ଡି’ଭିଲିୟର୍ସଙ୍କ ସର୍ବକାଳୀନ ଆଇପିଏଲ୍‌ ଏକାଦଶରେ ଧୋନି ଅଧିନାୟକ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାରକା ଏବି ଡି’ଭିଲିୟର୍ସ ନିଜର ସର୍ବକାଳୀନ ଆଇପିଏଲ୍‌ ଏକାଦଶ ବାଛିଛନ୍ତି। ଆଉ ସେଥିରେ ନିଜ ଆର୍‌ସିବି ଅଧିନାୟକ ବିରାଟ କୋହଲି ଏବଂ ୫ ଥର ବି‌ଜେତା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ରଖି ସେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୩ ଥର ବିଜେତା କରାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ମ‌ନୋନୀତ କରିଛନ୍ତି। ତେବେ ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳ ଖେଳାଳି ସୁରେଶ ରାଇନା ଓ ଲସିତ୍‌ ମାଲିଙ୍ଗାଙ୍କୁ ସ୍ଥାନ ଦେଇନାହାନ୍ତି। ଧୋନି ଏବେ ବି ସର୍ବଶ୍ରେଷ୍ଠ ଅଧିନାୟକ ବୋଲି ଡିଭିଲିୟର୍ସ କହିଛନ୍ତି। ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିଲା ବେଳେ ଡିଭିଲିୟର୍ସ ତାଙ୍କର ସର୍ବକାଳୀନ ଏକାଦଶ ଘୋଷଣା କରିଛନ୍ତି। ଗତରାତିରେ ମୁଁ ମୋ ପସନ୍ଦର ଦଳ ଘୋଷଣା କରିବାକୁ ଚିନ୍ତା କରିଥିଲି। ସେଥିରେ ନିଜକୁ ମଧ୍ୟ ସାମିଲ କରିଛି। ତେବେ ବୀରେନ୍ଦ୍ର ସେହବାଗ୍‌ ଓ ରୋହିତ ଶର୍ମାଙ୍କୁ ଓପ୍‌ନର ଭାବେ ଚାହାନ୍ତି ବୋଲି ଡିଭିଲିୟର୍ସ କହିଛନ୍ତି। କୋହଲିଙ୍କୁ ତୃତୀୟ, କେନ୍‌ ୱିଲିୟମ୍‌ସନ୍‌ କିମ୍ବା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଚତୁର୍ଥରେ ବ୍ୟାଟିଂ ପାଇଁ ବାଛିଥିଲା ବେଳେ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଧୋନି ଓ ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟକ୍ରମରେ ରଖିଛନ୍ତି। ବୋଲିଂକ୍ରମରେ ସେ ୩ ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଥିଲା ବେଳେ ଏକମାତ୍ର ସ୍ପିନର ଭାବେ ରସିଦ୍‌ ଖାନ୍‌ଙ୍କୁ ନେଇଛନ୍ତି।

ଡି’ଭିଲିୟର୍ସଙ୍କ ଆଇପିଏଲ୍‌ ଏକାଦଶ: ବୀରେନ୍ଦ୍ର ସେହବାଗ୍‌, ରୋହିତ ଶର୍ମା, ବିରାଟ କୋହଲି, କେନ୍‌ ୱିଲିୟମ୍‌ସନ୍‌/ଷ୍ଟିଭ୍‌ ସ୍ମିଥ୍‌/ଏବି ଡି’ଭିଲିୟର୍ସ, ବେନ୍‌ ଷ୍ଟୋକ୍ସ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ/ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ରସିଦ୍‌ ଖାନ୍‌, ଭୁବନେଶ୍ବର କୁମାର, କାଗି‌ସୋ ରବାଦା ଓ ଯଶ୍‌ପ୍ରୀତ୍‌ ବୁମ୍‌ରା।

ସମ୍ବନ୍ଧିତ ଖବର