ଧୋନି ସିଏସ୍‌କେର ସ୍ପନ୍ଦନ: ଫ୍ଲେମିଂ

ଚେନ୍ନାଇ: ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ହୃଦ୍‌ସ୍ପନ୍ଦନ ଭାବେ ବର୍ଣ୍ଣନା କରିଛନ୍ତି। ୨୦୦ରୁ ଅଧିକ ମ୍ୟାଚ୍ ଖେଳିବା ପରେ ମଧ୍ୟ ଆହୁରି ଭଲ କରିବାର ଇଚ୍ଛା, ଆଗ୍ରହ ଓ ଏକାଗ୍ରତା‌ ଏହାର ବଳିଷ୍ଠ ପ୍ରମାଣ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ସେ। ଧୋନି ଆଇପିଏଲ୍ ଆରମ୍ଭରୁ ସିଏସ୍‌କେ ଦଳର ନେତୃତ୍ବ ନେଇ ଆସୁଛନ୍ତି। ଯାହାକୁ ମନଖୋଲି ପ୍ରଶଂସା କରିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଇତିହାସର ଅନ୍ୟତମ ସଫଳ ପ୍ରଶିକ୍ଷକ ଫ୍ଲେମିଂ। ସିଏସ୍‌କେ ପାଇଁ ଧୋନି କରିଥିବା ଅତୁଳନୀୟ ଅବଦାନକୁ ସଲାମ କରିଛନ୍ତି ସେ। ‘‘ତାଙ୍କ (ଧୋନି) ସ୍ଥାୟିତ୍ବ ଓ ସ୍ଥିରତା ଅନ୍ୟମାନଙ୍କ ପାଇଁ ଉଦାହରଣ।

ଏଥିପାଇଁ ଧୋନିଙ୍କୁ ଯେତେ ପ୍ରଶଂସା କଲେ ବି ଏହା କମ୍ ହେବ। ୨୦୦ରୁ ଅଧିକ ମ୍ୟାଚ୍ ଖେଳିସାରିଲା ପରେ ମଧ୍ୟ ଦଳ ଏବଂ ଖେଳ ପ୍ରତି ଧୋନିଙ୍କ ଭଲପାଇବା ଓ ଉତ୍ସର୍ଗୀକୃତ ଭାବନା ତାଙ୍କ ଜାଜ୍ବଲ୍ୟମାନ ଚରିତ୍ରକୁ ଦର୍ଶାଉଛି। ସମୟକ୍ରମେ ଦଳ (ସିଏସ୍‌କେ) ପରିପକ୍ବ ହୋଇଛି, ସମାନ୍ତରାଳ ଭାବେ ଧୋନିଙ୍କର ଉନ୍ନତି ବି ହୋଇଛି। ଉଭୟଙ୍କ ମଧ୍ୟରେ ଭାବପୂର୍ଣ୍ଣ ଓ ଆବେଗପୂର୍ଣ୍ଣ ସଂପର୍କ ସୃଷ୍ଟି ହୋଇଛି। ପ୍ରଦର୍ଶନ, ମାର୍ଗଦର୍ଶନ ଅଥବା ‌ନେତୃତ୍ବ ସେ ହେଉଛନ୍ତି ସିଏସ୍‌କେର ସ୍ପନ୍ଦନ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ’’। ଫ୍ଲେମିଂ ମଧ୍ୟ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଦୀପକ ଚହରଙ୍କୁ ପ୍ରଶଂସା କରିଥିଲେ। ପ୍ରଥମ ମ୍ୟାଚ୍‌ରେ ପ୍ରଭାବହୀନ ପ୍ରଦର୍ଶନ କରିବା ପରେ ଦ୍ବିତୀୟରେ ମାତ୍ର ୧୩ ରନ୍ ଦେଇ ୪ ୱିକେଟ୍ ନେବା ଦୀପକଙ୍କ ଏକାଗ୍ରତା ଓ ଅନନ୍ୟ ପ୍ରତିଭାକୁ ଦର୍ଶାଉଛି ବୋଲି ସେ କହିଥିଲେ। ଗତ ଦୁଇଟି ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡ୍‌ଙ୍କୁ ଫ୍ଲେମିଂ ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର