ମୁମ୍ବାଇ: ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟର ସ୍ମାରକୀକୁ ଉଦ୍ଘାଟନ କରାଯାଇଛି। ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ୨୦୧୧ ଏପ୍ରିଲ୍ ୨ ତାରିଖରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଜୟସୂଚକ ଛକା ମାରିଥିଲେ। ଉକ୍ତ ବଲ୍ଟି ଯେଉଁଠାରେ ପଡିଥିଲା, ଗ୍ୟାଲେରିର ସେହି ସ୍ଥାନକୁ ବିଶ୍ବକପ୍ ସ୍ମାରକୀ କରାଯାଇଛି। ଚଳିତ ଆଇପିଏଲ୍ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଖେଳିବାକୁ ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ୱାଙ୍ଖ୍ଡେରେ ପହଞ୍ଚିବା ପରେ ମୁମ୍ବାଇ କ୍ରିକେଟ୍ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଧୋନି ଉକ୍ତ ସ୍ମାରକୀକୁ ଉଦ୍ଘାଟନ କରିଥିଲେ। ପରେ ମୁମ୍ବାଇ ସଂଘର କର୍ମକର୍ତ୍ତାମାନେ ବିଜୟୀ ଛକାର ଫଟୋକୁ ମଧ୍ୟ ଉପହାର ସୂତ୍ରରେ ଧୋନିଙ୍କୁ ପ୍ରଦାନ କରିଥିଲେ। ସେହି ଫାଇନାଲ୍ରେ ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୨୭୬ ରନ୍ର ଲକ୍ଷ୍ୟକୁ ଭାରତ ପିଛା କରୁଥିଲା ବେଳେ ଧୋନିଙ୍କ ଅପରାଜିତ ୯୧* ରନ୍ ସହାୟତାରେ ଭାରତ ମ୍ୟାଚ୍ ଜିତିନେଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp