୮ ଓଭର ମ୍ୟାଚରେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ ଧୋନି, କେମିତି ହେବ ରନ୍‌?

ଭାରତ ଚାପରେ ଥିବା ବେଳେ କ୍ରିଜକୁ ଆସନ୍ତି ଏମ୍‌ଏସ୍‌ଡି

ନୂଆଦିଲ୍ଲୀ: ଦିନିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆ ଟି-୨୦ ଶୃଙ୍ଖଳାରେ ମଧ୍ୟ ବିଜୟୀ ହୋଇଛି। ୩ଟି ମ୍ୟାଚ ବିଶିଷ୍ଟ ନିର୍ଣ୍ଣାୟକ ଟି-୨୦ରେ ମଙ୍ଗଳବାର ବର୍ଷା ଯୋଗୁଁ ମ୍ୟାଚକୁ ଉଭୟ ଟିମ୍‌ ପାଇଁ ୮-୮ଓଭର କରି ଦିଆଯାଇଥିଲା। କିନ୍ତୁ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଏକ ବଡ଼ ପଶ୍ନ ଛିଡା ହୋଇଯାଇଛି। କ’ଣ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍‌ରେ ସ୍ଥାନ ମିଳିବା ଦରକାର? ଅଧିନାୟକ ବିରାଟ କୋହଲି ମଧ୍ୟ ଧୋନିଙ୍କୁ ନେଇ ଆଲୋଚନା କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। କିନ୍ତୁ ମନରେ ଏବେ ବି ପ୍ରଶ୍ନ ରହିଛି।

ଥିରୁବନ୍ତପୁରମ ମ୍ୟାଚରେ ବର୍ଷା ଦାଉ ସାଜିଲା। ୮ଓଭର ବିଶିଷ୍ଟ ମ୍ୟାଚରେ ଧୋନି ବ୍ୟାଟିଂ କରିବାକୁ ୭ମ ନମ୍ବରରେ ପଡ଼ିଆକୁ ଓହ୍ଲାଇଥିଲେ ଓ ତାଙ୍କୁ ଖେଳିବାକୁ ଗୋଟିଏ ବଲ ବି ମିଳି ନଥିଲା। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଦେଖିବାକୁ ମିଳିଛି। ଯେଉଁ ସମୟରେ ରନ ସ୍କୋର କରିବାର ଦରକାର ହୋଇଥାଏ, ସେହି ସମୟରେ ଧୋନି ଇନିଂସ ଶେଷ ହେବା ବେଳକୁ ବ୍ୟାଟିଂ କରିବାକୁ ଆସନ୍ତି। ଧୋନିଙ୍କୁ ସମ୍ପୂର୍ଣ୍ଣ ରୂପେ ମାନସିକ ଚାପ ସହିତ ଖେଳିବାକୁ ପଡ଼ିଥାଏ।

କୁହାଯାଇଥାଏ ଯେ, ଯୁଦ୍ଧ ସମୟରେ ନିଜର ସବୁଠାର ବଡ଼ ଅସ୍ତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଯୁଦ୍ଧରେ ହାରିବା ପୂର୍ବରୁ ଅସ୍ତ୍ର ବ୍ୟବହାର ହୋଇ ସାରିଥିବା ଦରକାର। ବୋଧେ ଧୋନିଙ୍କ ସହିତ ମଧ୍ୟ ଏଭଳି ହେଉଛି। ରାଜକୋଟ ଟି-୨୦ ମ୍ୟାଚରେ ମଧ୍ୟ ଯେତେବେଳେ ଧୋନି ପଡ଼ିଆକୁ ଓହ୍ଲାଇ ଥିଲେ, ସେତେବେଳେ ଟିମ ଇଣ୍ଡିଆକୁ ୬୫ ବଲରେ ୧୩ ରନ୍‌ ଆବଶ୍ୟକ ଥିଲା। କିଛି ପୂର୍ବତନ କ୍ରିକେଟର କହିଥିଲେ ଧୋନିଙ୍କ ପାଇଁ ଟି-୨୦ ଠିକ୍‌ ସମୟ ନୁହେଁ। କିଛି ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯିବା ଦରକାର।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, କିଛି ଦିନ ହେବ ଧୋନିଙ୍କ ଖେଳିବା ଶୈଳୀରେ ପରିବର୍ତ୍ତନ ଆସିଛି। ଧୋନି କ୍ରିଜକୁ ଆସିବା ପରେ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଆକ୍ରମଣ କରିଥାନ୍ତି। ଅଧିକାଂଶ ସମୟ ଏଭଳି ହୋଇଛି। ଧୋନି ଯେତେବେଳେ କ୍ରିଜରେ ଥାଆନ୍ତି ଏତେ ପରିମାଣରେ ଚାପ ବଢ଼ିଥାଏ, ତାଙ୍କୁ ଆକ୍ରମଣ କରିବାକୁ ପଡ଼ିଥାଏ। ଆଉ ସେତିକି ବେଳେ ବଡ଼ ସର୍ଟ ଖେଳିବାକୁ ଯାଇ ଆଉଟ ହୋଇଥାନ୍ତି।

ଅନେକ ଥର ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞମାନେ କହିଛନ୍ତି ଯେ, ଧୋନିଙ୍କୁ ଟି-୨୦ ଓ ଦିନିକିଆ ଟିମ୍‌ରେ ଉପରି କ୍ରମରେ ବ୍ୟାଟିଂ କରିବାର ଆବଶ୍ୟକତା ଅଛି। ତାଙ୍କୁ ସମୟ ମିଳିଲେ, ସେ ଠିକ୍‌ ଭାବରେ କାମ କରି ପାରିେ। ଧୋନି ଜଣେ ଭଲ ଫିନିସର ଭାବେ କ୍ରିକେଟ ଜଗତରେ ଜଣାଶୁଣା। ସେ ଭାରତୀୟ ଟମ୍‌କୁ ବିଜୟୀ କରାଇବାରେ ବଳିଷ୍ଠ ଭୂମିକା ନିଭାଇଛନ୍ତି।

ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରାଜକୋଟ ମ୍ୟାଚରେ ଧୋନିଙ୍କୁ ଭିଲିଆନ୍‌ କୁହାଯିବା ଉପରେ ସମାଲୋଚକଙ୍କୁ ଜବାବ ଦେଇଛନ୍ତି। ସେ କହିଥିଲେ, ଟିମ୍‌ ଆରମ୍ଭରୁ ଭଲ ଖେଳି ନଥିଲା। ହାର୍ଦିକ ପାଣ୍ଡ୍ୟା ମଧ୍ୟ ରନ୍‌ ବନାଇବାରୁ ବଞ୍ଚିତ ଥିଲେ। ଧୋନି କ୍ରିଜ ଆସିବା ବେଳକୁ ଭାରତ ଚାପରେ ଥିଲା।

ସମ୍ବନ୍ଧିତ ଖବର