ସଚିନ୍‌ଙ୍କ ବିଶ୍ବକପ୍‌ ଏକାଦଶରେ ୫ ଭାରତୀୟ; ଧୋନି ନାହାନ୍ତି

ନୂଆଦିଲ୍ଲୀ: ଗତ ବିଶ୍ବକପ୍‌ ଦ୍ବାଦଶ ସଂସ୍କରଣରେ ଖେଳିଥିବା କ୍ରିକେଟର୍‌ମାନଙ୍କୁ ନେଇ ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ତାଙ୍କ ପସନ୍ଦର ୧୧ ଜଣିଆ ଦଳ ବାଛିଛନ୍ତି। ସେହି ଦଳରେ ସଚିନ୍‌ ୫ ଜଣ ଭାରତୀୟଙ୍କୁ ସାମିଲ କରିଥିଲା ବେଳେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ଦେଇନାହାନ୍ତି। ସଚିନ୍‌ ବାଛିଥିବା ବିଶ୍ବକପ୍‌ ଏକାଦଶରେ ନ୍ୟୁଜିଲାଣ୍ଡ୍‌ର କେନ୍‌ ୱିଲିୟମ୍‌ସନ୍‌ଙ୍କୁ ଅଧିନାୟକ ଭାବେ ରଖିଥିଲା ବେଳେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ୍‌ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ରୂପରେ ୫ ଭାରତୀୟଙ୍କୁ ନେଇଛନ୍ତି। ହେଲେ ୱିକେଟ୍‌ରକ୍ଷକ ଭାବେ ଧୋନିଙ୍କୁ ପଛକୁ ଠେଲିଦେଇ ନୂଆ ବିଜେତା ଇଂଲଣ୍ଡର ଜନ୍‌ ବେୟାରଷ୍ଟୋଙ୍କୁ ସାମିଲ କରିଛନ୍ତି। ପୁଣି ରୋହିତଙ୍କ ସହ ବେୟାରଷ୍ଟୋଙ୍କୁ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ଯୋଡ଼ି ଭାବେ ପସନ୍ଦ କରିଛନ୍ତି। ବ୍ୟାଟିଂକ୍ରମରେ ସେ ୱିଲିୟମ୍‌ସନ୍‌ଙ୍କୁ ତୃତୀୟ, କୋହଲିଙ୍କୁ ଚତୁର୍ଥରେ ସ୍ଥାନ ଦେଇଥିଲା ବେଳେ ବାଂଲାଦେଶୀ ଅଲ୍‌ରାଉଣ୍ଡର ସକିବ୍‌ ଅଲ୍‌ ହାସନ୍‌, ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପଛକୁ ପାଣ୍ଡ୍ୟା ଓ ଜାଦେଜାଙ୍କୁ ଯଥାକ୍ରମେ ପଞ୍ଚମରୁ ଅଷ୍ଟମ ସ୍ଥାନ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ତିନି ବିଶେଷଜ୍ଞ ଦ୍ରୁତ ବୋଲର ଭାବେ ସଚିନ୍‌ ତାଙ୍କ ଏକାଦଶରେ ବୁମ୍‌ରାଙ୍କ ସାଙ୍ଗକୁ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ନେଇଛନ୍ତି। ଫଳରେ ସଚିନ୍‌ଙ୍କ ଏହି ବିଶ୍ବକପ୍‌ ଏକାଦଶରେ ୪ ଅଲ୍‌ରାଉଣ୍ଡର ଓ ୩ ବିଶେଷଜ୍ଞ ଦ୍ରୁତ ବୋଲରଙ୍କୁ ମିଶାଇ ମୋଟ ୭ ବୋଲର ରହିଛନ୍ତି। ଏହା ପୂର୍ବରୁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ମଧ୍ୟ ତା’ର ବିଶ୍ବକପ୍ ଏକାଦଶ ଚୟନ କରିସାରିଥିଲା ବେଳେ ସେଥିରେ କେବଳ ୨ ଜଣ (ରୋହିତ ଓ ବୁମ୍‌ରା) ଭାରତୀୟଙ୍କୁ ସାମିଲ କରିଥିଲା।
ସଚିନ୍‌ଙ୍କ ବିଶ୍ବ ଏକାଦଶ: ରୋହିତ ଶର୍ମା, ଜନି ବେୟାରଷ୍ଟୋ (ୱିକେଟ୍‌ରକ୍ଷକ), କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ବିରାଟ କୋହଲି, ସକିବ୍‌ ଅଲ୍‌ ହାସନ୍‌, ବେନ୍‌ ‌‌ଷ୍ଟୋକ୍ସ, ହାର୍ଦିକ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ମିଚେଲ ଷ୍ଟାର୍କ, ଜୋଫ୍ରା ଆର୍ଚର ଓ ଯଶ୍‌ପ୍ରୀତ୍‌ ବୁମ୍‌ରା।

ସମ୍ବନ୍ଧିତ ଖବର