ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ଆଶା କ୍ରମେ ଦୂରେଇ ଯିବାରେ ଲାଗିଛି। ଗତବର୍ଷ ଆୟୋଜିତ ବିଶ୍ବକପ୍ ସେମିଫାଇନାଲ୍ରୁ ଭାରତ ବିଦାୟ ନେବା ପରଠୁ ଧୋନି ଆଉ ଦଳର ସକ୍ରିୟ ସଦସ୍ୟ ନାହାନ୍ତି। ସେ ଭାରତୀୟ ଦଳ ବାହାରେ ରହିଛନ୍ତି। ତେବେ ଆଇପିଏଲ୍ ଖେଳି ଭାରତୀୟ ଦଳକୁ ଫେରିବାର ଲକ୍ଷ୍ୟ ରଖିଥିଲେ। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। ହେଲେ କରୋନା ଯୋଗୁଁ ଆଇପିଏଲ୍ ଚଳିତ ବର୍ଷ ଆୟୋଜନ ହେବାନେଇ ଆଶଙ୍କା ଭିତରକୁ ଠେଲି ହୋଇଯାଇଥିଲା ବେଳେ ଧୋନିଙ୍କ ପ୍ରତ୍ୟାବର୍ତନ ଆଶା ମଧ୍ୟ ବିଳମ୍ବିତ ହୋଇଛି। ଏକ ଲମ୍ବା ସମୟ (ପ୍ରାୟ ୬ ମାସ) ପରେ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିବା ଧୋନିଙ୍କ ପାଇଁ ଏତେଟା ସହଜ ହେବନି ବୋଲି କହିଛନ୍ତି ଅନ୍ୟତମ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍। ଆଇପିଏଲ୍ ଅନିଶ୍ଚିତତା ମଧ୍ୟରେ ରହିଥିଲା ବେଳେ ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ (ଅକ୍ଟୋବର ୧୮ରୁ ନେଭେମ୍ବର ୧୫) ରହିଛି। ହେଲେ ସେଥିପାଇଁ ଚୟନକର୍ତାମାନେ ଦଳ ବାଛିଲା ବେଳେ ନିଶ୍ଚିତ ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେବେ। ସେହି ଦୃଷ୍ଟିରୁ ଧୋନିଙ୍କ ନାମ ବିଚାରଯୋଗ୍ୟ ହୋଇନପାରେ। ଏପରିସ୍ଥଳେ ଧୋନି କ'ଣ ଚାହୁଁଛନ୍ତି, ତାହା ସେ ମୋଠୁ ଅଧିକ ଭଲ ଭାବେ କହିପାରିବେ। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ତଥାପି ଏବର ସମୟକୁ ଦେଖିଲେ କରୋନା ସ୍ଥିତି ଭଲ ନାହିଁ, ଯେଉଁଥି ପାଇଁ ଆଇପିଏଲ୍ ପ୍ରଭାବିତ ହୋଇଛି। ତେଣୁ ମୁଁ ଭାବୁଛି, ଧୋନିଙ୍କ ପାଇଁ ସମୟ ଭଲ ନାହିଁ ବୋଲି କହିଛନ୍ତି ଆଝାରୁଦ୍ଦିନ୍। ତଥାପି ଜାତୀୟ ଦଳକୁ ପ୍ରତ୍ୟାବର୍ତନ ପାଇଁ ମ୍ୟାଚ୍ ପ୍ରାକ୍ଟିସ୍ ନିହାତି ଦରକାର। ଏପରିକି ପ୍ରସ୍ତୁତି କରିବା ଏବଂ ମ୍ୟାଚ୍ ଖେଳିବା ଦୁଇଟି ପୃଥକ୍ କଥା। ଦଳ ବାଛିଲା ବେଳେ ସେତେବେଳେ ତୁମେ କେତେ ବଡ଼ ଖେଳାଳି, ତୁମର ନା ଅଛି, ଏସବୁ କଥା ମନୋନୟନକର୍ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ତୁମେ କେତେ ମ୍ୟାଚ୍ ଖେଳିଛ ଏବଂ ପ୍ରଦର୍ଶନ କିପରି ରହିଛି ସେସବୁ ଉପରେ ଦୃଷ୍ଟି ଓ ଗୁରୁତ୍ବ ଦେବେ ମନୋନୟନକର୍ତା। ଅଭ୍ୟାସ ଓ ମ୍ୟାଚ୍ ଖେଳିବା ଦୁଇଟି ଭିନ୍ନ କଥା। କେବଳ ପ୍ରସ୍ତୁତି ଚଳାଇଥିଲେ ଯେ ଜାତୀୟ ଦଳରୁ ପ୍ରତିନିଧିତ୍ବ କରିବା ସମ୍ଭବ ତାହା ଭାବିବା ବୃଥା ବୋଲି ଆଝାର କହିଛନ୍ତି।
ଶେଷରେ କରୋନା ଭୂତାଣୁ ମହାମାରୀ ରୂପ ନେଉଥିବାରୁ ଆଝାର କିଛି ମହତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଦେଶରେ ଜାରି ଲକ୍ଡାଉନ୍ ରୂପକ ଲଢ଼େଇ ବେଳେ ଲୋକମାନେ ଡାକ୍ତର ଓ ପୁଲିସ୍ ଅଧିକାରୀଙ୍କୁ ଅପମାନିତ କରୁଥିବା ଘଟଣା ଶୁଣିବାକୁ ମିଳୁଛି। ଏହା ଅନ୍ୟନ୍ତ ନୀନ୍ଦନୀୟ। ଆମମାନଙ୍କ ଜୀବନ ବଞ୍ଚାଇବାର ଶପଥ ନେଇ କାର୍ଯ୍ୟ କରୁଥିବା ଡାକ୍ତର ଓ ପୁଲିସ ବିରୋଧରେ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଆଝାର କହିଛନ୍ତି। ତେଣୁ ଲୋକମାନେ ସରକାରଙ୍କ ମାର୍ଗଦର୍ଶିକା ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି। ସାବଧାନତା ଓ ସତର୍କତା ଅବଲମ୍ବନ କର, ସାମାଜିକ ଦୂରତା ବଜାୟ ରଖ ବୋଲି ଆଝାର ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/azhar-1575631786-1587200227.jpg)