ଧୋନିଙ୍କ ସେନା କାର୍ଯ୍ୟକାଳ ସରିଲା

ନୂଆଦିଲ୍ଲୀ: ଟେରିଟୋରିଆଲ୍ ଆର୍ମିରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୧୫ ଦିନିଆ କାର୍ଯ୍ୟକାଳ ଶେଷ ହୋଇଛି। ଏହି ଅବସରରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ସେନା ବାହିନୀ ସହ ବିଭିନ୍ନ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ ଯଥା ପାଟ୍ରୋଲିଂ, ପୋଷ୍ଟ ଜଗିବା ଆଦି କରିବା ବ୍ୟତୀତ ସ୍ଥାନୀୟ ପିଲାଙ୍କ ସହ କ୍ରିକେଟ୍ ଖେଳି ଧୋନି ବେଶ୍ ଲୋକପ୍ରିୟତା ସାଉଣ୍ଟି ଥିଲେ। ସେ ମଧ୍ୟ ଖାଲି ସମୟରେ ଯବାନଙ୍କ ସହ ଭଲିବଲ୍ ଖେଳୁଥିବାର ଦେଖିବାକୁ ମିଳିଥିଲେ। ୩୭ ବର୍ଷୀୟ ଧୋନି କଶ୍ମୀରରୁ ଫେରି ଏବେ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ସହ ଦିଲ୍ଲୀରେ ଅଛନ୍ତି। ଭାରତୀୟ କ୍ରିକେଟ୍ ଦଳ ବିଶ୍ବକପ୍‌ ସେମିଫାଇନାଲରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ପରେ ଧୋନି ଦୁଇ ମାସ ପାଇଁ କ୍ରିକେଟ୍ ଖେଳରୁ ଦୂରେଇ ଯାଇଥିଲେ। ସେଥିମଧ୍ୟରୁ ୧୫ ଦିନ ଟେରିଟୋରିଆଲ୍ ଆର୍ମି ସହ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ଧୋନି ଟେରିଟୋରିଆଲ୍ ଆର୍ମିର ଅବୈତନିକ ଲେପଟାଣ୍ଟ କର୍ନେଲ ଅଛନ୍ତି। ଧୋନିଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୫ର ସ୍ବାଧୀନତା ଦିବସରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର