ସେହି ବର୍ଷ ଏହି ତାରିଖ: ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଜିତିଥିଲା ଚାମ୍ପିଅନ୍‌ସ ଟ୍ରଫି

ନୂଆଦିଲ୍ଲୀ: ୮ ବର୍ଷ ତଳେ ଏହି ତାରିଖରେ ଭାରତୀୟ କ୍ରିକେଟ୍‌ ଦଳ ଚାମ୍ପିଅନ୍‌ସ ଟ୍ରଫି ଜିତିବାର ଗୌରବ ବହନ କରିଥିଲା। ୧୦୧୩ ଜୁନ୍‌ ୨୩ ତାରିଖ ଦିନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଇଂଲଣ୍ଡକୁ ପରାସ୍ତ କରିଥିଲା। ୫୦ ଓଭର ବିଶିଷ୍ଟ ଏହି ମୁକାବିଲା ବର୍ଷା ଯୋଗୁଁ ଶେଷରେ ୨୦ ଓଭରିଆ ହୋଇଥିଲା। ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। ନିର୍ଧାରିତ ୨୦ ଓଭରରେ ଭାରତ ପାଳି ୧୨୯/୭ରେ ସୀମିତ ରହିଥିଲା। ବିରାଟ କୋହଲି ୩୪ ବଲ୍‌ରୁ ୪୩ (୪ ଚୌକା, ୨ ଛକା) ରନ୍‌ କରି ଭାତର ପକ୍ଷରୁ ସର୍ବୋଚ୍ଚ ସ୍କୋରର୍‌ ରହିଥିଲେ। କିନ୍ତୁ ଶେଷ କିଛି ଓଭରରେ ରବୀନ୍ଦ୍ର ଜାଦେଜାଙ୍କ କମାଲ (୨୫ ବଲ୍‌ରୁ ୩୩ ରନ୍‌) ଯୋଗୁଁ ଭାରତ ୧୨୦ ରନ୍‌ ଅତିକ୍ରମ କରିପାରିଥିଲା। ଇଂଲଣ୍ଡ ପକ୍ଷରୁ ରବି ବୋପାରା ସଫଳ ବୋଲର ଭାବେ ୩ ୱିକେଟ୍‌ ପାଇଥିଲେ।

ଜବାବରେ ଦମ୍‌ଦାର ବୋଲିଂ ଯୋଗୁଁ ଭାରତୀୟ ବୋଲର ଏକ ସମୟରେ ଇଂଲଣ୍ଡ ପାଳିକୁ ୪୬/୪ (୮ ଓଭର)ରେ ସଂଘର୍ଷ କରାଇଥିଲେ। ଆଲିଷ୍ଟର କୁକ୍‌ (୨), ଜୋନାଥନ୍‌ ଟ୍ରଟ୍‌ (୨୦), ଇଆନ୍‌ ବେଲ୍‌ (୧୩) ଓ ଜୋ ରୁଟ୍‌ (୭) ପାଭିଲିୟନ୍‌ ଫେରିଯାଇଥିଲେ। ଇଅନ୍‌ ମୋର୍ଗାନ୍‌ ଓ ବୋପାରା ପଞ୍ଚମ ୱିକେଟ୍‌ରେ ୬୪ ରନ୍ ଯୋଡ଼ି ଆଶା ଦେଇଥିଲେ। ହେଲେ ବିଜୟଠୁ ୨୦ ରନ୍‌ ଦୂରରେ ଥିଲା ବେଳେ ଇଂଲଣ୍ଡ ମୋର୍ଗାନ୍‌ (୩୩) ଓ ବୋପାରା (୩୦)ଙ୍କୁ ହରାଇଥିଲା। ଉଭୟଙ୍କୁ ଈଶାନ୍ତ ଶର୍ମା ଶିକାର କରିନେଇଥିଲେ। ଏହାପରେ ଇଂଲଣ୍ଡର ସ୍ଥିତି ବିଗିଡ଼ି ଯାଇଥିଲା। ଶେଷରେ ୫ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଏଥିସହିତ ଧୋନି କ୍ରିକେଟ୍‌ ଇତିହାସରେ ପ୍ରଥମ ଅଧିନାୟକ ଭାବେ ସମସ୍ତ ବୃହତ୍‌ ଆଇସିସି ଟ୍ରଫି (୫୦ ଓଭରିଆ ବିଶ୍ବକପ୍‌, ଟି-୨୦ ବିଶ୍ବକପ୍‌ ଏବଂ ଚାମ୍ପିଅନ୍‌ସ ଟ୍ରଫି) ଜିତିବାର ବିରଳ ଗୌରବ ବହନ କରିଥିଲେ।

ସମ୍ବନ୍ଧିତ ଖବର