ଧୋନି ଭାରତୀୟ ଦଳର ମାର୍ଗଦର୍ଶକ: ରୋହିତ

ସିଡନି: ଭେଟେରାନ୍ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଅସ୍ଥିର ପ୍ରଦର୍ଶନ ଦେଇ ଗତି କରୁଥିବାରୁ ଚୟନକର୍ତାଙ୍କ କଡ଼ା ନଜରରେ ରହିଛନ୍ତି। କିନ୍ତୁ ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ବିଶ୍ବକପ୍‌ରେ ଧୋନି ଗୁରୁ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ରୋହିତ କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡରେ ମେ’ ୩୦ ତାରିଖରୁ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଛି। ବିଗତ କିଛି ବର୍ଷ ଧରି ଡ୍ରେସିଂ ରୁମ୍‌ ଏବଂ ପଡ଼ିଆ ଭିତରେ ‌ଧୋନିଙ୍କ ଉପସ୍ଥିତି ହିଁ ନିର୍ଣ୍ଣାୟକ ହୋଇଛି। ପରିବେଶ ଶାନ୍ତ ରହୁଛି ଯାହାକି ଅତି ଗୁରୁତ୍ବପୂର୍ଣ୍ଣ। ୱିକେଟ୍ ପଛପଟେ ରହୁଥିବାରୁ ଅଧିନାୟକଙ୍କୁ ମଧ୍ୟ ସହାୟକ ହୋଇଥାନ୍ତି’ ବୋଲି ରୋହିତ କହିଛନ୍ତି। ସେ ଭାରତୀୟ ଦଳକୁ ବହୁ ବର୍ଷ ଧରି ନେତୃତ୍ବ ଦେଇ ଆସିଛନ୍ତି ଏବଂ ସଫଳ ହୋଇଛନ୍ତି। ଦଳରେ ତାଙ୍କ ଉପସ୍ଥିତି ସବୁ‌ବେଳେ ସହାୟକ ହୋଇଛି। ଖେଳାଳିଙ୍କ ଗୋଷ୍ଠୀକୁ ସେ ଆଲୋକ ବର୍ତିକା ଭଳି ମାର୍ଗଦର୍ଶନ ଦେଇ ଆସିଛନ୍ତି’ ବୋଲି ରୋହିତ କହିଛନ୍ତି। ଧୋନିଙ୍କ ଫିନିସିଂ କ୍ଷମତା ଆଉ ଏକା ଭଳି ନ ଥିଲେ ବି ରୋହିତଙ୍କ ବିଶ୍ବାସ ସେ ବ୍ୟାଟ୍‌ରେ ଭଲ କରିପାରିବେ। ନିମ୍ନକ୍ରମରେ ବ୍ୟାଟିଂ କରିବା ଏବଂ ଫିନିସିଂ କରିବା ଗୁରୁତ୍ବପୂର୍ଣ୍ଣ। ସେ ଆମ ପାଇଁ ଅନେକ ମ୍ୟାଚ୍‌ରେ ଏଭଳି କରିଛନ୍ତି। ତାଙ୍କ ଶାନ୍ତ ସ୍ବଭାବ ଚରିତ୍ର, ଉପଦେଶ, ଖେଳକୁ ନେଇ ତାଙ୍କ ଚିନ୍ତାଧାରା ଏବଂ ଆମେ କ’ଣ କରିବା ଉଚିତ୍‌ର କଥା ସବୁ ଗୁରୁତ୍ବପୂର୍ଣ୍ଣ ବୋଲି ରୋହିତ କହିଛନ୍ତି। ୱିକେଟ୍‌ ପଛପଟେ ଧୋନିଙ୍କ ଉପସ୍ଥିତିରୁ ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ଭଳି ଯୁବ ବୋଲର ନିଶ୍ଚିତ ଫାଇଦା ପାଇପାରିବେ। ଏହି ଦୁଇ ଜଣ ୨୦୧୭ରୁ ଖେଳୁଥିଲେ ମଧ୍ୟ ଦେଶ ବାହା‌ରେ ଭଲ କରି ଆସୁଛନ୍ତି। ଏମ୍‌ଏସ୍‌ଡିଙ୍କ ପାଇଁ ହିଁ ପଡ଼ିଆ ସଜାଇବା ଏବଂ ଟାଇଟ୍ ପରିସ୍ଥିତି ବେଳେ ମ୍ୟାଚ୍ ନିୟନ୍ତ୍ରଣକୁ ଆସିଥାଏ। ଅଧିନାୟକତ୍ବ ଛାଡ଼ିବା ଦିନଠାରୁ ସେ ଅଧିକ ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି’ ବୋଲି କହିଥିଲେ ରୋହିତ। ସୂଚନାଯୋଗ୍ୟ, ଶନିବାରଠାରୁ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ରୋହିତ ଏଭଳି କହିଛନ୍ତି।

ସଚିନ, ଦ୍ରାବିଡ଼ଙ୍କଠୁ ପୂଜାରା ଭଲ: ଲାଙ୍ଗର
ସିଡ୍‌ନି: ଚେତେଶ୍ବର ପୂଜାରାଙ୍କ ଭଳି ଏକାଗ୍ରତା ମୁଁ ଅନ୍ୟ କୌଣସି ଖେଳାଳିଙ୍କ ପାଖରେ ‌ଦେଖିନାହିଁ। ତାଙ୍କ ଏକାଗ୍ରତା ଭାଙ୍ଗିବା ଆମ ବୋଲରଙ୍କ ପାଇଁ ଏକ ବଡ଼ ଆହ୍ବାନ ଥିଲା। ତାଙ୍କ ଭଳି ଜଣେ ଖେଳାଳି ମୁଁ ମୋ ସାରା ଜୀବନରେ ଦେଖିନାହିଁ। ଏପରିକି ଏହି କ୍ଷେତ୍ରରେ ପୂଜାରା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ଼ଙ୍କଠାରୁ ମଧ୍ୟ ଆଗରେ ରହିବେ। ଭାରତଠାରୁ ଟେଷ୍ଟ ଶୃଙ୍ଖଳା ହାରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ତଥା ପୂବର୍ତନ ଅନ୍ତର୍ଜାତୀୟ ଖେଳାଳି ଜଷ୍ଟିନ ଲାଙ୍ଗର ଏହା କହିଛନ୍ତି। ନିଜ ବୋଲରଙ୍କୁ ପ୍ରଶଂସା କରି ଲାଙ୍ଗର କହିଥିଲେ ଯେ ଆମ ବୋଲରମାନେ ମେଲବର୍ନ ଏବଂ ସିଡ୍‌ନିରେ ସେମାନଙ୍କ ଶକ୍ତିର ଚରମ ସୀମାରେ ପହଞ୍ଚି ଯାଇଥିଲେ। ସେମାନେ କଠିନ ପରିଶ୍ରମ କରୁଥିଲେ। ଦଳରେ ଜଣେ ମାତ୍ର ସ୍ପିନର ଥିବାରୁ, ସେମାନଙ୍କୁ ସବୁ ଶକ୍ତି ଖଟାଇବାକୁ ପଡ଼ୁଥିଲା। ଆମ ପାଖରେ ଜଣେ ଶ୍ରେଷ୍ଠ ସ୍ପିନର ଏବଂ ତିନି ଜଣ ଦକ୍ଷ ଦ୍ରୁତ ବୋଲର ଥିଲେ। ତଥାପି ପୂଜାରା ଏବଂ କୋହଲିଙ୍କ ଭଳି ଖେଳାଳି ସେମାନଙ୍କୁ ମାନସିକ ଏବଂ ଶାରିରୀକ ସ୍ତରରେ ହାଲିଆ କରି ଦେଉଥି‌ଲେ। ଦିନିକିଆ ଶୃଙ୍ଖଳାରେ ଆମ ପାଖରେ ନୂଆ ଖେଳାଳି ଅଛନ୍ତି। ସେମାନେ ସତେଜ ମନ ଏବଂ ଶରୀରରେ ଶୃଙ୍ଖଳାକୁ ଯିବେ। ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଭଲ କରିବ ବ‌ୋଲି ଲାଙ୍ଗର ଆଶା ପ୍ରକାଶ କରିଛନ୍ତି। ତେବେ ଦିନିକିଆ ଶୃଙ୍ଖଳାରେ ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍ ଓ ପ୍ୟାଟ୍ କମିନ୍ସଙ୍କ ଭଳି ବୋଲରଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଅଷ୍ଟ୍ରେଲିଆ ତୁଳନାତ୍ମକ ଭାବେ ଅଧିକ ଚାପରେ ରହିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର