ସାର୍ଜା: ବାମହାତୀ ସ୍ପିନର ରବୀନ୍ଦ୍ର ଜାଦେଜାଙ୍କୁ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଅନ୍ତିମ ଓଭର ବୋଲିଂ ଦେଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବହୁ ବର୍ଷ ଭିତରେ ଏକ ବଡ଼ ଭୁଲ୍ କରିଥିଲେ। ଯାହାଫଳରେ ଚେନ୍ନାଇ ସୁପର କିଙ୍ଗ୍ସକୁ ନିଶ୍ଚିତ ବିଜୟରୁ ପରାଜୟ ଭୋଗିବାକୁ ପଡ଼ିଲା। ଧୋନିଙ୍କ ଏହି ନିଷ୍ପତ୍ତିରେ ଜାମାଇକାରେ ନିଜ ଟିଭି ସେଟ୍ ସାମ୍ନାରେ ଆଇପିଏଲ୍କୁ ଢେର ଉପଭୋଗ କରୁଥିବା ତାରକା ଧାବକ ୟୋହାନ୍ ବ୍ଲାକ୍ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଜାଦେଜାଙ୍କୁ ଡେଥ୍ ଓଭର ବୋଲିଂ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ଏକ ଅସମ୍ଭବ ତଥା ସ୍ମରଣୀୟ ବିଜୟ ହାସଲ କରିଥିଲା ବୋଲି ବ୍ଲାକ୍ କହିଥିଲେ। କ୍ରୀଡ଼ା ଦୁନିଆରେ ଜଣେ ଉତ୍ସାହୀ ପ୍ରଶଂସକ ବ୍ଲାକ୍ ମଧ୍ୟ ଜାଦେଜାଙ୍କୁ ଶେଷ ଓଭର ବୋଲିଂ ଦେବାନେଇ ଧୋନିଙ୍କୁ ତାଙ୍କ ଚାଲ ସଂପର୍କରେ ପ୍ରଶ୍ନ କରିଛନ୍ତି। ସେହି ମ୍ୟାଚ୍ରେ ଶେଷ ଓଭର ବୋଲିଂ ପାଇଁ ସମସ୍ତଙ୍କ ପସନ୍ଦ ଥିବା ଡେଥ୍ ବୋଲିଂ ବିଶେଷଜ୍ଞ ଡ୍ବାନ୍ ବ୍ରାଭୋ ଆହତ ହୋଇଥିଲେ। ସେ ପଡ଼ିଆ ଛାଡ଼ି ସାରିଥିଲେ। ହେଲେ ବ୍ରାଭୋଙ୍କ ବିକଳ୍ପ ଆଦୌ ଜାଦେଜା ନଥିଲେ। ଧୋନି ଏହି ଠାରେ ହିଁ ମସ୍ତବଡ଼ ଭୁଲ୍ କରିବସିଲେ। ତାଙ୍କ ଅତି ଖରାପ ନିଷ୍ପତ୍ତି ମଧ୍ୟ ଚେନ୍ନାଇ ପରାଜୟର କାରଣ ହେଲା। ତେବେ ବ୍ରାଭୋଙ୍କର କ’ଣ ହେଲା ବୋଲି ବ୍ଲାକ୍ ଟ୍ବିଟର୍ରେ ପୋଷ୍ଟ କରିଥିବା ଭିଡିଓରେ ପଚାରିଥିଲେ।
ତେବେ ସାମାଜିକ ନେଟ୍ୱର୍କ ସାଇଟ୍ରେ ଏକ ବାର୍ତାଳାପରେ ସାମିଲ ହେବାପରେ ବ୍ରାଭୋ ଆହତ ଥିବା ସଂପର୍କରେ ବ୍ଲାକ୍ ଅନୁଭବ କରିଥିଲେ। କିନ୍ତୁ ଜାଦେଜାଙ୍କୁ ଶେଷ ଓଭର ବୋଲିଂ ଦେବା ଧୋନିଙ୍କ ନିଷ୍ପତ୍ତି ଭୁଲ୍ ଥିଲା ବୋଲି କହିବାରୁ ଓହରି ନ ଥିଲେ। ତାଙ୍କ କହିବା କଥା ହେଲା ‘‘ଠିକ୍ ଅଛି, ବ୍ରାଭୋ ଆହତ ଥିଲେ ବୋଲି ସମସ୍ତେ ଜାଣିଥିଲେ। ତା’ମାନେ ନୁହେଁ ଯେ ଜାଦାଜାଙ୍କୁ ବୋଲିଂ ଦେବା। ତୁମ ପାଖରେ ସେନ୍ ୱାଟ୍ସନ୍ଙ୍କ ଭଳି ଜଣେ ଅଲ୍ରାଉଣ୍ଡର ରହିଥିଲେ। ଅବଶ୍ୟ ସେ କିଛିବର୍ଷ ଧରି କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଖେଳୁଛନ୍ତି। ମାତ୍ର ସେ ହିଁ ଡେଥ୍ ବୋଲିଂ କରିପାରିଥା’ନ୍ତେ’’ ବୋଲି ବ୍ଲାକ୍ କହିଥିଲେ। ଆଉ ଏକ ଟ୍ବିଟ୍ରେ ବ୍ଲାକ୍ କହିଥିଲେ, ‘‘ଆମେ ସମସ୍ତେ କ୍ରିକେଟ୍କୁ ଅତିମାତ୍ରାରେ ଭଲ ପାଉଥିବାରୁ ଏଭଳି ଘଟିଲା। ମୋର ସମସ୍ତ ତ୍ରିରଙ୍ଗା ଅଧୀନସ୍ଥ ଭାରତୀୟ ପରିବାରକୁ ମୁଁ ସଶ୍ରଦ୍ଧ ପ୍ରେମ। ଆସ ଆମେ ବ୍ୟାଟ୍ ଓ ବଲ୍ର ଲଢ଼େଇ କ୍ରିକେଟ୍ ଖେଳକୁ ଉପଭୋଗ କରିବା। କ୍ରିକେଟ୍କୁ ଭଲ ପାଉଥିବା ଯେକେହି କେଉଁ ଦଳ ଖେଳୁଛି ତା’ର କିଛି ମାନେ ବୁଝିବା ଉଚିତ ନୁହେଁ। ମୁଁ ପ୍ରତ୍ୟେକ ଦଳକୁ ସମର୍ଥନ କରେ। ସବୁ ଭାରତୀୟ ଲୋକଙ୍କୁ ମଧ୍ୟ। ମୁଁ ସମସ୍ତଙ୍କୁ ଭଲ ପାଇବା ସତ୍ତ୍ବେ ସେନ୍ ୱାଟ୍ସନ୍ଙ୍କୁ ବୋଲିଂ ନଦେଇ ଧୋନି ଭୁଲ୍ ନିଷ୍ପତ୍ତି ନେଇଥିଲେ ବୋଲି କହିବି’’ ବୋଲି ବ୍ଲାକ୍ କହିଛନ୍ତି।