କୋହଲିଙ୍କ ଫର୍ମ ଫେରିବାରେ ଧୋନି ସାହାଯ୍ୟ କରିଥିଲେ: ରାମଦିନ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୨୦୧୪ ଇଂଲଣ୍ଡ ଗସ୍ତ ଭଲ ନଥିଲା। ପୂରା ଟେଷ୍ଟ୍‌ ଶୃଙ୍ଖଳାରେ କୋହଲି ୫ ମ୍ୟାଚ୍‌ ଖେଳି ୧୩.୪୦ ହାରରେ ମାତ୍ର ୧୩୪ ରନ୍‌ କରିଥିଲେ। ତାଙ୍କ ଜୀବନର ଏହା ସବୁଠୁ ଖରାପ ପ୍ରଦର୍ଶନ ବୋଲି କୋହଲି ମଧ୍ୟ କହିଛନ୍ତି। ଏହି ଖରାପ ସମୟରୁ କୋହଲିଙ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉଦ୍ଧାର କରିଥିଲେ ବୋଲି ଭେଟେରାନ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଦୀନେଶ ରାମଦିନ କହିଛନ୍ତି। ଭାରତ ବିପକ୍ଷ ୨୦୧୪ ଦିିନିକିଆ ଶୃଙ୍ଖଳା ମନେ ପକାଇ ରାମଦିନ ଏକ ସାକ୍ଷାତକାରରେ କହିଛନ୍ତି ଯେ କୋହଲିଙ୍କୁ ଫର୍ମ ଫେରିପାଇବାରେ ଧୋନି ସାହାଯ୍ୟ କରିଥିଲେ।
ଇଂଲଣ୍ଡରେ ଖରାପ ପ୍ରଦର୍ଶନ ପରେ କୋହଲି ଆମ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିଥିଲେ। ଆମେ ତାଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ରେ ଶସ୍ତାରେ ଆଉଟ୍‌ କରିଥିଲୁ। ପ୍ରଥମ ମ୍ୟାଚ୍‌ରେ କୋହଲି ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ଧୋନି ତାଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ ଛାଡ଼ିଥିଲେ। ଏହି ମ୍ୟାଚ୍‌ରେ ସେ ୬୨ ରନ୍‌ କରି ଫର୍ମକୁ ଫେରିଥିଲେ। ତୃତୀୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ଚତୁର୍ଥ ମ୍ୟାଚ୍‌ରେ ସେ ପୁଣି ତୃତୀୟ ସ୍ଥାନକୁ ଫେରି ଶତକ ଅର୍ଜନ କରିଥିଲେ ବୋଲି ରାମଦିନ ପ୍ରକାଶ କରିଛନ୍ତି। ଧୋନି ତାଙ୍କୁ ବାଦ୍‌ ଦେଇନଥିଲେ। କୋହଲିଙ୍କୁ କହିଥିଲେ ‘ତୁମକୁ ୩ ନମ୍ବର ପରିବର୍ତ୍ତେ ୪ କିମ୍ବା ୫ରେ ବ୍ୟାଟିଂ ପଠାଇବି’। ଗୋଟିଏ ମ୍ୟାଚ୍‌ରେ ଧୋନି ଏପରି କରୁକରୁ କୋହଲି ସେହି ମ୍ୟାଚ୍‌ରେ ଅର୍ଧଶତକ ହାସଲ କରିଥିଲେ। କୋହଲି ଫର୍ମ ଫେରି ପାଇଥିଲେ ବୋଲି ରାମଦିନ କହିଛନ୍ତି।

ଧୋନିଙ୍କ ଅଧିନାୟକତ୍ୱ ବିଷୟରେ ପୂର୍ବତନ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ପୁଣି କହିଛନ୍ତି ଯେ ଖେଳାଳିଙ୍କୁ ବାଦ୍‌ ନଦେଇ ବୁଝିବା ହେଉଛି ଗୁରୁତ୍ବପୂର୍ଣ୍ଣ। ବିଫଳତା ସତ୍ବେ ବିରାଟଙ୍କୁ ଧୋନି ସମର୍ଥନ କରିଥିଲେ। ମୁଁ ଭାବୁଛି କୋହଲି ଏବେ ସର୍ବଶ୍ରେଷ୍ଠ ଖେଳାଳି ହେବାକୁ ଯାଉଛନ୍ତି। ଏଥିପାଇଁ ଧୋନିଙ୍କୁ ବହୁତ ଶ୍ରେୟ ଦେବାକୁ ପଡ଼ିବ ବୋଲି ରାମଦିନ କହିଛନ୍ତି। ଧୋନି ଜଣେ ଅଦ୍ଭୁତ ମଣିଷ। ଧୋନି ସର୍ବଦା କହୁଥିଲେ ଯେ କେବଳ କ୍ରିକେଟ୍‌ ପଡ଼ିଆର ସଫଳତା ନୁହେଁ। ନମ୍ର ସେବକ କିମ୍ବା ମହାନ ମଣିଷ ଭାବରେ ସ୍ମରଣୀୟ ହେବାକୁ ଚାହାଁନ୍ତି। ମୁଁ ଭାବୁଛି ଏହା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ରାମଦିନ କହିଛନ୍ତି। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ୟୁଏଇରେ ଆୟୋଜିତ ହେବ। ନିକଟରେ ଅବସର ନେଇଥିବା ଧୋନି ଏହି ପ୍ରତିଯୋଗିତାରେ ସିଏସ୍‌କେ ପକ୍ଷରୁ ଖେଳିବେ।

ସମ୍ବନ୍ଧିତ ଖବର