ଧୋନି ଓ ଡିକେ ସବୁଦିନ ଦଳରେ ନଥିବେ, ଦିନେ ନା‌ ଦିନେ ପନ୍ତଙ୍କ ପାଳି ଆସିବ: ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ବିଶ୍ବକପ୍ ଦଳରେ ଦିଲ୍ଲୀର ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ସ୍ଥାନ ନମିଳିବା ନେଇ ଲାଗି ରହିଥିବା ଚର୍ଚାରେ ଝାସ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଅଧର୍ଯ୍ୟ ନହେବା ଲାଗି ସେ ପନ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାର ଅବସରରେ ଗାଙ୍ଗୁଲି ଏହି ବିଷୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପନ୍ତ ଏକାଧିକ ବିଶ୍ବକପ୍ ଖେଳିବେ। ସେ ଅନ୍ୟୁନ ୧୫ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ବ କରିବେ। ଧୋନି ଓ ଦୀନେଶ କାର୍ତିକ ସବୁଦିନ ପାଇଁ ଦଳରେ ନଥିବେ। ଏମାନଙ୍କ ପରେ ପନ୍ତଙ୍କ ପାଳି ନିଶ୍ଚିତ ଆସିବ। ସେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ। ବିଶ୍ବକପ୍ ଦଳରେ ସ୍ଥାନ ନପାଇବା ୨୧ ବର୍ଷୀୟ ପନ୍ତଙ୍କ ପାଇଁ ଏକ ବଡ଼ ଝଟ୍‌କା ବୋଲି ମୁଁ ଭାବୁନାହିଁ। ଏହା ଏକ ବଡ଼ ସମସ୍ୟା ମଧ୍ୟ ନୁହେଁ। ତାଙ୍କ ପାଇଁ ରାସ୍ତା ଆଦୌ ବନ୍ଦ ହୋଇ ନାହିଁ। ଏଥରର ବିଶ୍ବକପ୍ ନଖେଳିଲେ ଆସନ୍ତା ଥର ସେ ଖେଳିବା ପୂରା ପକ୍କା। ମୁଁ ଚୟନକର୍ତା ଥିଲେ କିନ୍ତୁ କାର୍ତିକଙ୍କ ସ୍ଥାନରେ ତାଙ୍କୁ ଦଳରେ ନେଇ ଥାଆନ୍ତି। କାର୍ତିକ ମଧ୍ୟ ଜଣେ ଭଲ ଖେଳାଳି। ଭାରତ ଏକ ଭଲ ଦଳ ଘୋଷଣା କରିଛି।

ସମ୍ବନ୍ଧିତ ଖବର