‘ମୁଁ ତୁମ ଅଧିନାୟକ, ବୋକା ବନେଇବାକୁ ଚେଷ୍ଟା କରନି’: ୨୦୧୪ ନ୍ୟୁଜିଲାଣ୍ଡ ଗସ୍ତରେ ସାମିଙ୍କୁ ଏପରି କହିଥିଲେ ଧୋନି

ନୂଆଦିଲ୍ଲୀ: ‘ମୁଁ ତୁମ ଅଧିନାୟକ, ମୋତେ ବୋକା ବନେଇବାକୁ ଚେଷ୍ଟା କରନି’। ୨୦୧୪ରେ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ବେଳେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଏଭଳି ଢ଼ଙ୍ଗରେ କହିଥିଲେ ମହେନ୍ଦ୍ର ସିଂହ ଧୋନି। ମନୋଜ ତିୱାରୀଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ ସେସନ୍‌ରେ କଥା ହେଲା ବେଳେ ସାମି ନ୍ୟୁଜିଲାଣ୍ଡ ଗସ୍ତର ଏହି ସ୍ମୃତିକୁ ମନେ ପକାଇଛନ୍ତି। ଏହି ସେସନ୍‌ରେ ସାମିଙ୍କୁ ତିୱାରୀ ପ୍ରଶ୍ନ କରିଥିଲେ, ତାଙ୍କୁ କ୍ରିକେଟ୍ ପଡ଼ିଆରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କେବେ ତାଗିଦ କରିଥିଲେ କି? ଏହାର ଉତ୍ତରରେ ସାମି ୨୦୧୪ ନ୍ୟୁଜିଲାଣ୍ଡ ଗସ୍ତରେ ୱେଲିଂଟନ ଟେ‌ଷ୍ଟ୍‌ ମ୍ୟାଚ୍‌ କଥା ମନେ ପକାଇଥି‌ଲେ।

ଏହି ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌ ଦ୍ବିତୀୟ ପାଳ‌ିରେ ୧୪ ରନ୍‌ କରିଥିଲା ବେଳେ ସାମିଙ୍କ ବୋଲିଂରେ ବିରାଟ କୋହଲି କ୍ୟାଚ୍‌ ହାତଛଡ଼ା କରିଥିଲେ। ଫଳରେ ସେ ତ୍ରିଶତକ (୩୦୨ ରନ୍‌) ହାସଲ କରିଥିଲେ ଯାହା ଭାରତ ପାଇଁ ଭାରି ପଡ଼ିଥିଲା। ମ୍ୟାକ୍‌ଲମ ୧୪ ରନ୍‌ରେ ଜୀବନଦାନ ପାଇବା ପରେ ଆମେ ଭାବିଲୁ ଠିକ୍‌ ଅଛି ତାଙ୍କୁ ଶୀଘ୍ର ପ୍ୟାଭିଲିୟନ ପଠାଇବୁ। ହେଲେ ସେ ତା’ପର ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ। ଦିନ ସରିବା ପରେ ମୁଁ କୋହଲିଙ୍କୁ ପଚାରିଲି କ’ଣ ପାଇଁ କ୍ୟାଚ୍‌ ହାତଛଡ଼ା କଲ‌ ବୋଲି ସାମି କହିଛନ୍ତି। ମ୍ୟାକ୍‌ଲମ ୩୦୦ ରନ୍‌ ଲାଗି ଅଗ୍ରସର ହେଉଥିଲେ। ଠିକ୍‌ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଆଉ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କ ଏଜ୍‌ ଯାଇଥିଲା। ଏହା ମଧ୍ୟ ହାତଛଡ଼ା ହୋଇଥିଲା। ମଧ୍ୟାହ୍ନ ଭୋଜନ ପାଇଁ ଆଉ ଦୁଇଟି ବଲ୍‌ ଥିଲା ବେଳେ ମୁଁ ବାଉଁସର ପ‌କାଇଥିଲି। ଏହି ବଲ୍‌ଟି ମାହି ଭାଇଙ୍କ ‌ମୁଣ୍ଡ ଉପର ଦେଇ ଯାଇଥିଲା। ଭୋଜନ ପାଇଁ ଆମେ ଡ୍ରେସିଂ ରୁମ୍‌କୁ ଗଲୁ। ମାହି ଭାଇ ମୋ ପାଖକୁ ଆସି କହିଲେ, ମୁଁ ଜାଣିଛି କ୍ୟାଚ୍‌ ହାତଛଡ଼ା ହେଲା। କିନ୍ତୁ ଶେଷ ବଲ୍‌ ତୁମେ ଠିକ୍‌ରେ ପକାଇବାର ଥିଲା। ମୁଁ ତାଙ୍କୁ କହିଲି ‌ବଲ୍‌ ମୋ ହାତରୁ ଖସି ଗଲା। ମାହି ଭାଇ ମୋତେ କଡ଼ା ଭାଷାରେ କହିଲେ, ‘ଦେଖ ପୁଅ ବହୁତ‌ ଲୋକ ମୋ ସାମ୍ନାକୁ ଆସିଛନ୍ତି, ବହୁତ ଲୋକ ଖେଳିକି ଯାଇଛନ୍ତି, ମିଛ ମୋଟେ କୁହନି। ମୁଁ ତୁମ ସିନିୟର, ତୁମ ଅଧିନ‌ାୟକ ବି। ଏମିତି ବୋକା ଆଉ କାହାକୁ କରିବ’ ବୋଲି ତିୱାରୀଙ୍କ ସହ କଥା ହେଲା ବେଳେ ସାମି ଏହି ପୁୁରୁଣା ସ୍ମୃତିକୁ ମନେ ପକାଇଛନ୍ତି। କ୍ରିକେଟ୍‌ର ୩ ଫର୍ମାଟ୍‌ରେ ପଦାର୍ପଣ ମୁଁ ‌ମାହି ଭାଇଙ୍କ ଅଧିନାୟକ ସମୟରେ କରିଛି। ତାଙ୍କଠୁ ବହୁତ କିଛି ଶିଖିବାର ଅଛି। ସତରେ ସେ ଜଣେ ଦୀପ୍ତିମାନ ବୋଲି ସାମି କହିଛନ୍ତି।

ସମ୍ବନ୍ଧିତ ଖବର