ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଶୁକ୍ରବାର ୧୭ବର୍ଷ ପରେ ଚେନ୍ନାଇରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା। ୧୯୭ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ୭୫ ରନ୍ରେ ୫ ୱିକେଟ୍ ହରାଇବା ପରେ ୮ ୱିକେଟ୍ ବିନିମୟରେ ୧୪୮ ରନ୍ରେ ଅଟକି ଯାଇଥିଲା। ଫଳରେ ୫୦ ରନ୍ର ବଡ଼ ବ୍ୟବଧାନରେ ହାରିଥିଲା। ଘରୋଇ ପରିବେଶରେ ଏହା ଚେନ୍ନାଇର ରନ୍ ବ୍ୟବଧାନରେ ସର୍ବାଧିକ ପରାଜୟ ଥିଲା। ଆଇପିଏଲ୍ର ସଫଳତମ ଦଳର ଏଭଳି ପରାଜୟ ପ୍ରଶଂସକଙ୍କ ସହ କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିଥିଲା। ସବୁଠାରୁ ବେଶି ଚକିତ କରିଥିଲା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନବମ ସ୍ଥାନରେ ବ୍ୟାଟିଂକୁ ଆସିବା। ବିଜୟ ଲକ୍ଷ୍ୟ ବଡ଼ ହୋଇଥିଲେ ମଧ୍ୟ ଧୋନି ରବୀନ୍ଦ୍ର ଜାଡ଼େଜା ଓ ଆର ଅଶ୍ବିନଙ୍କ ପରେ ବ୍ୟାଟିଂକୁ ଆସିଥିଲେ। ସେତେବେଳେ ଚେନ୍ନାଇ ହାତରୁ ଏକପ୍ରକାର ମ୍ୟାଚ୍ ଖସି ଯାଇଥିଲା। ଧୋନି କେବଳ ଦର୍ଶକଙ୍କର ମନୋରଞ୍ଜନ କରି ୧୬ ବଲ୍ରୁ ୩୦* ରନ୍ର ପାଳି ଖେଳିଥିଲେ। ଶେଷ ଓଭରରେ ଦୁଇଟି ଦର୍ଶନୀୟ ଛକା ସହ ତିନିଟି ସୁନ୍ଦର ଚୌକା ବଳରେ ସେ ଏହି ରନ୍ ସଂଗ୍ରହ କରିଥିଲେ। ତେବେ ଧୋନି ଏତେ ତଳେ ଖେଳିବା ନେଇ ସମାଲୋଚନାର ଶିକାର ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏହି ନିଷ୍ପତ୍ତିକୁ କ୍ରିକେଟ୍ପ୍ରେମୀ ଟାହି ଟାପରା କରିଛନ୍ତି। ଧୋନିଙ୍କ ଖେଳ ଜୀବନର ଏହା ସବୁଠାରୁ ଖରାପ ସ୍ଥିତି ବୋଲି ଅନେକ କହିଛନ୍ତି। ପୂର୍ବତନ କ୍ରିକେଟର୍ମାନେ ସିଧାସଳଖ କିଛି କହି ନଥିଲେ ମଧ୍ୟ ପରୋକ୍ଷରେ ଧୋନିଙ୍କ ଉଦ୍ଦେଶ୍ୟ ଓ ଆଶାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେପଟେ ଚେନ୍ନାଇ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ଏହି ପରାଜୟକୁ ସେତେଟା ଗୁରୁତ୍ବ ଦେଇ ନାହାନ୍ତି। ଚେପକ୍ ଷ୍ଟାଡିୟମ୍ ପିଚ୍ ପଢ଼ିବାରେ ବିଫଳତାକୁ ସେ ପରାଜୟର କାରଣ ଭାବେ ବର୍ଣ୍ଣନା କରିଛନ୍ତି।
କୋହଲିଙ୍କୁ ଆବେଗଭରା ଆଲିଙ୍ଗନ
ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)-ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପ୍ରତିଦ୍ବନ୍ଦ୍ବିତା ଆଇପିଏଲର ଅନ୍ୟତମ ଆକର୍ଷଣ ଭାବେ ପରିଚିତ। ହେଲେ ଏହି ଦୁଇ ଦଳର ଦୁଇ ମହାନ ତାରକା ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟକ୍ତିଗତ ସଂପର୍କରେ ଏହାର କୌଣସି ପ୍ରଭାବ ପଡ଼ିନି। ଉଭୟ ପୂର୍ବଭଳି ପରସ୍ପରକୁ ଭଲପା’ନ୍ତି ଏବଂ ସମ୍ମାନ ବି କରନ୍ତି। ଶୁକ୍ରବାର ସିଏସ୍କେକୁ ଆର୍ସିବି ହରାଇଥିଲେ ମଧ୍ୟ କୋହଲି ଓ ଧୋନି ପରସ୍ପରକୁ ସ୍ନେହଭରା ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଭାରତୀୟ କ୍ରିକେଟ୍ ଦୁନିଆର ଏହି ଦୁଇ ମହାରଥୀ ଉଭୟ ଉଭୟଙ୍କୁ ଆଲିଙ୍ଗନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। କୋହଲି ଓ ଧୋନି ଏହି ଅବସରରେ କେବଳ ଭେଟାଭେଟି ହୋଇ ନଥିଲେ, ବରଂ ଢେର ସମୟ ଧରି ଦୁଃଖସୁଖ ବାଣ୍ଟିଥିଲେ। ଚେନ୍ନାଇର ଯୁବ ତାରକା ବଂଶ ବେଦୀଙ୍କ ସହ ଧୋନି ଓ କୋହଲି ଫଟୋ ବି ଉଠାଇଥିଲେ। ଧୋନି ମଧ୍ୟ ନିଜ ପୂର୍ବତନ ସାଥୀ ଦୀନେଶ କାର୍ତ୍ତିକଙ୍କୁ ଭେଟି ବେଶ୍ ଖୁସି ହୋଇଥିଲେ।