କଟକ: ମହେନ୍ଦ୍ର ସିଂହ ଧୋନି କଟକକୁ କେବଳ ମ୍ୟାଚ୍ ଖେଳିବାକୁ ଆସିଥିବା ସମସ୍ତେ ଜାଣିଛନ୍ତି। ହେଲେ ମଙ୍ଗଳାବାଗରେ ଜଣେ ସାଥୀ ଖେଳାଳିଙ୍କ ସମ୍ପର୍କୀୟଙ୍କ ଘରକୁ ସେ କିଛି ସମୟ ପାଇଁ ଆସିଥିବା ଖବର ଖୁବ୍ କମ୍ ଲୋକଙ୍କ ପାଖରେ ଅଛି। କେବଳ ଧୋନି ନୁହଁନ୍ତି, ଭାରତୀୟ ଦଳର ଆଉ ୪ ଜଣ ସଦସ୍ୟ ମଧ୍ୟ ଏକାସଙ୍ଗରେ ଆସି ଏଠାରେ ରାତ୍ରିଭୋଜନ କରିଥିଲେ। ଯେଉଁଥିପାଇଁ ପୂର୍ବତନ ଭାରତୀୟ ଖେଳାଳି ତଥା ବାମହାତୀ ସ୍ପିନର ପ୍ରଜ୍ଞାନ ଓଝାଙ୍କ ମାମୁଁଙ୍କ ଘର ସେସମୟରେ ସ୍ଥାନୀୟ ଲୋକଙ୍କ ଭିତରେ ବେଶ୍ ଚର୍ଚ୍ଚିତ ହୋଇଯାଇଥିଲା। ମଙ୍ଗଳାବାଗ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା କିଶୋର କ୍ଲବ୍ର ସମ୍ପାଦକ ନୃସିଂହ ଚୌଧୁରୀ ହେଉଛନ୍ତି ପ୍ରଜ୍ଞାନ ଓଝାଙ୍କ ମାମୁଁ। ସ୍ଥାନୀୟ ଅଞ୍ଚଳରେ ସେ ବୁଲୁ ନାମରେ ପରିଚିତ। ୨୦୦୮ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ ପୂର୍ବରୁ ସମସ୍ତ ୫ ଆନ୍ତର୍ଜାତିକ ଖେଳାଳିଙ୍କ ପାଦ ଏକାଠି ନୃସିଂହଙ୍କ ମଙ୍ଗଳାବାଗ ନିଲକମଲ ପାଟଣାସ୍ଥିତ ଘରେ ପଡ଼ିଥିଲା। ମ୍ୟାଚ୍ ପୂର୍ବଦିନ ଅର୍ଥାତ୍ ନଭେମ୍ବର ୨୫ ତାରିଖରେ ପ୍ରଜ୍ଞାନଙ୍କ ସହ ଧୋନି, ରବିନ ସିଂହ, ଭେଙ୍କଟେଶ ପ୍ରସାଦ ଓ ମୁନାଫ ପଟେଲ ଏକ ସ୍କୋଡା କାର୍ରେ ଆସି ନୃସିଂହଙ୍କ ଘରେ ପହଞ୍ଚିଥିଲେ। ଭୁବନେଶ୍ବରରେ ରହୁଥିବା ହୋଟେଲ୍ରୁ ବାହାରିବା ପୂର୍ବରୁ ପ୍ରଜ୍ଞାନ ଏବିଷୟରେ ମାମୁଁ ନୃସିଂହଙ୍କ ସହିତ ଆଲୋଚନା କରିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ନୃସିଂହ ମଧ୍ୟ ଏସଂକ୍ରାନ୍ତରେ ମଙ୍ଗଳାବାଗ ଥାନାକୁ ଅବଗତ କରାଇଥିଲେ। ଯାହାଫଳରେ ଏହି ଆନ୍ତର୍ଜାତିକ ଖେଳାଳିମାନେ ମଙ୍ଗଳାବାଗରେ ପହଞ୍ଚିବା ବେଳକୁ ଡିସିପି ଅମିତେନ୍ଦ୍ରନାଥ ସିହ୍ନାଙ୍କ ନେତୃତ୍ବରେ ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସେଠାରେ ନିୟୋଜିତ ହୋଇସାରିଥିଲେ।
ପରିବାର ଲୋକଙ୍କ ସହ ଫଟୋ ଉଠାଇଲେ, ଅଟୋଗ୍ରାଫ ଦେଲେ
ପୋଷା କୁକୁର ଚିନିର ପ୍ରଶଂସା କଲେ
ଧୋନିଙ୍କ ପରବର୍ତ୍ତୀ ଜୀବନକୁ ଜଗନ୍ନାଥ ଓ ମଙ୍ଗଳା ସହାୟ ହୁଅନ୍ତୁ: ନୃସିଂହ
ଧୋନି ନିଜେ ଗାଡ଼ି ଚଳାଇଥିଲା ବେଳେ ପ୍ରଜ୍ଞାନ ତାଙ୍କୁ ଆଗ ସିଟ୍ରେ ବସି ରାସ୍ତା ଦେଖାଇଥିଲେ। ସଂଧ୍ୟା ପ୍ରାୟ ସାଢେ ୭ଟା ବେଳେ ମଙ୍ଗଳାବାଗରେ ପହଞ୍ଚିଥିଲେ। ନିଜ ଘର ଭଳି ସେମାନେ ଘରେ ପ୍ରବେଶ କରିଥିଲା ବେଳେ ନୃସିଂହଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଘରର ପ୍ରତି ସଦସ୍ୟଙ୍କ ସହ ଖେଳାଳିମାନେ ହସଖୁସିରେ ମିଶିଯାଇଥିଲେ। ଧୋନି ଜଣେ ଶାନ୍ତ, ସରଳ ପିଲା ଭଳି ବ୍ୟବହାର କରୁଥିଲେ। ଭାରତୀୟ ଦଳର ଏତେଜଣ ତାରକା ଖେଳାଳିଙ୍କୁ ଦେଖିବାକୁ ସାହି ପଡ଼ିଶା ଲୋକମାନଙ୍କର ଭିଡ଼ ଜମିଯାଇଥିଲା। ଗେଟ୍ ବାହାରେ ଏତେ ଭିଡ଼ ହେଲା ଯେ ପୁଲିସ୍କୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା। ସେତେବେଳେ ନୃସିଂହଙ୍କର ଏକ ପୋଷା କୁକୁର ‘ଚିନି’ ଘରେ ରହୁଥିଲା। ତା’ର ଭୁକିବା ଶୁଣି ଧୋନି ମଧ୍ୟ ତାହାର ଜଣେ ପ୍ରଶଂସକ ପାଲଟି ଯାଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ଧୋନି କହୁଥିଲେ ‘ଇସ୍କୋ ଖୋଲ୍ ସବ୍କୋ ସମ୍ଭାଲ୍ଦେଗା’। ପ୍ରକୃତରେ ତାହାହିଁ ହେଲା, ଚିନିକୁ ଖୋଲିଦିଆଯିବା ମାତ୍ରେ ଲୋକ କ’ଣ ପୁଲିସ୍ ବି ଗେଟ୍ ପାଖରେ ଛିଡ଼ା ହେବାକୁ ଡରିଯାଇଥିଲେ।
ନୃସିଂହଙ୍କ ପାଇଁ ସଚିନ ତେନ୍ଦୁଲକର ପଠାଇଥିବା ଭାରତୀୟ ଖେଳାଳିଙ୍କ ଅଟୋଗ୍ରାଫ ସମ୍ବଳିତ ବ୍ୟାଟ୍। ଏହାକୁ ଏମ୍ଏସ୍ ଧୋନି ଓ ପ୍ରଜ୍ଞାନ ଓଝା ମିଳିତ ଭାବେ ନୃସିଂହଙ୍କୁ ହସ୍ତାନ୍ତର କରିଥିଲେ।
ତେବେ ହୋଟେଲ ଖାଦ୍ୟ ଖାଇଖାଇ ଆଉ ଭଲ ଲାଗୁନଥିବାରୁ ଘରୋଇ ଖାଦ୍ୟ ଖାଇବା ପାଇଁ ସେମାନେ ଅଗ୍ରହ ପ୍ରକାଶ କରିଥିଲେ। ତେଣୁ ତାଙ୍କ ପାଇଁ ସ୍ନାକ୍ସ, ଜଳଖିଆ କିଛି ଦେବା ପରେ ରାତ୍ରି ଭୋଜନରେ ରୁଟି, ପନିର ଇତ୍ୟାଦି ଖାଇଥିଲେ। ଖାଇସାରିବା ପରେ ଧୋନିଙ୍କ ସହ ଅନ୍ୟମାନେ ରୋଷେଇର ପ୍ରଶଂସା ମଧ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଧୋନିଙ୍କ ବନ୍ଧୁ ତଥା ଓଡ଼ିଶା ରଣଜୀ ଖେଳାଳି ରଶ୍ମୀରଂଜନ ଦାସ ମଧ୍ୟ ତାଙ୍କ ଘରେ ପହଞ୍ଚିଯାଇଥିଲେ। ଏକାଠି କିଛି ସମୟ ବିତାଇବା ପରେ ନୃସିଂହଙ୍କ ପରିବାର ତଥା ପାଖ ବନ୍ଧୁମାନଙ୍କୁ ସେମାନେ ଅଟୋଗ୍ରାଫ ଦେଇଥିଲେ ଓ ଫଟୋ ଉଠାଇଥିଲେ। ଏଥିମଧ୍ୟରେ ସଚିନ୍ ତେନ୍ଦୁଲକର ପଠାଇଥିବା ଭାରତୀୟ ଦଳର ସଦସ୍ୟମାନଙ୍କ ଅଟୋଗ୍ରାଫ ସମ୍ବଳିତ ଏକ ବ୍ୟାଟ୍କୁ ପ୍ରଜ୍ଞାନ ଓ ଧୋନି ମିଳିତ ଭାବେ ନୃସିଂହଙ୍କୁ ଉପହାର ଦେଇଥିଲେ। ଯାହା ଏବେ ବି ନୃସିଂହଙ୍କ ଘରେ ଶୋଭାପାଉଛି। ବ୍ୟାଟ୍ରେ ସଚିନ୍ ଲେଖିଥିଲେ ‘ଟୁ ବୁଲୁ ମାମା’। ରାତ୍ରି ଭୋଜନ ସାରିବା ପରେ ପାଖାପାଖି ୯ଟା ୧୫ ମିନିଟ୍ ବେଳକୁ ସେମାନେ ଭୁବନେଶ୍ବର ବାହାରିଯାଇଥିଲେ। ଏସଂକ୍ରାନ୍ତରେ ନୃସିଂହ କହିଛନ୍ତି ଯେ ଭାଗୀରଥି ଯେମିତି ଗଙ୍ଗାକୁ ଆଣି ପୃଥିବୀକୁ ପବିତ୍ର କରିଥିଲେ, ଠିକ୍ ସେମିତି ପ୍ରଜ୍ଞାନ ଧୋନିଙ୍କୁ ଆଣି ଆମ ଘରକୁ ପବିତ୍ର କରିଦେଇଛନ୍ତି। ପ୍ରତ୍ୟେକ ଖେଳାଳି ତ ଖେଳିବା ପରେ ଅବସର ନେବେ, କିନ୍ତୁ ଧୋନିଙ୍କ ଅବସର ବହୁତ ପ୍ରଶଂସକଙ୍କୁ ଧକ୍କା ଦେଇଛି। ତଥାପି ଧୋନିଙ୍କ ପରବର୍ତ୍ତୀ ଜୀବନକୁ ପ୍ରଭୁ ଜଗନ୍ନାଥ ଓ ମା’ ମଙ୍ଗଳା ସହାୟ ହୁଅନ୍ତୁ ବୋଲି ନୃସିଂହ ପ୍ରାର୍ଥନା କରିଛନ୍ତି।