ଆଇପିଏଲ୍‌ ପରେ ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଯୋଜନା କରୁଛି ବିସିସିଆଇ

ନୂଆଦିଲ୍ଲୀ: ଦେଶର ୭୪ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଦାୟୀ ମ୍ୟାଚ୍‌ ଖେଳିବାର ସୁଯୋଗ ଦେବାକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଅନୁରୋଧ କରିଥିଲେ। ବିସିସିଆଇ ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ ବିଚାର କରିବାକୁ ସେ ଦାବି ଜଣାଇଥିଲେ। ସେହିପରି ସିଏସି (କ୍ରିକେଟ୍‌ ପରାମର୍ଶଦାତା କମିଟି) ସଦସ୍ୟ ମଦନ ଲାଲ ମଧ୍ୟ ବିଗତ ୧୫ ବର୍ଷ ଧରି ଦେଶ ପାଇଁ ଅବଦାନ ଦେଇଥିବା ଧୋନିଙ୍କ ଭଳି ଜଣେ ମହାନ୍‌ ଖେଳାଳିଙ୍କ ପାଇଁ ବିସିସିଆଇ ଏକ ବିଦାୟୀ ମ୍ୟାଚ୍‌ ଆୟୋଜନ କରିବ ବୋଲି ଆଶା ବାନ୍ଧିଥିଲେ। ଧୋନି ଯେଉଁଭଳି ଭାବରେ ଅବସର ଘୋଷଣା କରିଦେଇଛନ୍ତି, ସେହି ପ୍ରକାରେ ବିଦାୟ ନେବାକୁ ତାଙ୍କୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ମଦନ ଲାଲ କହିଛନ୍ତି। ଯଦି ବିସିସିଆଇ ଧୋନିଙ୍କ ପାଇଁ ଏକ ବିଦାୟୀ ମ୍ୟାଚ୍‌ ଆୟୋଜନ କରେ ତାହାଲେ ମୁଁ ଅଧିକ ଖୁସୀ ହେବି। ସେ ଜଣେ କିଂବଦନ୍ତି ଖେଳାଳି, ତୁମେ ତାଙ୍କୁ ସେହିଭଳି ଭାବେ ବିଦାୟ ଦେବା ଉଚିତ ନୁହେଁ। କାରଣ ପ୍ରଶଂସକମାନେ ପୁଣି ଥରେ ତାଙ୍କ ଖେଳ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ମଦନ ଲାଲ।

ତେବେ ନିକଟରେ ଭାରତର କୌଣସି ଆନ୍ତର୍ଜାତିକ ଶୃଙ୍ଖଳା ନାହିଁ। ଏବେ ୟୁଏଇରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍)ର ତ୍ରୟୋଦଶ ସଂସ୍କରଣ ଆୟୋଜିତ ହେବ। ସେଥିରେ ମଧ୍ୟ ଦେଶର ଅନ୍ୟତମ ସଫଳ ଅଧିନାୟକ ତଥା ଶ୍ରେଷ୍ଠ ୱିକେଟ୍‌ରକ୍ଷକ ଧୋନି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ନେତୃତ୍ବ ନେଉଛନ୍ତି। ତେଣୁ ଆଇପିଏଲ୍‌ ଶେଷ ହେବା ପରେ ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି। ଏନେଇ ଆଇପିଏଲ୍‌ ପରେ ବିଚାର କରାଯିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଯାହାକି ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସୀର ଖବର ପାଲଟିଛି। ବିଦାୟୀ ମ୍ୟାଚ୍‌ ସଂପର୍କରେ ଆମେ ଆଇପିଏଲ୍‌ ବେଳେ ୟୁଏଇରେ ଧୋନିଙ୍କ ସହ ଆଲୋଚନା କରି ତାଙ୍କ ମତାମତ ନେବୁ। ‌ଧୋନିଙ୍କ ମତାମତ ବ୍ୟତୀତ ବିସିସିଆଇ ମଧ୍ୟ ଏହି ପୂର୍ବତନ ଅଧିନାୟକଙ୍କୁ ଭାରତରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦେବାକଥା ବିଚାର କରୁଛି। ଏପରିକି ତାଙ୍କ ବିଦାୟୀ ପାଇଁ ଏକ ଘ‌ରୋଇ ଶୃଙ୍ଖଳା ଆୟୋଜନ କରିବାର ଯୋଜନା ରଖିଛୁ। ‌ପ୍ରଶଂସକମାନେ ଷ୍ଟାଡିୟମ୍‌‌ରେ ବସି ତାଙ୍କ ପ୍ରିୟ ହିରୋଙ୍କ ଖେଳ ଦେଖିପାରିବେ। ତେବେ ସେ ‌ଗୋଟିଏ ମ୍ୟାଚ୍‌ ବା ଏକ ଶୃଙ୍ଖଳା ଜରିଆରେ ବିଦାୟ ନେବେ ସେ ସଂପର୍କରେ ତାଙ୍କ ମତାମତ ଲୋଡ଼ାଯିବ। କାରଣ ଧୋନି ଦେଶ ପାଇଁ ଅତୁଳନୀୟ ଅବଦାନ ଛାଡ଼ିଯାଇଛନ୍ତି। ସେ ସବୁ ସମ୍ମାନ ପାଇବାର ହକ୍‌ଦାର। ଆମେ ସବୁବେଳେ ତାଙ୍କୁ ଏକ ବିଦାୟୀ ମ୍ୟାଚ୍‌ ଭେଟିଦେବାକୁ ଚାହୁଁଥିଲୁ। ହେଲେ ଧୋନି ପୂରା ଭିନ୍ନ ଖେଳାଳି। ଯେତେବେଳେ ‌କେହି ବି ଭାବିନଥିଲେ ସେତେବେ‌ଳେ ସେ ଅଚାନକ ଅବସର ଘୋଷଣା କରିଦେଲେ। ତଥାପି ଧୋନି ଆଇପିଏଲ୍‌ରୁ ଫେରିବା ପରେ ତାଙ୍କ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଂପୃକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ସବୁକିଛି ତାଙ୍କ ରାଜି ଅରାଜି ଉପରେ ହିଁ ନିର୍ଭର କରିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର