ଓ୍ଵିକେଟ୍‌ ପଛରୁ ଧୋନିଙ୍କ କମେଣ୍ଟ୍ରି; ‘ଚିକୁ ସିଧା ହୋଇଯାଅ, ସେ ପଛକୁ ପଳାଇଲେ!’

କେପଟାଉନ: ବୁଧବାର ଦିନ ବିରାଟ କୋହଲିଙ୍କର ଦମ୍‌ଦାର ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାକୁ ହରାଇବାରେ ସମର୍ଥ ହୋଇଥିଲା ଭାରତୀୟ କ୍ରିକେଟ ଟିମ୍‌ । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ ଟିମ୍‌ ଲଗାତାର ତିନିଟି ମ୍ୟାଚ୍‌ ଜିତିବା ସହ ସିରିଜକୁ ନିଜ ନାମରେ କରି ପାରିଛି । ତେବେ, ଭାରତ ମ୍ୟାଚ୍‌ ଜିତିବା ସହ ଆଉ ଏକ ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟଛି। ଆଉ ସେଇଟି ହେଉଛି, ଧୋନିଙ୍କ କମେଣ୍ଟ୍ରି । ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଫିଲ୍‌ଡିଂ କରୁଥିବା ବେଳେ ପଛରୁ ଶୁଭୁଥିଲା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂ ଧୋନିଙ୍କ ସ୍ୱର ।

ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ସେତେ ଭଲ ପ୍ରଦର୍ଶନ କରି ପାରି ନଥିଲେ ମଧ୍ୟ ଧୋନି ଓ୍ଵିକେଟ୍‌ ପଛରୁ ଲଗାତାର ବୋଲରଙ୍କୁ ଉପଦେଶ ଦେଇଥିଲେ, ଯାହା କି ଭାରତୀୟ ଟିମ୍‌ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । ଷ୍ଟମ୍ପ ମାଇକ୍‌ରେ ଧୋନିଙ୍କ ସ୍ୱର ସ୍ପଷ୍ଟ ଶୁଣା ଯାଉଥିବା ବେଳେ ପରେ  ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ‘ଧୀରେ କର, ଏହା ପାଇଁ ଭଲ’, ‘ସେଠି ବହୁତ ଖରା’, ‘ଦୁଇ ପାଦ ପଛକୁ ରୁହ, ସାମ୍ନାଟା ମୁଁ ଦେଖୁଛି’ ଏବଂ ‘ଚିକୁ ପୁଣି ସିଧା ହୋଇଯାଅ, ସେ ପଛକୁ ଚାଲି ଗଲେ’, ଭଳି କମେଣ୍ଟ୍ରି କରିଥିଲେ ଧୋନି । ଯାହାକି ତାଙ୍କ ଟିମ୍‌ ପାଇଁ ଲାଭଦାୟକ ହୋଇଥିଲା ।

ଏ ବିଷୟ ଉପରେ ନିଜର ମତ ରଖିଛନ୍ତି, ସ୍ପିନର କୁଲ୍‌ଦିପ୍‌ ଯାଦବ । ତାଙ୍କ କହିବା ଅନୁଯାୟୀ, ମୁଁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଖେଳୁଥିଲି । ସେଥିପାଇଁ କିପରି ବଲ୍‌ ଫିଙ୍ଗିବି ବୁଝି ପାରୁ ନ ଥିଲି । ଏଥିରେ ମୋତେ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିଲେ ମାହି ଭାଇ (ମହେନ୍ଦ୍ର ସିଂ ଧୋନି) । ଏହା ମୋ ପାଇଁ ଏକ ନୂଆ ଅନୁଭବ ଥିଲା । ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ୨୨ଟି ବଲରେ ୧୦ ରନ କରିବା ସହ ଓ୍ଵିକେଟ ପଛରୁ ଏ ପର୍ଯ୍ୟନ୍ତ ୪୦୦ଟି ଓ୍ଵିକେଟ ନେଇ ଏକ ନମ୍ବର ଭାରତୀୟ ଓ୍ଵିକେଟ କିପର ବନିଛନ୍ତି ଧୋନି ।

ସମ୍ବନ୍ଧିତ ଖବର