ଧୋନିଙ୍କୁ ଶୂନରେ ଆଉଟ୍‌: ଲକ୍ଷ୍ମଣ, ସେହବାଗ, ଯୁବିଙ୍କ ୱି‌କେଟ୍‌ ଭୁଲିନାହାନ୍ତି ଦୀପକ ମଙ୍ଗରାଜ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ରୁ ବାହାରିଥିବା ଦ୍ରୁତ ବୋଲରଙ୍କ ଧାରାର ଅନ୍ୟତମ ପ୍ରଚଣ୍ଡ ପ୍ରତିଭାଧାରୀ ଥିଲେ ଦୀପକ ମଙ୍ଗରାଜ। ବାରବାଟୀ ଷ୍ଟାଡିୟମ୍‌ରେ ହିମାଚଳପ୍ରଦେଶ ବିପକ୍ଷ ପଦାର୍ପଣ ରଣଜୀ ଟ୍ରଫି ମ୍ୟାଚ୍‌ରେ ୧୧/୧୧୧ ବୋଲିଂ ଚିତ୍ର ସହ ଘରୋଇ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ ଏହି ଆଉଟ୍‌ ସୁଇଙ୍ଗର୍‌। ସୀମିତ ସୁଯୋଗ କାରଣରୁ ବିଶେଷ ଆଗକୁ ବଢ଼ି ପାରିନଥିଲେ ମଧ୍ୟ ବେଶ ସ୍ମୃତି ସାଉଁଟିଥିଲେ। ଲକ୍‌ଡାଉନ୍ ଅବସରରେ ନିଜ ସମସାମୟିକ ମହାନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ଏକଦା ପ୍ରଥମ ବଲ୍‌ ଶୂନରେ ଆଉଟ୍ କରିବା ଘଟଣାକୁ ମନେ ପକାଇଛନ୍ତି। ମହାନ ବ୍ୟାଟସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କ ୱିକେଟ୍‌ ଦଖଲ ଲାଗି ଧୋନିଙ୍କ ପରାମର୍ଶ ଏବେ ବି ଦୀପକଙ୍କ ମନରେ ତାଜା ରହିଛି। ଶୁକ୍ରବାର ‘ସମ୍ବାଦ’ ସହିତ କଥାହେବା ବେଳେ ଦୀପକ ବଖାଣିଥିଲେ ଏଭଳି ଅନେକ ପୁରୁଣା ସ୍ମୃତି।

କିଂବଦନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ବିପକ୍ଷରେ ମୁଁ ଖେଳ ଜୀବନରେ ଦୁଇ ଥର ଖେଳିବା ସ‌ୁଯୋଗ ପାଇଛି। ୨୦୦୪-୦୫ ଋତୁରେ ଓଡ଼ିଶା ପାଇଁ ଖେଳୁଥିବା ବେଳେ ଉଭୟ ଥର ତାଙ୍କୁ ଆଉଟ୍‌ କରିଥିବାରୁ ନିଜକୁ ଭାଗ୍ୟବାନ ମଣୁଛି ବୋଲି କହିଥିଲେ ଦୀପକ। ଥରେ ରଣଜୀ ଟ୍ରଫିରେ ଏବଂ ଥରେ ଦିନିକିଆରେ। ୨୦୦୪ ଡିସେମ୍ବର ମାସରେ ଜାମସେଦପୁରଠାରେ ରଣଜୀ ଟ୍ରଫିରେ ଦୀପକଙ୍କ ବୋଲିଂରେ ମହେନ୍ଦ୍ର ସିଂହ ଧୋନି (୧୨୮) ସଂଜୟ ରାଉଳଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଓଡ଼ିଶା ଏହି ମ୍ୟାଚ୍‌ କିନ୍ତୁ ହାରିଯାଇଥିଲା। ଗୋଟିଏ ମାସ ପରେ କୋଲକାତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଦିନିକିଆ ବେଳେ ଧୋନିଙ୍କୁ କିନ୍ତୁ ଖାତା‌ ଖୋଲିବାକୁ ଦେଇନଥିଲେ ଦୀପକ। ଝାଡ଼ଖଣ୍ଡ ପାଳିର ଦ୍ବିତୀୟ ଓଭର ବୋଲିଂ କରିଥିବା ଦୀପକ ଧୋନିଙ୍କୁ ପ୍ରଥମ ବଲ୍‌ ଶୂନରେ ବୋଲ୍‌ଡ କରି ଦେଇଥିଲେ। ଏହି ଦୁଇ ମୁହୂର୍ତକୁ ଏବେ ବି ମନେ ପକାନ୍ତି ଦୀପକ। ଯାଦବପୁର ବିଶ୍ବବିଦ୍ୟାଳୟ ପଡିଆରେ ବଲ୍ କିଭଳି ଧୋନିଙ୍କ ବ୍ୟାଟ୍‌କୁ ପରାସ୍ତ କରିଥିଲା ମନରେ ତାଜା ରହିଛି। ରଣଜୀ ଟ୍ରଫିର ପରାଜୟ କିନ୍ତୁ ଦିନିକିଆରେ ବିଜୟ କାରଣରୁ ମଧୁର ପ୍ରତିଶୋଧ ଆଣି ଦେଇଥିଲା ବୋଲି କୁହନ୍ତି ଦୀପକ।

ଦୀପକଙ୍କ ୱିକେଟ୍‌ ଥଳିରେ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା ବେଳେ ଯୁବରାଜ ସିଂହ, ‌ଦେଓଧର ଟ୍ରଫିରେ ଉତ୍ତରାଞ୍ଚଳ ବିପକ୍ଷ ମ୍ୟାଚ୍‌ ବେଳେ ବୀରେନ୍ଦ୍ର ସେହବାଗ ଏବଂ କେନ୍ଦ୍ରାଞ୍ଚଳ ବିପକ୍ଷ ମ୍ୟାଚ୍‌ ବେଳେ ମହମ୍ମଦ କୈଫଙ୍କ ୱିକେଟ୍‌ ମଧ୍ୟ ପଡ଼ିଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ମଧ୍ୟ ବାଂଲାଦେଶ ବିପକ୍ଷ ଦଲିପ ଟ୍ରଫି ମ୍ୟାଚ୍‌ ଖେଳିଥିଲେ। ଏଥି ସହ ମୋ ସ୍ବପ୍ନ ସାକାର ହୋଇଥିଲା ବୋଲି ମଧ୍ୟ ଦୀପକ ପ୍ରକାଶ କରିଥିଲେ। ବାଂଲାଦେଶ ଅଧିନାୟକ ମହମ୍ମଦ ଆଶ୍ରଫୁଲଙ୍କ ୱିକେଟ୍ ବି ନେଇଥିଲେ। ଗାଙ୍ଗୁଲି ଏବଂ ଧୋନି ମୋ ସବୁଠୁ ପସନ୍ଦର ଅଧିନାୟକ ବୋଲି କହିଥିଲେ ଏହି ୩୭ ବର୍ଷୀୟ ପୂର୍ବତନ କ୍ରିକେଟର୍‌। ଧୋନି ଭାରତୀୟ କ୍ରିକେଟର୍‌ ଜଣେ କିଂବଦନ୍ତି ବ୍ୟକ୍ତି, ତାଙ୍କ ସହ ବଂଧୁତା ଓ ମାର୍ଗଦର୍ଶନ ମୋତେ ବେଶ ଉତ୍ସାହିତ କରିଥିଲା ବୋଲି ଦୀପକ ପ୍ରକାଶ କରିଥିଲେ।
‘ଧୋନିଙ୍କ ୱିକେଟ୍‌ ନିଶ୍ଚିତ ମୋ ଖେଳ ଜୀବନର ଅଭୂଲା ମୁହୂର୍ତ ହୋଇ ରହିବ। କିନ୍ତୁ ସେହି ଧୋନିଙ୍କ ସହ ମିଶି ଭିଭିଏସ୍ ଲକ୍ଷ୍ମଣଙ୍କ ୱିକେଟ୍ ନେବାକୁ ହୋଇଥିବା ଚକ୍ରବ୍ୟୁହ ରଚନା‌ ମୋ ମନରେ ଏବେ ବି ତାଜା ରହିଛି। ୨୦୦୪-୦୫ ଋତୁରେ ଅହମ୍ମଦାବାଦର ମୋଟେରାରେ ପୂର୍ବାଞ୍ଚଳ ବନାମ ଦକ୍ଷିଣାଞ୍ଚଳ ଦେଓଧର ଟ୍ରଫି ମ୍ୟାଚ୍‌ରେ ଲକ୍ଷ୍ମଣଙ୍କ ୱିକେଟ୍ ନେବାକୁ ଧୋନି ହିଁ ମୋତେ ପ୍ରେରିତ କରିଥିଲେ। ଦେବାଙ୍ଗ ଗାନ୍ଧୀଙ୍କ ନେତୃତ୍ବରେ ପୂର୍ବାଞ୍ଚଳ ଖେଳୁଥିଲେ ମଧ୍ୟ ଧୋନି ମୋ‌ତେ ନିଜର ସ୍ବାଭାବିକ ଆଉଟ୍ ସୁଇଙ୍ଗର ପକାଇବାକୁ କହିଥିଲେ। ଲକ୍ଷ୍ମଣ କଭର ଅଞ୍ଚଳକୁ‌ ଖେଳିବାକୁ ଭଲପାଆନ୍ତି। ତେଣୁ ସେଭଳି ବୋଲିଂ କର କହିବା ପରେ ଧୋନି ହିଁ ୱିକେଟ୍ ପଛପଟେ କ୍ୟାଚ୍‌ ନେଇଥିଲେ। ଦକ୍ଷିଣାଞ୍ଚଳ ଅଧିନାୟକ ଥିବା ଲକ୍ଷ୍ମଣ ମାତ୍ର ୫ ରନ୍ କରିପାରିଥିଲେ’ ବୋଲି ଦୀପକ ପ୍ରକାଶ କରିଥିଲେ। ଏହ‌ି ମ୍ୟାଚ୍‌ରେ ଦୀନେଶ କାର୍ତିକଙ୍କ ୱିକେଟ୍ ମଧ୍ୟ ନେଇଥିଲେ ଦୀପକ। ଦକ୍ଷିଣାଞ୍ଚଳର ୨୮୦ ରନ୍ ଜବାବରେ ପୂର୍ବାଞ୍ଚଳ କିନ୍ତୁ ଦୀପକଙ୍କ ଲଢ଼ୁଆ ବ୍ୟାଟିଂ (୧୮*, ୧୧ ବଲ୍‌) ସତ୍ତ୍ବେ ୧୩ ରନ୍‌ରେ ହାରିଯାଇଥିଲା। ପ୍ରାରମ୍ଭିକ‌ ଯୋଡ଼ି ଶିବସୁନ୍ଦର ଦାସ (୧) ଏବଂ ମହେନ୍ଦ୍ର ସିଂହ ଧୋନି (୦) ବିଫଳ ହୋଇଥିବା ବେଳେ ଅନ୍ୟତମ ଓଡ଼ିଆ ନିରଂଜନ ବେହେରା ପାଳିର ସର୍ବାଧିକ ୭୩ ରନ୍ କରିଥିଲେ।

ଓଡ଼ିଶା ପାଇଁ ମାତ୍ର ୩ ଋତୁ ଖେଳିଥିବା ଦୀପକ ୧୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୬୦ ଏବଂ ୧୫ ଲିଷ୍ଟ୍ ‘ଏ’ରୁ ୧୬ ୱିକେଟ୍ ନେଇଥିଲେ। ପୂର୍ବତଟ ରେଳବାଇରେ କ୍ରୀଡ଼ା ନିରୀକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ମଙ୍ଗରାଜ ମଧ୍ୟ ଓଡ଼ିଶା କ୍ରିକେଟ୍ ସଂଘର ଅନ୍ୟତମ ଚୟନକର୍ତା ଅଛନ୍ତି। ପୁରୁଣା ଭୁବନେଶ୍ବର ରାମେଶ୍ବର‌ ସ୍ପୋର୍ଟିଂ କ୍ଲବ୍‌ର ସମ୍ପାଦକ ଦାୟିତ୍ବ ବି ତୁଲାଉଛନ୍ତି। ତାଙ୍କ ପ୍ରଶିକ୍ଷିତ ସାନ ଭାଇ ଦ୍ରୁତ ବୋଲର ଆଲୋକ ମଙ୍ଗରାଜ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୨୨ ମ୍ୟାଚ୍‌ରୁ ୫୦ ୱିକେଟ୍‌‌ ନେଇଛନ୍ତି। ମଙ୍ଗରାଜ ଭାଇଙ୍କୁ କିନ୍ତୁ ଟପି ଯାଇଛନ୍ତି ଦୀପକଙ୍କ ପ୍ରଶିକ୍ଷିତ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି। ରାଜେଶ ଏସିଆ କପ୍‌ ବିଜେତା କନିଷ୍ଠ ଭାରତୀୟ ଦଳର ସଦସ୍ୟ ହେବା ସହ ଓଡ଼ିଶା ପାଇଁ ବିଗତ ୨ ଋତୁ ହେବ ଖେଳି ଆସୁଛନ୍ତି। ମାତ୍ର ୧୭ ମ୍ୟାଚ୍‌ରୁ ୭୨ ୱିକେଟ୍ ଦଖଲ କରିସାରିଛନ୍ତି ନୟାଗଡ଼ ଜିଲ୍ଲାର ଏହି ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌।

ସମ୍ବନ୍ଧିତ ଖବର