ବ୍ରାଡମ୍ୟାନ୍‌ଙ୍କ କର୍ନେଲ କ୍ଲବ୍‌ରେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ପଡ଼ିଆରେ କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ସାର୍ ଡନ୍ ବ୍ରାଡମ୍ୟାନ୍‌ଙ୍କ ଖେଳ କୃତିତ୍ବର ସମକକ୍ଷ ନୁହଁନ୍ତି। କିନ୍ତୁ ବ୍ରାଡମ୍ୟାନ୍ ଥିବା ଏକ ବିରଳ କ୍ଲବ୍‌ରେ ଧୋନି‌ ସାମିଲ ହେବାକୁ ଯାଉଛନ୍ତି। ‌ଜୁଲାଇ ୩୧ ତାରିଖରେ ସେ ଟେରିଟୋରିଆଲ ଆର୍ମିର ୧୦୬ ପାରାଚୁଟ୍ ବାହିନୀରେ ଯୋଗଦେବେ ଏବଂ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କଶ୍ମୀରରେ ରହି ଯବାନଙ୍କ ଗହଣରେ ପାଟ୍ରୋଲିଂ କରିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାମରିକ ପୋଷ୍ଟକୁ ଜଗିବା ଦାୟିତ୍ବ ତୁଲାଇବେ। ବିଶ୍ବ କ୍ରିକେଟରେ ଜଣେ ଖେଳାଳି ଲେଫ୍ଟନାଣ୍ଟ୍‌ କର୍ନେଲ ଭୂମିକା ପାଇବା ଆଦୌ ନୂଆ ନୁହେଁ। କିନ୍ତୁ ଅପରେସନ୍‌ରେ ନିଯୁକ୍ତ ହେବା ସମ୍ପୂର୍ଣ୍ଣ ନୂଆ। ପୂର୍ବରୁ ଭାରତୀୟଙ୍କ ମଧ୍ୟରେ ହୋଲକର ଶାସକଙ୍କ ନିମନ୍ତ୍ରଣ କ୍ରମେ ୧୯୨୩ ମସିହାରେ ଭାରତର ପ୍ରଥମ ଟେଷ୍ଟ୍‌ ଅଧିନାୟକ କୋଟାରି କଣକାୟା ନାୟୁଡୁଙ୍କୁ କର୍ନେଲ ସମ୍ମାନ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ ଟେଷ୍ଟ୍‌ ପଦାର୍ପଣ ବିଳମ୍ବିତ ହେବାରୁ ଲେଫ୍ଟନାଣ୍ଟ୍ କର୍ନେଲ ହେମୁ ଅଧିକାରୀ ତାଙ୍କ ସମୟର ୪୭ ଟେଷ୍ଟରୁ ୨୧ଟି‌ ଖେଳିପାରିଥିଲେ। ପରେ ପରେ ଚନ୍ଦ୍ରଶେଖର ଗଡ଼କରି, ନାରାୟଣ ସ୍ବାମୀ, ରମଣ ସୁରେନ୍ଦ୍ରନାଥ, ଅପୂର୍ବ ସେନଗୁପ୍ତା ଏବଂ ଭେଙ୍କଟପ୍ପା ମୁଦିଆ ମଧ୍ୟ କ୍ରିକେଟରରୁ କର୍ନେଲ ଉପାଧି ପାଇଥିଲେ।

କିନ୍ତୁ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍ ଡନ୍ ବ୍ରାଡମ୍ୟାନ୍‌ ବର୍ଷକ ପାଇଁ ଲେଫ୍ଟନାଣ୍ଟ୍ କର୍ନେଲ ରହିଥିଲେ। ୧୯୪୦ ଜୁନ୍‌ ମାସରେ ଅଷ୍ଟ୍ରେଲିଆ ବାୟୁସେନାରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଆର୍ମିକୁ ବଦଳି ହୋଇଥିଲା। କିଛିଦିନ ପରେ ସେ ଲେଫ୍ଟନାଣ୍ଟ୍ କର୍ନେଲ ଭାବେ ଦାୟିତ୍ବ ତୁଲାଇଥିଲେ। କିନ୍ତୁ ୧୯୪୧ ଜୁନ୍‌ରେ ପିଠି ସମସ୍ୟାରେ ପଡ଼ିବାରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା। ଇଂଲଣ୍ଡର ସାର୍ ଲେନ୍ ହଟନ୍ ମଧ୍ୟ ନିଜର ୨୩ରୁ ୨୯ତମ ଜନ୍ମଦିନ ମଧ୍ୟରେ ଆର୍ମି ଫିଜିକାଲ ଟ୍ରେନିଂ କର୍ପସର ସର୍ଜେଣ୍ଟ୍ ଇନଷ୍ଟ୍ରକ୍ଟର ଥିଲେ। ଏବେ ମହେନ୍ଦ୍ର ସିଂହ ଧୋନି ସେହି କର୍ମରେଖାରେ ଚାଲିଥିଲେ ମଧ୍ୟ ଦେଶର ଯୁଦ୍ଧକାଳୀନ ପରିସ୍ଥିତିରେ ବ୍ୟବହୃତ ହେବା ସମ୍ଭାବନା କମ୍‌। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ କିନ୍ତୁ ବହୁ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ଯୁଦ୍ଧରେ ପ୍ରତ୍ୟେକ୍ଷ ଭାବେ ଅବତୀର୍ଣ୍ଣ ହୋଇଥିଲେ। ବ୍ରାଡମ୍ୟାନଙ୍କୁ ସର୍ବାଧିକ ୮ ଥର ଆଉଟ୍‌ କରିଥିବା ଇଂଲଣ୍ଡ ସ୍ପିନର୍ ହେଡଲେ ଭେରିଟି ଯୁଦ୍ଧବନ୍ଦୀ ଭାବେ କ୍ଷତାକ୍ତ ଅବସ୍ଥାରେ ୧୯୪୩ ମସିହାରେ ପ୍ରାଣତ୍ୟାଗ କରିଥିଲେ।

ସୂଚନାଯୋଗ୍ୟ, ୩୮ ବର୍ଷୀୟ ଧୋନି ୨୦୧୧ ମସିହାରେ ଭାରତୀୟ ସେନାରେ ଲେପ୍ଟନାଣ୍ଟ କର୍ନେଲ ଭାବେ ଯୋଗ ଦେଇଥିଲେ। ଏହା ପରେ ବିଭିନ୍ନ ସମୟରେ ସେ ସେନାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସାମରିକ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ଭାରତୀୟ କ୍ରିକେଟ୍ ଦଳ ବିଶ୍ବକପର ସେମିଫାଇନାଲରୁ ବିଦାୟ ନେବା ପରେ ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଓହରି ଯାଇଛନ୍ତି।

ସମ୍ବନ୍ଧିତ ଖବର