ଧୋନି-ନେହରା ନିଆରା ବନ୍ଧନ

ବାଙ୍ଗାଲୋର: ବିଶ୍ବ କ୍ରିକେଟ୍‌ରେ ସବୁଠୁ ସମ୍ମାନାସ୍ପଦ ନାମ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ଅନ୍ୟତମ। ଭାରତକୁ ତିନିଟି ଆଇସିସି ଟ୍ରଫି (୨୦୦୭ ଟି-୨୦ ବିଶ୍ବକପ୍‌, ୨୦୧୧ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି) ଭେଟିଦେବା ସହିତ ନିଜ କ୍ୟାରିୟରରେ ଯଥେଷ୍ଟ ସଫଳତା ସାଉଁଟିଛନ୍ତି ଧୋନି। ପୁଣି ନିଜ ନେତୃତ୍ବ ସଫଳତା ସାଙ୍ଗକୁ ତାଙ୍କ ପିଢ଼ିରେ ଧୋନି ସର୍ବଶ୍ରେଷ୍ଠ ଫିନିସର ଭାବେ ଖ୍ୟାତ ଥିଲେ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ସେ ଭାରତକୁ ସଂଖ୍ୟାଧିକ ମ୍ୟାଚ୍‌ ଜିତାଇଛନ୍ତି। ଏହିସବୁ ସଫଳତା କେବଳ କ୍ରିକେଟ୍‌ରେ ତାଙ୍କ ବଡ଼ ପ୍ରଭାବ ଛାଡ଼ିନାହିଁ, ବରଂ ପ୍ରତିଭା ତିଆରି କରିବାର ସାମର୍ଥ୍ୟ ମଧ୍ୟ ଥିଲା। ରୋହିତ ଶର୍ମା, ବିରାଟ କୋହଲି, କୁଲ୍‌ଦୀପ ଯାଦବ, ରବୀନ୍ଦ୍ର ଜାଦେଜା ଏବଂ ସୁରେଶ ରାଇନାଙ୍କ ଭଳି ବହୁ କ୍ରିକେଟର୍‌ଙ୍କ କ୍ୟାରିୟର ଗଢ଼ିବାରେ ଧୋନିଙ୍କ ଅବଦାନ ଯଥେଷ୍ଟ। ଧୋନି ବିଶେଷକରି ମ୍ୟାଚ୍‌ ବିଜେତାଙ୍କୁ ଚିହ୍ନିଥା’ନ୍ତି ଏବଂ ଶେଷ ପର୍ଯ୍ୟନ୍ତ ତାଙ୍କ ଉପରେ ବିଶ୍ବାସ ରଖିଥା’ନ୍ତି। ଏହିସବୁ ଖେଳାଳିଙ୍କ ମଧ୍ୟରୁ ଜଣେ ଧୋନିଙ୍କ ସହ ଏକାଠି ବହୁବର୍ଷ ଧରି ଖେଳିଥିଲେ। ସେ ହେଉଛନ୍ତି ବାମହାତୀ ଦ୍ରୁତ ବୋଲର ଆଶିଷ ନେହରା। ସେହି ନେହରା ନିକଟରେ ଧୋନିଙ୍କ ସହ ତାଙ୍କ ସଂପର୍କକୁ ନେଇ ଆଲୋଚନା କରିଥିଲେ। ସେଥିରେ ଧୋନିଙ୍କୁ ଢେର ପ୍ରଶଂସା କରିଥିଲେ।

ଧୋନି ସବୁକ୍ଷେତ୍ରରେ ସକାରାତ୍ମକ ଦିଗ ପ୍ରତି ସଜାଗ ରହୁଥିଲେ। ‘‘ଦେଖ, ଯେତେବେଳେ ତୁମେ ତାଙ୍କ ନାମ ଆଲୋଚନ କର, ତୁମ ମନକୁ କ’ଣ ଆସେ? ଦୃଢ଼ତା ଓ ସ୍ଥିରତା। ପ୍ରଶଂସକଙ୍କ ଖୁସୀ ହେବା ପାଇଁ ସେ ଯଥେଷ୍ଟ କାରଣ ଦିଅନ୍ତି। ତୁମେ ଭାରତର ତ୍ରିରଙ୍ଗାକୁ ନେଇ ଭାବ କିମ୍ବା ଚେନ୍ନାଇ ସୁପର କିଙ୍ଗ୍‌ସ ରଙ୍ଗକୁ’’ ବୋଲି ଷ୍ଟାର୍‌ ସ୍ପୋର୍ଟସ୍‌କୁ କହିଛନ୍ତି ନେହରା। ତାଙ୍କଠୁ ଯଥେଷ୍ଟ ଶିଖିବାର ଅଛି। ମୋ ପାଇଁ ଧୋନି ଏପରି ଜଣେ ବ୍ୟକ୍ତି ଯିଏକି ଯୁବ ତାରକା ହେଉ ବା ବରିଷ୍ଠ ସହଯୋଗୀ ହେଉ ସମସ୍ତଙ୍କ ସହ ସେ ସବୁବେଳେ ରହିଥା’ନ୍ତି। ‘‘ସେ ସବୁବେଳେ କହନ୍ତି ତୁମେ ଜିତିବ ନହେଲେ ଶିଖିବ, କେବେ ବି ହାରନି। ମୁଁ ତାଙ୍କ ସହ ଖେଳିଛି, ମୁଁ ମଧ୍ୟ ଫଳାଫଳକୁ ଦୃଷ୍ଟିରେ ରଖିନଥାଏ। ତେଣୁ ‌‌ଧୋନି ବାସ୍ତବରେ ସ୍ବତନ୍ତ୍ର’’। ‘‘ତାଙ୍କ ସହ ମୋର ଭିନ୍ନ ବନ୍ଧନ ରହିଛି। ସେ ଏଭଳି ଜଣେ ଥିଲେ ଯିଏକି ସବୁବେଳେ ଫୋନ ପାଖରେ ରହୁନଥିଲେ। ହେଲେ ଯେତେବେଳେ ବି ଆମେ ଭେଟୁ (ଏପରିକି ବର୍ଷେ କି ଦୁଇ ବର୍ଷ ପରେ ବି) ସେତେବେଳେ ଆମେ ନିତିଦିନ ଦେଖା ହେଲା ଭଳି ଅନୁଭବ କରୁ। ଲମ୍ବା କାହାଣୀ ଛୋଟ ହୋଇପାରେ; ହେଲେ ଧୋନି ପ୍ରତ୍ୟେକଙ୍କ ପାଇଁ ସକାରାତ୍ମକ ଶକ୍ତି’’ବୋଲି କହିଛନ୍ତି ନେହରା।

ସମ୍ବନ୍ଧିତ ଖବର