ବିଦାୟୀ ଟେଷ୍ଟ୍‌ରେ ନେତୃତ୍ବ ନେବାକୁ ଧୋନି କହିବେ ବୋଲି ଆଶା କରିନଥିଲି: ଗାଙ୍ଗୁଲି

ଗାଙ୍ଗୁଲିଙ୍କ କଠିନ ପରିଶ୍ରମ ପାଇଁ ଧୋନି ଏତେ ଟ୍ରଫି ଜିତିଛନ୍ତି: ଗମ୍ଭୀର

କୋଲକାତା: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ ଦଳକୁ ବିଦେଶ ମାଟିରେ ଜିତାଇବାର କଳା ଶିଖାଇଥିଲେ। ଦଳର ଆତ୍ମବିଶ୍ବାସ ବଢ଼ାଇ ଯେକୌଣସି ପରିସ୍ଥିତିରେ ଲଢ଼ିବା ନଛାଡ଼ିବାକୁ ପ୍ରେରଣା ଦେଇଥିଲେ। ଅଧିନାୟକ ଭାବେ ଗାଙ୍ଗୁଲି ଆଣିଥିବା ବୈପ୍ଳବିକ ପରିବର୍ତ୍ତନର ଫଳ ଓ ଫାଇଦା ମଧ୍ୟ ମହେନ୍ଦ୍ର ସିଂହ ଧୋନି ଉଠାଇଥିଲେ। ଧୋନିଙ୍କୁ ଭାରତୀୟ ଦଳକୁ ଆଣିବାରେ ଗାଙ୍ଗୁଲି ବି ପ୍ରମୁଖ ଭୂମିକା ତୁଲାଇଥିଲେ। ଏସବୁ କାରଣ ପାଇଁ ଗାଙ୍ଗୁଲିଙ୍କ ପାଇଁ ଧୋନିଙ୍କ ମନରେ ଯଥେଷ୍ଟ ସମ୍ମାନ ଥିଲା। ଗାଙ୍ଗୁଲିଙ୍କ ବିଦାୟୀ ଟେଷ୍ଟ୍‌ରେ ଧୋନି ତାଙ୍କୁ କିଛି ଓଭର ପାଇଁ ଅଧିନାୟକ ଦାୟିତ୍ବ ତୁଲାଇବାର ସୁଯୋଗ ଦେଇ ସେହି ଋଣ ଶୁଝିବାକୁ ଚେଷ୍ଟା କରିଥିଲେ। ଧୋନିଙ୍କ ଏହି ପଦକ୍ଷେପ କେବଳ ଗାଙ୍ଗୁଲି ନୁହଁ, ସବୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନ ଛୁଇଁ ନେଇଥିଲା। ମୟଙ୍କ ଅଗ୍ରୱାଲଙ୍କ ସହ ଅନଲାଇନ୍ ଆଲୋଚନା ବେଳେ ଗାଙ୍ଗୁଲି ସେହି କଥାକୁ ମନେ ପକାଇଛନ୍ତି। ଧୋନି ଏଭଳି ଏକ ପଦକ୍ଷେପ ନେବେ ବୋଲି ସେ ଆଶା କରିନଥିବା କହିଛନ୍ତି।

‘‘ନାଗପୁର (୨୦୦୮ ମସିହା)ରେ ମୁଁ ମୋ ଶେଷ ଟେଷ୍ଟ୍‌ ଖେଳିଥିଲି। ଏହା ଅନ୍ତିମ ଦିନର ଅନ୍ତିମ ଅଧିବେଶନ ଥିଲା। ମୁଁ ବିଦର୍ଭ ଷ୍ଟାଡିୟମର ପାହାଚରୁ ଓହ୍ଲାଇ ପଡ଼ିଆ ଭିତରକୁ ଯାଉଥିଲି, ସେମାନେ (ସାଥୀ ଖେଳାଳିମାନେ) ଦୁଇ ପାଖରେ ଠିଆହୋଇ ‌ମୋତେ ପଡ଼ିଆ ଭିତରକୁ ପାଛୋଟି ନେଇଥିଲେ। ହେଲେ ଧୋନି ଯେତେବେଳେ ମୋତେ ଅଧିନାୟକ ଦାୟିତ୍ବ ତୁଲାଇବାକୁ କହିଲେ, ମୁଁ ଚକିତ ହୋଇଯାଇଥିଲି। ତାଙ୍କ ନେତୃତ୍ବ ଶୈଳୀ ଭଳି ଏହା ମଧ୍ୟ ମୋ ପାଇଁ ଏକ ଅଜଣା ଉପହାର ଥିଲା। ଆମେ ସେହି ଟେଷ୍ଟ୍ ଜିତୁଥିଲୁ, ହେଲେ ମୁଁ ଅବସର କଥା ଚିନ୍ତା କରୁଥିଲି। ସେହି ୩-୪ ଓଭରରେ କଣ କରିଥିଲି, ମୁଁ ଜାଣିନି’’ ବୋଲି ଗାଙ୍ଗୁଲି କହିଥିଲେ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚ୍‌କୁ ଭାରତ ୧୭୨ ରନ୍‌ରେ ଜିତି ନେଇଥିଲା। ଗାଙ୍ଗୁଲି ଭାବବିହ୍ବଳ ପରିବେଶରେ ଭାରତୀୟ କ୍ରିକେଟ୍‌କୁ ଅଲବିଦା ଜଣାଇଥିଲେ।

ଗାଙ୍ଗୁଲିଙ୍କ କଠିନ ପରିଶ୍ରମ ପାଇଁ ଧୋନି ଏତେ ଟ୍ରଫି ଜିତିଛନ୍ତି: ଗମ୍ଭୀର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବଡ଼ ଭାଗ୍ୟବାନ ଥିଲେ। ସମସ୍ତ ଫର୍ମାଟରେ ଭାରତର ଅଧିନାୟକତ୍ବ ଭାର ସମ୍ଭାଳିବା ବେଳକୁ ଦଳରେ ମହାନ‌ ଖେଳାଳିମାନେ ଥିଲେ। ପୂର୍ବ ଅଧିନାୟକ‌ ସୌରଭ ଗାଙ୍ଗୁଲିଙ୍କ କଠିନ ପରିଶ୍ରମର ଫଳ ‌ଧୋନିଙ୍କୁ ମିଳିଥିଲା। ଏଭଳି କଥା କହିଛନ୍ତି ପୂର୍ବତନ ଖେଳାଳି ତଥା ଭାଜପା ସାଂସଦ ଗୌତମ ଗମ୍ଭୀର। ଟେଷ୍ଟ୍ ଅଧିନାୟକ ଭାବେ ଧୋନିଙ୍କ ନେତୃତ୍ବରେ ଭାରତ ଆଇସିସି ମାନ୍ୟତା ଶୀର୍ଷକୁ ଉଠିଥିଲା, କାରଣ ଦଳରେ ଜାହିର୍‌ ଖାନ୍‌ଙ୍କ ଭଳି ବୋଲର ଥିଲେ। ଏହାର ଶ୍ରେୟ କିନ୍ତୁ ଗାଙ୍ଗୁଲିଙ୍କ ନିକଟକୁ ଯିବ। ମୋ ମତରେ ଜାହିର ଭାରତର ଶ୍ରେଷ୍ଠ ବିଶ୍ବ ଶ୍ରେଣୀୟ ବୋଲର ବୋଲି ୩୮ ବର୍ଷୀୟ ଗମ୍ଭୀର କହିଥିଲେ। ସୀମିତ ଓଭରରେ ମଧ୍ୟ ଧୋନିଙ୍କୁ ଭଲ ଦଳ ମିଳିଥିଲା। ଫଳରେ ସେ ୨୦୦୭ ଟି-୨୦ ବିଶ୍ବକପ୍‌ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ଜିତି ପାରିଥିଲେ। ୨୦୧୧ ବିଶ୍ବକପ୍‌ ସଫଳତା ସଚିନ, ସେହବାଗ, ମୁଁ, ଯୁବରାଜ, ୟୁସୁଫ୍‌, ବିରାଟଙ୍କ ପାଇଁ ସମ୍ଭବ ହୋଇଥିଲା। ଏସବୁ ସଫଳତା ଗାଙ୍ଗୁଲିଙ୍କ କଠିନ ପରିଶ୍ରମରୁ ମିଳିଥିଲା। ସେଥିପାଇଁ ଧୋନି ଏତେ ଟ୍ରଫି ଜିତି ପାରିଥିଲେ ବୋଲି ଗମ୍ଭୀର କହିଥିଲେ।

ସମ୍ବନ୍ଧିତ ଖବର