ଚେନ୍ନାଇ: ରବିବାର ରାତିଠୁ ଏମିତି ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ଯେ କ୍ରିକେଟ୍‌ପ୍ରେମୀଙ୍କୁ ଖୁସି କରି ଦେଇଛି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପରେ ଚେପକ୍‌ରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ‘ଲ୍ୟାପ୍ ଅଫ୍ ଅନର୍‌’ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଶଂସକଙ୍କୁ ଧୋନି କିଛି ଉପହାର ବଣ୍ଟନ କରିଥିଲେ। ଚେପକର ଏହି ସୁନ୍ଦର ମୁହୂର୍ତକୁ ଦେଖି ପ୍ରଶଂସକମାନେ ମଧ୍ୟ ଥାଲାଙ୍କୁ ଶେଷ ସମ୍ମାନ ଦେବା ଭଳି ଲାଗୁଥିଲା। ଏହି ଉତ୍ସବ ସମୟରେ ପଡ଼ିଆର କିଛି ଦୂରରେ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ପୂର୍ବତନ ଇଂଲଣ୍ଡ କ୍ରିକେଟର୍‌ କେଭିନ୍ ପିଟରସନ୍‌ଙ୍କ ସହ ଷ୍ଟାର ସ୍ପୋର୍ଟସ ପାଇଁ ଆଲୋଚନା କରୁଥିଲେ। ଧୋନିଙ୍କୁ ପାଖରେ ଯିବାର ଦେଖି ଗାଭାସ୍କର ତୁରନ୍ତ କାର୍ଯ୍ୟକ୍ରମ ଅଧାରୁ ଚାଲିଯାଇ ଧୋନିଙ୍କଠାରୁ ନିଜେ ପରିଧାନ କରିଥିବା ଜର୍ସିର ଛାତିରେ ଅଟୋଗ୍ରାଫ୍‌ ଦେବାକୁ ଧୋନିଙ୍କୁ ଅନୁରୋଧ କରିଥିଲେ। ଏହି ସମୟର ଫଟୋଟି ଏବେ ଭାଇରାଲ୍ ହୋଇଛି।

Advertisment

ଏହି ଅବସରରେ ଗାଭାସ୍କର କହିଥିଲେ ‘ଖେଳାଳିଙ୍କ ଚେପକ ପରିକ୍ରମା ଦେଖି ମୁଁ ତୁରନ୍ତ ଏକ କଲମ ଉଦ୍ଧାର ଆଣିଥିଲି। ନିଜ ପାଖରେ ରଖିଥିଲି, ଧୋନିଙ୍କ ଅଟୋଗ୍ରାଫ୍ ପାଇଁ’। ଏକଥା ମଧ୍ୟ ଗାଭାସ୍କର କହିଥିଲେ ‘ଧୋନିଙ୍କୁ ବା କିଏ ଭଲ ନପାଏ ? ବର୍ଷ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍ ପାଇଁ ଅନେକ କିଛି କରିଛନ୍ତି। ତାଙ୍କ ଭଳି ‌ରୋଲ୍ ମଡେଲଙ୍କୁ ମୁଁ ଭଲ ପାଏ। ଦେଶର ଅନେକ ଯୁବ ପିଢ଼ି ତାଙ୍କୁ ଅନୁସରଣ କରି କ୍ରିକେଟ୍ ଖେଳିଛନ୍ତି। ନିଜକୁ ସେ ଯେଭଳି ପରିଚାଳିତ କରିଛନ୍ତି ତାହା ଅତ୍ୟନ୍ତ ଗୁରୁ୍ତ୍ବପୂର୍ଣ୍ଣ।’ ‌ସୁନିଲ ଗାଭାସ୍କର ଦୌଡ଼ି ଆସି ଧୋନିଙ୍କ ଅଟୋଗ୍ରାଫ୍ ନେବା ଘଟଣା କିନ୍ତୁ ମାହିଙ୍କୁ କ୍ରିକେଟ୍‌ ପ୍ରେମୀଙ୍କ ନଜରରେ ଲିଜେଣ୍ଡ୍ ଅଫ୍ ଲିଜେଣ୍ଡ୍ସ କରି ଦେଇଛି ନିଶ୍ଚିତ।