ବାଏ ବାଏ ଭାରତ, ହ୍ୟାଲୋ ଆଇପିଏଲ୍ : ୟୁଏଇରେ ରାଜୁତି କରିବାକୁ ଧୋନି ପ୍ରସ୍ତୁତ

୧୯୦ ମ୍ୟାଚ୍, ୨୩ ଅର୍ଧଶତକ, ୪୪୩୨ ରନ୍, ୩ ଆଇପିଏଲ୍ ଟ୍ରଫି, ୫ଥର ଉପବିଜେତା

ଦୁବାଇ : ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲ୍‌-୧୩ର ପ୍ରଥମ ମ୍ୟାଚ୍‌ରେ ଶନିବାର ଦୁଇ ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଚେନ୍ନାଇର ୩୯ ବର୍ଷୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବର୍ଷକ ପରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳିବେ। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଥିବାରୁ ସମ୍ଭବତଃ ଆଇପିଏଲ୍‌ ହିଁ ଧୋନିଙ୍କ ପାଇଁ ନିଜ ଦକ୍ଷତାକୁ ପରିପ୍ରକାଶ କରିବାର ଏକମାତ୍ର ମାଧ୍ୟମ। ଧୋନି ମଧ୍ୟ ଏଥିଲାଗି ପ୍ରସ୍ତୁତ ହୋଇ ସାରିଲେଣି। କୋଭିଡ୍-୧୯ ସଙ୍କଟ ପାଇଁ ସୃଷ୍ଟି ହୋଇଥିବା ଅପ୍ରତ୍ୟାଶିତ ଆହ୍ବାନକୁ ପ୍ରତିହତ କରି ୟୁଏଇରେ ରାଜୁତି କରିବା ଲକ୍ଷ୍ୟ ନେଇ ସେ ପଡ଼ିଆକୁ ଓହ୍ଲାଇବେ। ଧୋନି ଆଉ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ମିଳିବେ ନାହିଁ। ଏଣୁ ଏଥରର ଆଇପିଏଲ୍‌ରେ ତାଙ୍କ ଖେଳ ଦେଖିବାକୁ ପ୍ରଶଂସକ ମଧ୍ୟ ଚାତକ ଭଳି ଚାହିଁ ରହିଛନ୍ତି।

୨୦୦୭ରେ ଭାରତକୁ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ କରାଇବା ପର ବର୍ଷ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଧୋନି ଆରମ୍ଭରୁ ଚେନ୍ନାଇର ନେତୃତ୍ବ ନେଇ ଆସିଛନ୍ତି। ତାଙ୍କ ପାଇଁ ଚେନ୍ନାଇ ମଧ୍ୟ ଆଇପିଏଲ୍ ଇତିହାସର ଅନ୍ୟତମ ସଫଳ ଦଳ ହୋଇପାରିଛି। ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଦୁର୍ନୀତି ଅଭିଯୋଗରେ ଦଳ ଦୁଇ ବର୍ଷ ପାଇଁ ବାସନ୍ଦ ହେବା ବ୍ୟକ୍ତିଗତ ଭାବେ ଧୋନିଙ୍କ ପାଇଁ ବଡ଼ ଝଟକା ଥିଲା। ‌ହେଲେ ସେ ପୁଣି ଥରେ ନିଜ ପ୍ରିୟ ଦଳର ନେତୃତ୍ବ ନେଇ ତାକୁ ବିଜେତା କରିରାଇବାର ଅନନ୍ୟ ସଫଳତା ଲାଭ କରିଥିଲେ।

NDTV Sports

ଧୋନିଙ୍କ ଉପରେ ସମସ୍ତଙ୍କ ନଜର
ସିଏସ୍‌କେ ଅଭ୍ୟାସର ଇନ୍‌ଷ୍ଟାଗ୍ରାମ ସିଧାପ୍ରସାରଣରେ ଧୋନିଙ୍କୁ ଦେଖିବାକୁ ଅନୁରୋଧ କଲେ ସାକ୍ଷୀ

ଧୋନି ଆଇପିଏଲ୍‌ରେ ୧୯୦ ମ୍ୟାଚ୍ ଖେଳିଛନ୍ତି। ୨୩ ଅର୍ଧଶତକ ସହ ସେ ୪୪୩୨ ରନ୍ କରିଛନ୍ତି। ତାଙ୍କ ପାଇଁ ଚେନ୍ନାଇର ସ୍ବତନ୍ତ୍ର ପ୍ରଶଂସକ କ୍ଲବ୍ ଥିଲା ବେଳେ ଟ୍ବିଟରରେ ଏହି ଦଳକୁ ୨ ଲକ୍ଷରୁ ଅଧିକ ଲୋକ ଅନୁଧାବନ କରୁଛନ୍ତି। ଧୋନି ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇର ନେତୃତ୍ବ ନେବେ ବୋଲି ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ କାଶି ବିଶ୍ବନାଥ ଘୋଷଣା କରି ସାରିଛନ୍ତି। ଏଣୁ ତାଙ୍କ ଉପରେ ଯେ ଦଳୀୟ ଅଧିକାରୀଙ୍କର ଅଗାଧ ବିଶ୍ବାସ ରହିଛି, ଏଥିରୁ ତାହା ପ୍ରମାଣିତ ହେଉଛି। ପୂର୍ବତନ କ୍ରିକେଟର୍‌ ତଥା ପ୍ରତିଷ୍ଠିତ ଭାଷ୍ୟକାର ଆକାଶ ଚୋପ୍ରାଙ୍କ ମତରେ ଧୋନି ହେଉଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ସବୁଠାରୁ ବଡ଼ ଶକ୍ତି। ଅନ୍ୟତମ ଲୋକପ୍ରିୟ ଭାଷ୍ୟକାର ହର୍ଷ ଭୋଗଲେ ମଧ୍ୟ ଚୋପ୍ରାଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି, ଧୋନି ହେଉଛନ୍ତି ଚେନ୍ନାଇ, ଚେନ୍ନାଇ ହେଉଛି ଧୋନି, ଧୋନି ସଫଳ ହେଲେ ଚେନ୍ନାଇ ସଫଳ ହେବ, ଧୋନି ବିଫଳ ହେଲେ ଚେନ୍ନାଇ ବି ବିଫଳ ହେବ। ଏଥରର ଆଇପିଏଲ୍ କିନ୍ତୁ ଧୋନିଙ୍କ ପାଇଁ ନୂଆ ଆହ୍ବାନ ନେଇଆସିଛି। ଚେନ୍ନାଇ ଦଳରେ ୩୫ ବର୍ଷରୁ ଅଧିକ ଅନେକ ଖେଳାଳି ଅଛନ୍ତି। ନିଜ ଅଭିଜ୍ଞ ଓ ବୟସ୍କ ଦଳକୁ ଧୋନି ପୂର୍ବର ଚମକ ଦେଖାଇ ପାରୁଛନ୍ତି ନା ନାହିଁ, ତାହା ଦେଖିବାକୁ କ୍ରିକେଟ୍ ପଣ୍ଡିତ ପୂରା ବ୍ୟଗ୍ର ଅଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ୩ ଥର ବିଜେତା ହୋଇଥିଲା ବେଳେ ପାଞ୍ଚ ଥର ଉପବିଜେତା ହୋଇଛି। ଦଳ ମଧ୍ୟ ଦୁଇ ଥର ଚାମ୍ପିଅନ୍ସ ଲିଗ୍ ଟ୍ବେଣ୍ଟି-୨୦ ଟ୍ରଫି ଜିତିଛି। ଏହି ମହାନ ତାରକା ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୯ ବିଶ୍ବକପ୍ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ।

ଧୋନିଙ୍କ ଉପରେ ସମସ୍ତଙ୍କ ନଜର
ଗତ ଅଗଷ୍ଟ ୧୫ ତାରିଖରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଇଥିବା ମହେନ୍ଦ୍ର ସିଂହ ଧୋନି ପ୍ରାୟ ଗୋଟିଏ ବର୍ଷରୁ ଅଧିକ ହେଲାଣି କ୍ରିକେଟ୍‌ ଖେଳିନାହାନ୍ତି। ତେ‌ବେ ଚେନ୍ନାଇ ସୁପର କିଙ୍ଗ୍‌ସର ଏହି ଲୋକପ୍ରିୟ ଅଧିନାୟକ ଆଇପିଏଲ୍‌ ଖେଳିବାକୁ ଢେର ପ୍ରସ୍ତୁତି କରିଛନ୍ତି। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତାଙ୍କ ହେଲିକପ୍ଟର ସର୍ଟ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି। ଏଥର ସୁରେଶ ରାଇନା ଓ ହରଭଜନ ସିଂହ ଓହରି ଯାଇଥିବାରୁ ଦଳ ସାମାନ୍ୟ ସନ୍ତୁଳନ ହରାଇଥିବା ଆଲୋଚନା ହେଉଛି। ତଥାପି ସେନ୍‌ ୱାଟ୍‌ସନ୍‌, ଅମ୍ବାତି ରାୟୁଡୁ, କେଦାର ଯାଦବ, ଡ୍ବେନ୍‌ ବ୍ରାଭୋ, ଫାଫ୍‌ ଡୁପ୍ଲେସିସ୍‌ ଏବଂ ରବୀନ୍ଦ୍ର ଜାଦେଜାଙ୍କ ପ୍ରଦର୍ଶନ ବଳରେ ଚେନ୍ନାଇ ଆଗକୁ ବଢ଼ିପାରିବ ବୋଲି ବିଶ୍ବାସ ରଖିଛି। ପୁଣି ସାମ୍‌ କରନ୍‌ ଓ ଜୋସ୍‌ ହାଜ୍‌ଲେଉଡ୍‌ ଆରମ୍ଭରୁ ଖେଳିବାକୁ ବଞ୍ଚିତ ହେଲେ ମଧ୍ୟ ମିଚେଲ ସାଣ୍ଟନର ଓ ଲୁଙ୍ଗି ଏନ୍‌ଗିଡ଼ି ବିଦେଶୀ ଖେଳାଳିଙ୍କ ସ୍ଥାନ ନେଇପାରିବେ। ଚେନ୍ନାଇ ମଧ୍ୟ ଏଥରର ବିଜେତା ହେବାର ପସନ୍ଦରେ ରହିଛି।

ସିଏସ୍‌କେ ଅଭ୍ୟାସର ଇନ୍‌ଷ୍ଟାଗ୍ରାମ ସିଧାପ୍ରସାରଣରେ ଧୋନିଙ୍କୁ ଦେଖିବାକୁ ଅନୁରୋଧ କଲେ ସାକ୍ଷୀ
ନୂଆଦିଲ୍ଲୀ : ବର୍ତ୍ତମାନ କ୍ରିକେଟରେ ସଂପୂର୍ଣ୍ଣ ମନୋନିବେଶ କରିଥିବାରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ଦେଖାକରିବା ଏତେ ସହଜ ନୁହେଁ। ଏପରିକି ତାଙ୍କର କିଛି ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ମଧ୍ୟ ଏବିଷୟରେ ଅବଗତ ଅଛନ୍ତି। ତେଣୁ ଏଭଳି ସମୟରେ ଆଉ କିଛି ଉପାୟ ନଥିବାରୁ ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି। ସିଏସ୍‌କେ ଅଭ୍ୟାସ ବେଳେ ଏହାକୁ ଇନ୍‌ଷ୍ଟାଗ୍ରାମରେ ସିଧାପ୍ରସାରଣ କରୁଥିବା ବେଳେ ସାକ୍ଷୀ ଦଳର ପ୍ରବନ୍ଧକ ରସେଲ ରାଧାକୃଷ୍ଣନଙ୍କୁ ଧୋନିଙ୍କ ଝଲକ ଦେଖିବାକୁ ଅନୁରୋଧ କରିଥିଲେ। ଭିଡିଓରେ ପ୍ରଥମ ଜବାବ ଭାବେ ସାକ୍ଷୀ, ଧୋନିଙ୍କୁ ଦେଖିବା ପାଇଁ ଅନୁରୋଧ କରିଥିଲେ। ଏହାପରେ କ୍ୟାମେରାକୁ ତୁରନ୍ତ ଧୋନିଙ୍କ ଆଡ଼କୁ ବୁଲାଇ ଦିଆଯାଇଥିଲା। ଧୋନିଙ୍କୁ ସ୍କ୍ରିନ୍‌ରେ ଦେଖିବା ପରେ ସାକ୍ଷୀ ଧନ୍ୟବାଦ ଜଣାଇଥିଲେ। ଧୋନି ଶେଷଥର ପାଇଁ ଗତବର୍ଷ ବିଶ୍ବକପ୍‌ ସେମି ଫାଇନାଲ୍‌ ଖେଳୁଥିବା ଦେଖାଯାଇଥିଲେ। ଏବେ ପାଖାପାଖି ୧୪ ମାସ ପରେ ସେ କ୍ରିକେଟକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର