ଦୁବାଇ: ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯେତେବେଳେ ବିଜୟ ସୂଚକ ଚୌକା ମାରିଲେ ସେତେବେଳେ ଦର୍ଶକ ଷ୍ଟାଣ୍ଡରେ ଥିବା ଦୁଇ ଜଣ କୁନି ପ୍ରଶଂସକ ଖୁସିରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଚେନ୍ନାଇର ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ନିଜ ମା’ଙ୍କୁ ଜାବୁଡ଼ି ଧରି ସଂପୃକ୍ତ ଭାଇ ଭଉଣୀ କାନ୍ଦୁ ଥିବାର ଦୃଶ୍ୟ ବଡ଼ ପରଦାରେ ପ୍ରଦର୍ଶିତ ହେବା ପରେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଧୋନି ନିଜେ ଏହି ଦୃଶ୍ୟକୁ ଦେଖି ବେଶ୍ ଭାବବିହ୍ବଳ ହୋଇ ଯାଇଥିଲେ। ସେଥିପାଇଁ ଡ୍ରେସିଂ ରୁମ୍କୁ ଫେରିବା ପରେ ନିଜ ଦସ୍ତଖତ ଥିବା ବଲ୍ ସେହି କ୍ରିକେଟ୍ ପାଗଳ ପ୍ରଶଂସକ ଦୁଇଜଣଙ୍କୁ ଉପହାର ଦେଇଥିଲେ। ଧୋନି ସେମାନଙ୍କୁ ବଲ୍ ଫିଙ୍ଗୁଥିବାର ଦୃଶ୍ୟ ମଧ୍ୟ ଷ୍ଟାଡିୟମ ଭିତରେ ବସିଥିବା ଏବଂ ଏହାକୁ ଟେଲିଭିଜନ୍ ପରଦାରେ ଦେଖୁଥିବା ପ୍ରତିଟି କ୍ରିକେଟ୍ପ୍ରେମୀଙ୍କ ମନ ଛୁଇଁ ଯାଇଥିଲା। ପିଲା ଦୁଇ ଜଣଙ୍କ କାନ୍ଦ ବି ମାହିଙ୍କ ଏହି ମହାନତା ପାଇଁ ସଙ୍ଗେସଙ୍ଗେ ହସରେ ପରିଣତ ହୋଇଯାଇଥିଲା। ସେମାନଙ୍କ ପାଇଁ ଏହି ମୁହୂର୍ତ ସାରା ଜୀବନ ପାଇଁ ସ୍ମରଣୀୟ ହୋଇଯାଇଥିଲା। ପ୍ରଶଂସକଙ୍କ ସହ ଏହି ମ୍ୟାଚ୍ରେ ଧୋନିଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।