ଦୁବାଇ: କୋଭିଡ୍-୧୯ ସଙ୍କଟ ପାଇଁ ଆହ୍ବାନଭରା ପରିବେଶ ଏବଂ ନାନା କଟକଣା ଭିତରେ ଖେଳାଯିବାକୁ ଥିବା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ତ୍ରୟୋଦଶ ସଂସ୍କରଣ ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ। ଏହା ପୂର୍ବରୁ ଲିଗ୍ର ୮ଟି ଯାକ ଦଳ ନିଜ ନିଜ ଦୋଷ ଦୁର୍ବଳତା ଦୂର କରିବା ଏବଂ ଦକ୍ଷତାକୁ ଆହୁରି ଶାଣୀତ କରିବାରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଚେନ୍ନାଇ ସୁପରକିଙ୍ଗ୍ସ ଭଳି ଦଳ ନିଜ ଖେଳାଳିଙ୍କ ଭିତରେ ହିଁ ଅଭ୍ୟାସ ମ୍ୟାଚ୍ ଖେଳିଥିଲେ। ଏଥିରେ ଦଳୀୟ ଖେଳାଳିଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଅଭ୍ୟାସ ମ୍ୟାଚ୍ ଖେଳା ଯାଇଥିଲା। ମହେନ୍ଦ୍ର ସିଂହ ଧୋନି, କ୍ରିସ୍ ଗେଲ୍ ଓ କେଏଲ୍ ରାହୁଲଙ୍କ ଭଳି ଖେଳାଳି ଏଥିରେ ଅତି ସହଜରେ ନିଜ ନିଜର ସ୍ବାଭାବିକ ଖେଳ ଖେଳୁଥିବା ଦେଖିବାକୁ ମିଳିଥିଲା। ଏମାନେ ପଡ଼ିଆର ଚାରି ପଟକୁ ଚୌକା, ଛକା ବର୍ଷା କରିଥିଲେ। ସେନ୍ ୱାଟସନ୍ ଓ ରବୀନ୍ଦ୍ର ଜାଦେଜା ମଧ୍ୟ ବ୍ୟାଟିଂ କରିଥିଲେ। ଜାଦେଜା ମଧ୍ୟ ଢେର କିଛି ଓଭର ବୋଲିଂ କରିଥିଲେ। ସେପଟେ ବ୍ୟାଟିଂ ସହ ଧୋନି ମଧ୍ୟ ଷ୍ଟମ୍ପିଂ ଅଭ୍ୟାସ କରିଥିଲେ। ପଞ୍ଜାବର ଅଧିନାୟକ ଦାୟିତ୍ବ ତୁଲାଇବାକୁ ଯାଉଥିବା ରାହୁଲ ଅଭ୍ୟାସ ମ୍ୟାଚ୍ ବେଳେ ସାଥୀ ଖେଳାଳିଙ୍କ ସହ ଦୀର୍ଘ ସମୟ ବିଚାର ବିମର୍ଶ କରିଥିଲେ। ଉଭୟ ଚେନ୍ନାଇ ଓ ପଞ୍ଜାବ ଖେଳାଳିମାନେ ବି ଫ୍ଲଡ୍ ଲାଇଟ୍ରେ ଖେଳୁଥିବାର ଭିଡିଓ ନିଜ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଶନିବାର ଉଦ୍ଘାଟନୀ ଦିବସରେ ଚେନ୍ନାଇ ସୁପରକିଙ୍ଗ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବ। ଏଥରର ଆଇପିଏଲ୍ ୟୁଏଇର ତିନିଟି ଷ୍ଟାଡିୟମ (ସାର୍ଜା, ଦୁବାଇ, ଆବୁଧାବି)ରେ ଖେଳାଯିବ।
ଆବୁଧାବି: ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆସନ୍ତା ୧୯ ତାରିଖ ଦିନ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ ସହ ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ ଖେଳିବ। ତେବେ ସୁରେଶ ରାଇନାଙ୍କ ବଦଳ ଖେଳାଳି ଥିବା ଇଣ୍ଡିଆ-ଏ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତମାସରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏକାନ୍ତବାସରେ ଅଛନ୍ତି। ତେଣୁ ସିଏସ୍କେର ଉଦ୍ଘାଟନୀ ମ୍ୟାଚ୍ରେ ତାଙ୍କ ଖେଳିବା ନେଇ ସନ୍ଦେହଜାତ ହୋଇଛି। ସିଏସ୍କେ ସିଇଓ କାଶୀ ବିଶ୍ବନାଥନ୍ଙ୍କ କହିବା କଥା ଋତୁରାଜ ଏବେ ଭଲ ଅଛନ୍ତି। ହେଲେ ଦଳର ଜୈବ ବଳୟ ମଧ୍ୟରେ ପ୍ରବେଶ କରିବାର ଅନୁମତି ବିସିସିଆଇଠାରୁ ପାଇନାହାନ୍ତି। ବିସିସିଆଇ ଡାକ୍ତରୀ ଦଳଠୁ ସବୁଜ ସଂକେତ ନପାଇବା ପର୍ଯ୍ୟନ୍ତ ସେ ଦଳ ସହ ଯୋଗ ଦେଇପାରିବେନି। ଫଳରେ ମୁମ୍ବାଇ ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ ଖେଳିବା ସମ୍ଭବ ନୁହେଁ। ଆଗାମୀ ଦୁଇଦିନ ଭିତରେ ସେ ଜୈବ ବଳୟ ଭିତରକୁ ଫେରିବାର ଆଶା ରଖିଛୁ ବୋଲି କହିଛନ୍ତି ବିଶ୍ବନାଥନ୍। ଅନ୍ୟପକ୍ଷରେ ହରଭଜନ ସିଂହଙ୍କ ବଦଳ ଖେଳାଳି ନେଇ ଦଳ ଏବେ ବି କିଛି ନିଷ୍ପତ୍ତି ନେଇନାହିଁ ବୋଲି ବିଶ୍ବନାଥନ୍ କହିଛନ୍ତି।