ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ତେବେ ଏହି ଅବସର ଅପ୍ରତ୍ୟାଶିତ ନଥିଲା । ଏହି ଅବସର ସମ୍ପର୍କରେ ବର୍ଷେ ପୂର୍ବରୁ ହିଁ ଯୋଜନା କରିସାରିଥିଲେ ଧୋନୀ ।
ଟିମ ଇଣ୍ଡିଆର ପୂର୍ବତନ ଫିଲଡିଂ କୋଚ୍ ଆର.ଶ୍ରୀଧର ନିଜର ନୂଆ ବହି କୋଚିଂ ବିୟୋଣ୍ଡ୍ : ମାଇଁ ଡେଜ୍ ଓ୍ବିଥ୍ ଦି ଇଣ୍ଡିଆନ କ୍ରିକେଟ୍ ଟିମ”ରେ ଧୋନୀଙ୍କ ସମ୍ପର୍କରେ କେତେକ ଅଜଣା କଥା କହିଛନ୍ତି ।
ଏହି ବହିରେ ସେ ଲେଖିଛନ୍ତି ଯେ, ୨୦୧୯ ବିଶ୍ବକପର ସେମିଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାଞ୍ଚେଷ୍ଟରଠାରେ ଖେଳାଯାଇଥିଲା । ସେମିଫାଇନାଲର ରିଜର୍ଭ ଦିନ ସକାଳେ ଶ୍ରୀଧର ସକାଳ ଜଳଖିଆ ଦିଆଯାଉଥିବା ହଲରେ ଥିବାବେଳେ ଧୋନୀ ଓ ଋଷଭ ପନ୍ତ ସେଠାକୁ ଆସିଥିଲେ । ଏହି ସମୟରେ ପନ୍ତ ଧୋନୀଙ୍କୁ କହିଲେ ଯେ ଦଳର କେତେକ ସଦସ୍ୟ ନିଜସ୍ବ ଖର୍ଚ୍ଚରେ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି । ସେ ଯିବାକୁ ଚାହିଁବେ କି ? ଏହାର ଉତ୍ତରରେ ଧୋନୀ କହିଥିଲେ ଯେ ସେ ଯିବାକୁ ଚାହୁଁନାହାନ୍ତି, କାରଣ ସେ ଟିମ ସହିତ ଶେଷଥର ପାଇଁ ବସଯାତ୍ରାକୁ ମିସ୍ କରିବାକୁ ଚାହୁଁନାହାନ୍ତି ।’’
ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ ଧୋନୀ ନିଜର ଅବସର ବାବଦରେ ନିଷ୍ପତ୍ତି ନେଇସାରିଥିଲେ । ଏହାର ଠିକ ପରବର୍ଷ, ଅର୍ଥାତ ୨୦୨୦ରେ ସେ ଅବସର ଘୋଷଣା କରିଥିଲେ।