‘ଧୋନି ସ୍ବତନ୍ତ୍ର, ତାଙ୍କ ଭଳି କେହି ହୋଇ ପାରିବେନି’

ରାଇନାଙ୍କ ‘ଦ୍ବିତୀୟ ଧୋନି’ ମନ୍ତବ୍ୟର ଉତ୍ତର ଦେଲେ ରୋହିତ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା କିଛି ଦିନ ତଳେ ସାଥୀ ଖେଳାଳି ତଥା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ‘ଦ୍ବିତୀୟ ଧୋନି’ର ଆଖ୍ୟା ଦେଇଥିଲେ। ରୋହିତ ଏବେ ରାଇନାଙ୍କର ସେହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଇନାଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ ମଧ୍ୟ ଜଣେ ଖେଳାଳିଙ୍କୁ ଅନ୍ୟ ଜଣେ ଖେଳାଳିଙ୍କ ସହ ତୁଳନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି। ”ରାଇନା ଏଭଳି କଥା କହିଥିବା ମୁଁ ଶୁଣିଛି। ଧୋନି ହିଁ କେବଳ ଧୋନି ହୋଇ ପାରିବେ। ସେ ସ୍ବତନ୍ତ୍ର , ତାଙ୍କ ଭଳି ଅନ୍ୟ କେହି ହୋଇ ପାରିବେନି। ମୁଁ ଭାବୁଛି ଏଭଳି ତୁଳନା କରାଯାଇ ନପାରେ। ପ୍ରତ୍ୟେକ ବ୍ୟକ୍ତି ଅନ୍ୟଠାରୁ ଅଲଗା। ସମସ୍ତଙ୍କର ନିଜସ୍ବ ଦକ୍ଷତା ଓ ଦୁର୍ବଳତା ଥାଏ” ‌ବୋଲି ରୋହିତ ନିଜ ଟ୍ବିଟର ପୃଷ୍ଠାରେ ଏକ ଭିଡିଓ ପ୍ରକାଶ କରି ମତ ରଖିଛନ୍ତି।

ରୋହିତ ଆଇପିଏଲ୍ ଇତିହାସର ସଫଳତମ ଅଧିନାୟକ। ତାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଥର ଆଇପିଏଲ୍ ବିଜେତା ହୋଇଛି। ସେପଟେ ଧୋନି ମଧ୍ୟ ଆଇପିଏଲ୍‌ର ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଅଧିନାୟକତ୍ବରେ ଚେନ୍ନାଇ ସୁପରକିଙ୍ଗ୍ସ ତିନି ଥର ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ରୋହିତ ଓ ଧୋନି ଅନେକ ଥର ଆଇପିଏଲ୍‌ରେ ମୁହାଁମୁହିଁ ହୋଇଛନ୍ତି। ଗତ ବର୍ଷ କିନ୍ତୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଫାଇନାଲରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଥିଲା। ଆଇପିଏଲ୍ ସହ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ରୋହିତ ନିଜ ଅଧିନାୟକ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ଏବେସୁଦ୍ଧା ସେ ୧୦ ମ୍ୟାଚ୍‌ରେ ଭାରତର ଅଧିନାୟକ ଦାୟିତ୍ବ ତୁଲାଇ ସାରିଛନ୍ତି। ସେଥିମଧ୍ୟରୁ ୮ ମ୍ୟାଚ୍ ଜିତିଛନ୍ତି। ଏଣୁ ଅଧିନାୟକ ଭାବେ ତାଙ୍କ ସଫଳତା ପ୍ରତିଶତ ହେଉଛି ୮୦। ‌ଯାହା ଅତ୍ୟନ୍ତ ଭଲ ବୋଲି କହିଲେ ଆଦୌ ଭୁଲ ହେବନି। ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସହ ନେତୃତ୍ବ ସଫଳତାକୁ ଆଖି ଆଗରେ ରଖି ରାଇନା କହିଥିଲେ ଯେ ମୁଁ କହିପାରିବି, ରୋ‌ହିତ ଭାରତୀୟ ଦଳ ପାଇଁ ଦ୍ବିତୀୟ ଧୋନି ହୋଇ ପାରିବେ। ତାଙ୍କୁ ମୁଁ ଅତି ନିକଟରୁ ଦେଖିଛି। ସେ ଶାନ୍ତ, ଅନ୍ୟମାନଙ୍କ କଥା ଶୁଣିବାକୁ ଭଲ ପାଆନ୍ତି, ସାଥୀ ଖେଳାଳିଙ୍କ ଉପରେ ଭରସା ଦେଖାଇବା ସହ ସେମାନଙ୍କ ଆତ୍ମବିଶ୍ବାସ ବଢ଼ାଇବାକୁ ସେ ଅହରହ ପ୍ରୟାସ କରିଥା’ନ୍ତି। ସବୁଠାରୁ ବଡ଼ କଥା ହେଲା ରୋହିତ ଆଗରେ ରହି ନେତୃତ୍ବ ନେବାକୁ ଭଲ ପାଆନ୍ତି। ଡେସିଂ ରୁମ୍ ପରିବେଶକୁ ସବୁବେଳେ ସମ୍ମାନ ଜଣାନ୍ତି। ନିଜ ଅଧିନାୟକ ପାଖରୁ ଜଣେ ଖେଳାଳି ଏହା ହିଁ ଆଶାକରେ। ସୂଚନାଯୋଗ୍ୟ ଯେ ରାଇନା ଉଭୟ ଧୋନି ଓ ରୋହିତଙ୍କ ଅଧିନାୟକତ୍ବରେ କ୍ରିକେଟ୍ ଖେଳିଛନ୍ତି। ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ସେ ‌ଧୋନିଙ୍କ ନେତୃତ୍ବରେ ଖେଳନ୍ତି। ସେପଟେ ୨୦୧୮ ନିଦାହାସ ଟ୍ରଫିରେ ରୋହିତଙ୍କ ଅଧୀନରେ ଖେଳିଥିଲେ। ରୋହିତଙ୍କ ପାଖରେ ଧୋନିଙ୍କ ଝଲକ ଦେଖିଥିବା କଥା ସେ ନିଜର ଏହି ଅଭିଜ୍ଞତାରୁ କହିଥିଲେ।

ସମ୍ବନ୍ଧିତ ଖବର