ଦିନିକିଆରେ ଅଧିନାୟକ ଭାବେ ସର୍ବାଧିକ ରନ୍ ପଣ୍ଟିଂ ୧, ଧୋନି ୨

ରିକି ପଣ୍ଟିଂ: ୨୩୦ ମ୍ୟାଚ୍, ୮୪୯୭ ରନ୍, ମହେନ୍ଦ୍ର ସିଂହ ଧୋନି: ୨୦୦ ଦିନିକିଆ, ୬୬୪୧ ରନ୍

ନୂଆଦିଲ୍ଲୀ: ଅଧିନାୟକ ପଦ ତା’ ସହ ଆଣିଥାଏ ଅତୁଳନୀୟ ଦାୟିତ୍ବ ଓ ଚାପ। ହେଲେ କ୍ରିକେଟ୍ ଇତିହାସରେ ଏମିତି କିଛି ତାରକା ଅଛନ୍ତି, ଯେଉଁମାନେ ଏହି ଅତିରିକ୍ତ ଦାୟିତ୍ବକୁ ସଫଳତାର ସହ ତୁଲାଇବା ସାଙ୍ଗକୁ ନିଜ ବ୍ୟକ୍ତିଗତ ପ୍ରଦର୍ଶନକୁ ମଧ୍ୟ ନୂଆ ସ୍ତରରେ ପହଞ୍ଚାଇଛନ୍ତି।

ଦିନିକିଆ କ୍ରିକେଟ୍‌ରେ ଅଧିନାୟକ ଭାବେ ଓ ବ୍ୟକ୍ତିଗତ ସ୍ତର, ଏହି ଦୁଇ କ୍ଷେତ୍ରରେ ଅନନ୍ୟ ସଫଳତା ଲାଭ କରିଥିବା ଖେଳାଳି ହେଲେ ଭାରତର ଅନ୍ୟତମ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ସହ ଆଉ ୪ ଜଣ ଖେଳାଳି ଯଥା ରିକି ପଣ୍ଟିଂ, ଷ୍ଟିଫେନ୍ ଫ୍ଲେମିଂ, ଅର୍ଜୁନ ରଣତୁଙ୍ଗା ଓ ଗ୍ରେମ୍ ସ୍ମିଥ୍ ମଧ୍ୟ ଉଭୟ ଦାୟିତ୍ବରେ ନିଜ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ଅଧିନାୟକ ଭାବେ ସର୍ବାଧିକ ରନ୍ କରିଥିବା ଶୀର୍ଷ ୫ ଖେଳାଳିଙ୍କ ମଧ୍ୟରେ ରିକି ପଣ୍ଟିଂ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଧୋନି, ଦ୍ବିତୀୟ, ଫ୍ଲେମିଂ ତୃତୀୟ, ରଣତୁଙ୍ଗା ଚତୁର୍ଥ ଓ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି।

ରିକି ପଣ୍ଟିଂ: ୨୩୦ ମ୍ୟାଚ୍, ୮୪୯୭ ରନ୍
କ୍ରିକେଟ୍ ଇତିହାସର ଅନ୍ୟତମ ମହାନ ତାରକା ହେଉଛନ୍ତି ରିକି ପଣ୍ଟିଂ। ଅଷ୍ଟ୍ରେଲିଆକୁ ବଳିଷ୍ଠ ନେତୃତ୍ବ ଦେବାରେ ସେ ବିଶ୍ବାସ କରୁଥିଲେ। ନିଜ ଅଧିନାୟକତ୍ବ କାଳରେ ପଣ୍ଟିଂ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ସଫଳତାର ନୂଆ ସ୍ଥରରେ ପହଞ୍ଚାଇଥିଲେ। କେବଳ ଅଧିନାୟକ ଭାବେ ନୁହେଁ, ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରି ସେ ନିଜ ଦଳର ଖେଳାଳିଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ। ଅଧିନାୟକ ପଦ ମିଳିବା ପରେ ହିଁ ତାଙ୍କ ପ୍ରଦର୍ଶନରେ ଆଶାତୀତ ଉନ୍ନତି ଘଟିଥିଲା। ପଣ୍ଟିଂ ୨୦୦୨ରୁ ୨୦୧୨ ମଧ୍ୟରେ ୨୩୦ ଦିନିକିଆରେ କଙ୍ଗାରୁ ଦଳର ନେତୃତ୍ବ ନେଇ ୪୨.୯୧ ହାରରେ ୮୪୯୭ ରନ୍ କରିଥିଲେ। ସେଥିମଧ୍ୟରେ ୨୨ ଶତକ ଓ ୫୧ ଅର୍ଧଶତକ ଥିଲା। ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୧୬୪। ଯାହାକୁ ସେ ୨୦୦୬ ମସିହାରେ ଜୋହାନେସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ।

ମହେନ୍ଦ୍ର ସିଂହ ଧୋନି: ୨୦୦ ଦିନିକିଆ, ୬୬୪୧ ରନ୍
ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ସୀମିତ ଓଭର କ୍ରିକେଟ୍‌ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ମଧ୍ୟରୁ ଜଣେ। ନିଜ ଅଧିନାୟକତ୍ବ ସମୟରେ ଧୋନିଙ୍କ ବ୍ୟାଟ୍ ଅନେକ ସ୍ମରଣୀୟ ଓ ମ୍ୟାଚ୍ ବିଜୟୀ ପାଳି ଖେଳିଛି। ୨୦୦୭ରୁ ୨୦୧୮ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଲା ବେଳେ ହିଁ ସେ ନିଜ ବିସ୍ଫୋରକ ବ୍ୟାଟିଂ ଓ ମ୍ୟାଚ୍ ବିଜୟୀ ଦକ୍ଷତା ପାଇଁ ଶ୍ରେଷ୍ଠ ଫିନିସରର ଆଖ୍ୟା ପାଇଥି‌ଲେ। ଧୋନି ୨୦୦ ଦିନିକିଆରେ ଭାରତର ନେତୃତ୍ବ ନେଇଛନ୍ତି। ସେଥିମଧ୍ୟରୁ ସେ ୬୬୪୧ ରନ୍ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ହେଉଛି ୫୩.୫୫। ସେ ମଧ୍ୟ ୪୮ ଥର ଅପରାଜିତ ରହିଛନ୍ତି। ଧୋନି ଅଧିନାୟକ ଭାବେ ୬ ଶତକ ଓ ୪୭ ଅର୍ଧଶତକ ହାସଲ କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ଦୁଇଟି ବିଶ୍ବକପ୍ ଜିତିଛି।

ଷ୍ଟିଫେନ ପ୍ଲେମିଂ: ୨୧୮ ଦିନିକିଆ, ୬୨୯୫ ରନ୍
ନ୍ୟୁଜିଲାଣ୍ଡର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ମଧ୍ୟରେ ଷ୍ଟିଫେନ୍ ପ୍ଳେମିଂ ସମ୍ଭବତଃ ସର୍ବାଗ୍ରେ ରହିବେ। ସେ ୨୧୮ ଦିନିକଆରେ ଭାରତର ନେତୃତ୍ବ ନେଇଛନ୍ତି। ୧୯୯୭ରୁ ୨୦୦୭ ମସିହା ପର୍ଯ୍ୟନ୍ତ ୧୦ ବର୍ଷ ଧରି ସେ କିୱି କ୍ରିକେଟ୍ ଦଳର ଅଧିନାୟକ ଥିଲେ। ସେ ମଧ୍ୟ ୧୦୩ ଦିନିକିଆରେ ପାଳି ଆରମ୍ଭ କରିଥିଲେ। ଅଧିନାୟକ ଭାବେ ସେ ୬୨୯୫ ରନ୍ କରିଛନ୍ତି। ତା’ ମଧ୍ୟରେ ୭ ଶତକ ଓ ୩୮ ଅର୍ଧଶତକ ରହିଛି। ନିଜ ଖେଳ ଜୀବନରେ ସେ ୩୨.୭୮ ହାରରେ ରନ୍ ସଂଗ୍ରହ କରିଥିଲେ। ପ୍ଲେମିଂଙ୍କ ଅଧିନାୟକତ୍ବରେ ଖେଳିଥିବା ୨୧୮ ଦିନିକିଆରୁ ନ୍ୟୁଜିଲାଣ୍ଡ ୯୮ଟିରେ ବିଜୟୀ ହୋଇଥିଲା।

ଗ୍ରେମ୍ ସ୍ମିଥ୍: ୧୫୦ ଦିନିକିଆ, ୫୪୧୬ ରନ୍
ସଂପ୍ରତି ଦକ୍ଷିଣ ଆଫ୍ରିକା କ୍ରିକେଟର ନିର୍ଦେଶକ ଥିବା ଗ୍ରେମ୍ ସ୍ମିଥ୍ ମଧ୍ୟ ଏହି ଦେଶର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ। ୨୦୦୩ରୁ ୨୦୧୧ ପର୍ଯ୍ୟନ୍ତ ୮ ବର୍ଷ ଧରି ସେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ଅଧିନାୟକ ଥିଲେ। ଅଧିନାୟକତ୍ବର ଚାପ କିନ୍ତୁ ତାଙ୍କ ବ୍ୟକ୍ତିଗତ ବ୍ୟାଟିଂକୁ ଆଦୌ ପ୍ରଭାବିତ କରି ନଥିଲା। ଜଣେ ଷ୍ଟାଇଲିସ୍ ବାମହାତୀ ବ୍ୟା‌ଟ୍ସମ୍ୟାନ୍ ଭାବେ ପରିଚିତ ସ୍ମିଥ୍ ୧୫୦ ଦିନିକିଆରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇଥିଲେ। ସେଥିମଧ୍ୟରୁ ସେ ୩୮.୯୬ ହାରରେ ୫୪୧୬ ରନ୍ କରିଥିଲେ। ସେ ମଧ୍ୟ ଅଧିନାୟକ ଭାବେ ୮ ଶତକ ଓ ୩୭ ଅର୍ଧଶତକ ମାରିଥିଲେ। ତାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୧୪୧। ୯ଥର ସେ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ତାଙ୍କ ନେତୃତ୍ବରେ ୯୨ ଦିନିକିଆ ଜିତିଥିଲା।

ଅର୍ଜୁନ ରଣତୁଙ୍ଗା: ୧୯୩ ମ୍ୟାଚ୍, ୫୬୦୮ ରନ୍
ଶ୍ରୀଲଙ୍କାର ବିଶ୍ବବିଜୟୀ ଅଧିନାୟକ ଅର୍ଜୁନ ରଣତୁଙ୍ଗା ମଧ୍ୟ ଜଣେ ଚତୁର ଓ ସଫଳ ଅଧିନାୟକ ଥିଲେ। ସେ ଶ୍ରୀଲଙ୍କା ପକ୍ଷରୁ ୨୬୯ ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ୧୯୩ ମ୍ୟାଚ୍‌ରେ ରଣତୁଙ୍ଗା ସିଂହଳୀ ଦଳର ଅଧିନାୟକ ଥିଲେ। ଅଧିନାୟକ କାର୍ଯ୍ୟକାଳ ମଧ୍ୟରେ ସେ ୫୬୦୮ ରନ୍ ସଂଗ୍ରହ କରିଛନ୍ତି। ୩୭.୬୩ ହାରରେ ରନ୍ କରିଥିବା ରଣତୁଙ୍ଗାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୧୩୧*। ସେଥିମଧ୍ୟରେ ସେ ୪ ଶତକ ଓ ୩୭ ଅଧର୍ଶତକ ହାସଲ କରିଛନ୍ତି। ସେ ମଧ୍ୟ ୩୪ ମ୍ୟାଚ୍‌ରେ ଅପରାଜିତ ରହିଛନ୍ତି। ଅଧିନାୟକ ଭାବେ ତାଙ୍କ ବ୍ୟାଟିଂ ହାର ହେଉଛି ୪୮.୩୭। ୧୯୯୬ ମସିହାରେ ସେ ଏକଦା ଦୁର୍ବଳ ଦଳ ଭାବେ ପରିଚିତ ହେଉଥିବା ଶ୍ରୀଲଙ୍କାକୁ ବିଶ୍ବକପ୍ ବିଜୟୀ କରାଇଥିଲେ।

ସମ୍ବନ୍ଧିତ ଖବର