଲ୍‌କାତା: କରୋନା ମହାମାରୀର ପ୍ରଭାବରୁ ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏହି ପ୍ରତିଯୋଗିତାର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ କିନ୍ତୁ ଏହା ସବୁଠାରୁ ନିରାଶାଜନକ ପରିସମାପ୍ତିର ଆଶଙ୍କା ଆଣିଦେଇଛି। କ୍ରିକେଟ୍ ପଡିଆକୁ ଧୋନିଙ୍କ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତନ ନିଶ୍ଚିତ ବିଳମ୍ବିତ ହୋଇଛି। ପ୍ରତିଯୋଗିତା ବାତିଲ ହେଲେ ତ ‌ଧୋନିଙ୍କ ଖେଳ ଜୀବନରେ ଶେଷ ରେଖା ଟାଣି ହୋଇଯିବ ବୋଲି ଅନେକ ଆଶଙ୍କା କରୁଛନ୍ତି। ତେବେ ଏହି ମହାନ କ୍ରିକେଟର୍‌ଙ୍କ ପିଲାଦିନର ପ୍ରଶିକ୍ଷକ କେଶବ ରଂଜନ ବାନାର୍ଜୀଙ୍କ ବିଶ୍ବାସ ଆଇପିଏଲ୍‌ ବାତିଲ ହେଲେ ବି ଧୋନିଙ୍କୁ ନିଶ୍ଚିତ ଶେଷ ସୁଯୋଗ ମିଳିବ। ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍‌ ଲାଗି ସେ ନିଶ୍ଚିତ ଭାରତୀୟ ଦଳରେ ସ୍ଥାନ ପାଇବେ। ମୁଁ ଏହାକୁ ମୋ ଷଷ୍ଠ ଇନ୍ଦ୍ରୀୟର ବିଶ୍ବାସ ଅନୁସାରେ କହୁଛି ବୋଲି କେଶବ ପ୍ରକାଶ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଧୋନିଙ୍କ ପ୍ରତ୍ୟାବର୍ତନକୁ କରୋନା କାଳାନ୍ତର କରିଦେବା ଭଳି ଲାଗୁଛି। ଆଇପିଏଲ୍‌ ଭଳି ଆଇସିସି ଟି-୨୦ ବିଶ୍ବକପ୍‌ ମଧ୍ୟ ଝୁଲିବା ଅବସ୍ଥାରେ ରହିଛି। ଶେଷ ଥର ପାଇଁ ଧୋନି ୨୦୧୯ ଜୁଲାଇରେ ଆଇସିସି ୫୦ ଓଭରିଆ ବିଶ୍ବକପ୍‌ର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ସେମିଫାଇନାଲ୍‌ରେ ଖେଳିଥିଲେ।

ଦୀର୍ଘ ୯ ମାସ ଧରି କ୍ରିକେଟ୍ ପଡିଆରୁ ଦୂରେଇ ରହିବା ପରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ଧୋନି ଚଳିତ ମାସରେ ଚେନ୍ନାଇ ପହଞ୍ଚି ଆଇପିଏଲ୍‌-୧୩ ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। କରୋନା ମହାମାରୀର କରାଳ ରୂପକୁ ଦେଖି ବିସିସିଆଇ ଏହି ଟି-୨୦ ପ୍ରତିଯୋଗିତାକୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପରେ ଧୋନିଙ୍କ ପ୍ରସ୍ତୁତି ମଧ୍ୟ ଶେଷ ହୋଇଯାଇଛି। ‘ଚେନ୍ନାଇରୁ ଧୋନି ଫେରିବା ପରେ ମୁଁ ତାଙ୍କ ସହ ସମ୍ପର୍କରେ ରହିଛି, ତାଙ୍କ ପରିବାର ସହିତ ମଧ୍ୟ ଯୋଗାଯୋଗ ରଖିଛି। ସେ ନିଜ ଫିଟନେସ୍‌ ତାଲିମ ଜାରି ରଖିଛନ୍ତି ଏବଂ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ଏବେ କେବଳ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଆଇସିସି ମଧ୍ୟ ଜୁନ୍‌ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପକୁ ସ୍ଥଗିତ ରଖିଛି। ଆମକୁ କେବଳ ଅପେକ୍ଷା କରିବା ଛଡ଼ା ଆଉ କିଛି କରିବାର ନାହିଁ’ ବୋଲି କେଶବ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ, ଆଇପିଏଲ୍‌-୧୩ ହିଁ ଧୋନିଙ୍କ ଭବିଷ୍ୟତ ନିର୍ଧାରଣ କରିବ। କାରଣ ଜୁଲାଇରୁ ଧୋନିଙ୍କୁ ୩୯ ଚାଲିବ। ଏବେ ଆଇପିଏଲ୍‌ ଅନ୍ଧାରରେ ଥିବାରୁ ୨୦୧୧ ବିଶ୍ବକପ୍‌ ବିଜେତା ଅଧିନାୟକ ଧୋନିଙ୍କ ପ୍ରତ୍ୟାବର୍ତନ ଉପରେ ପ୍ରଶ୍ନବାଚୀ ଲାଗିଯାଇଛି ବୋଲି ମଧ୍ୟ ଦୁଇ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଓ ବୀରେନ୍ଦ୍ର ସେହବାଗ ମତ ରଖିଥିଲେ। ଦେଶ ପାଇଁ ୫୩୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଧୋନିଙ୍କୁ ଏବେ ପରିସ୍ଥିତି ସହିତ ଖାପ ଖୁଆଇବା ନିଶ୍ଚିତ କଷ୍ଟକର ହେବ। ଏଥି ପାଇଁ ତାଙ୍କୁ ନିଶ୍ଚିତ ସମୟ ଲାଗିବ। ଧୋନିଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ଥିବାରୁ ଏହା ତାଙ୍କୁ ଶେଷ ସ‌ୁଯୋଗ ଦେବ ବୋଲି କେଶବ ଅଶା ପ୍ରକାଶ କରିଛନ୍ତି। ଧୋନିଙ୍କ ଦୃଷ୍ଟିକୋଣରୁ ଦେଖିଲେ ବିସିସିଆଇ (ସଭାପତି, ଚୟନକର୍ତା, ଅଧିନାୟକ) ଏଭଳି କଥା ଭଲଭାବେ ଜାଣିଛନ୍ତି। ଠିକଣା ସମୟରେ ନିଶ୍ଚିତ ସେମାନେ କିଛି ଘେଷଣା କରିବେ ବୋଲି କେଶବ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର