ସାଙ୍ଗାକାରା, ମ୍ୟାକ୍‌ଲମ୍‌ ଓ ବୌଚରଙ୍କ ତୁଳନାରେ ଧୋନିଙ୍କୁ ଶ୍ରେଷ୍ଠ‌ ୱିକେଟରକ୍ଷକ ବାଛିଲେ ଗିଲକ୍ରିଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ତଥା ୱିକେଟରକ୍ଷକ ଆଦାମ ଗିଲକ୍ରିଷ୍ଟ ତାଙ୍କର ଶ୍ରେଷ୍ଠ ୱିକେଟରକ୍ଷକଙ୍କୁ ଚୟନ କରିଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ହିଁ ସର୍ବାଧିକ ପସନ୍ଦ କରିଛନ୍ତି। କେବଳ ଧୋନି ନୁହଁନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ନ୍ୟୁଜିଲାଣ୍ଡର ବ୍ରେଣ୍ଡନ୍‌ ମ୍ୟାକଲମ୍‌ ଓ ଦକ୍ଷିଣ ଆଫ୍ରିକାର ମାର୍କ ବୌଚରଙ୍କୁ ମଧ୍ୟ ଏହି ତାଲିକାରେ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠଙ୍କୁ ବାଛିବା ପାଇଁ କୁହାଯିବାରୁ ଧୋନିଙ୍କୁ ହିଁ ସର୍ବଶ୍ରେଷ୍ଠ ବୋଲି ଗିଲ୍‌କ୍ରିଷ୍ଟ୍‌ ବାଛିଛନ୍ତି। ଧୋନିଙ୍କ ପଛକୁ ସାଙ୍ଗାକାରା ଓ ମ୍ୟାକଲମ୍‌ଙ୍କୁ ରଖିଥିବା ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଗିଲକ୍ରିଷ୍ଟ ମତ ରଖିଛନ୍ତି।

ଯଦିଓ ବାଉଚର ଅଳ୍ପ ସମୟ ପାଇଁ ଖେଳିଛନ୍ତି, କିନ୍ତୁ ସେ ଉଚ୍ଚକୋଟୀର ପ୍ରଦର୍ଶନ ଦେଉଥିଲେ। ହେଲେ ସମସ୍ତଙ୍କ ମଧ୍ୟରୁ ଧୋନିଙ୍କ ପ୍ରଶଂସକଙ୍କ ସଂଖ୍ୟା ଅଧିକ। ଯଦିଓ ସେ ସର୍ବାଧିକ ଆଉଟ କରିବାରେ ବିଶ୍ବର ତିନିନମ୍ବର ସ୍ଥାନରେ ଅଛନ୍ତି, କିନ୍ତୁ ତାଙ୍କର ଖେଳିବା ଓ ନେତୃତ୍ବ ନେବା ଶୈଳୀ ତାଙ୍କୁ ସମସ୍ତଙ୍କଠୁ ଭିନ୍ନ କରାଇପାରିଛି। ଧୋନି ତାଙ୍କ ସମୟରେ ୬୩୪ କ୍ୟାଚ୍‌ ଓ ୧୯୫ ଷ୍ଟମ୍ପିଂ କରିଛନ୍ତି। ଅନ୍ୟପକ୍ଷରେ ଦିନିକିଆରେ ସେ ୫୦.୮୩ ହାରରେ ୧୦୭୭୩ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୧ ଦିନିକିଆ ବିଶ୍ବକପ୍‌ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ବିଜେତା ହୋଇଥିଲା। ତେବେ ଜଣେ କ୍ରିକେଟର ଭାବେ ଧୋନିଙ୍କୁ ଖେଳୁଥିବା ବେଳେ ଦେଖିବାକୁ ବହୁତ ଭଲ ଲାଗେ। ଏକ ଚମତ୍କାର ଶତକ ମାରି ସମସ୍ତଙ୍କ ନଜରକୁ ଆସିଥିଲେ। ସେବେଠାରୁ ଲୋକମାନେ ତାଙ୍କୁ ଭଲପାଇବା ଦେଇଆସୁଛନ୍ତି ଓ ତାଙ୍କ ଖେଳିବା ଶୈଳୀକୁ ଅନୁକରଣ କରୁଛନ୍ତି। ଏପରିକି ଯେଉଁଭଳି ଭାବେ ସେ ନିଜକୁ ନିୟନ୍ତ୍ରଣରେ ରଖନ୍ତି, ତାହା ଅସାଧାରଣ ବୋଲି କୁହାଯାଇପାରିବ। କେବଳ ପଡ଼ିଆରେ ନୁହେଁ ପଡ଼ିଆ ବାହାରେ ମଧ୍ୟ ସେ ତାଙ୍କର ଶାନ୍ତ ସ୍ବଭାବ ପାଇଁ ପରିଚିତ। ତାଙ୍କଠାରୁ ଅନେକ କିଛି ଶିଖିବାର ଅଛି। କ୍ରିକେଟରେ ସେ ଯେଉଁ ଛାପ ଛାଡ଼ିଯାଇଛନ୍ତି, ତାହା ଦୀର୍ଘ ସମୟ ପାଇଁ ତାଙ୍କୁ ମନେରଖିବ ବୋଲି ଗିଲକ୍ରିଷ୍ଟ କହିଛନ୍ତି। ଗତବର୍ଷର ଦିନିକିଆ ବିଶ୍ବକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ହିଁ ତାଙ୍କୁ ଶେଷଥର ପାଇଁ‌ ଦେଖିବାକୁ ମିଳିଥିଲା। ତଥାପି ୟୁଏଇରେ ହେବାକୁଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ଦଳର ନେତୃତ୍ବ ନେଉଥିବା ଦେଖିବାକୁ ମିଳିବ। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର