ଧୋନିଙ୍କ ତ୍ରିଶତକ ମ୍ୟାଚ୍‌: ପ୍ରଥମ ଭାରତୀୟ

ହାମିଲଟନ୍‌: ଭାରତୀୟ ଦଳର ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନି ତାଙ୍କ ଜାଜୁଲ୍ୟମାନ କ୍ରିକେଟ୍‌ ଜୀବନରେ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଧୋନି କ୍ରିକେଟ୍‌ର ଫଟାଫଟ୍‌ ତଥା ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୩୦୦ ମ୍ୟାଚ୍‌ ଖେଳିବାର ସଫଳତା ଫର୍ଦ ନିଜ ନାମରେ ଯୋଡ଼ିଛନ୍ତି। ଏଠାରେ ରବିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚ୍‌ ଜରିଆରେ ପୂର୍ବତନ ଅଧିନାୟକ ଧୋନି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାରେ ତ୍ରିଶତକ ପୂରଣ କରିଛନ୍ତି। ଆଉ ଏକ୍ଷେତ୍ରରେ ଧୋନି ମଧ୍ୟ ପ୍ରଥମ ଭାରତୀୟ ହୋଇଛନ୍ତି। ସେ ମଧ୍ୟ ୩୦୦ ବା ତା’ଠୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାରେ ବିଶ୍ବର ଯୁଗ୍ମ ଦ୍ବାଦଶ ଖେଳାଳି ହୋଇଛନ୍ତି। ଇଂଲଣ୍ଡର ଲୁକେ ରାଇଟ୍‌ ୩୦୦ ମ୍ୟାଚ୍‌ ଖେଳିବାର ମାଇଲଖୁଣ୍ଟ ନିଜ ନାମରେ ରଖିଛନ୍ତି। ୩୦୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିସାରିଥିବା ଧୋନି ୩୮.୩୫ ହାରରେ ସଂଗ୍ରହ କରିଛନ୍ତି ୬୧୩୬ ରନ୍‌। ସେଥିରେ ୨୪ ଅର୍ଧଶତକ ସାମିଲ ରହିଛି। ଧୋନିଙ୍କ ପଛକୁ ସର୍ବାଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାରେ ଏବେ ରୋହିତ ଶର୍ମା ଦ୍ବିତୀୟ ଭାରତୀୟ ଭାବେ ରହିଛନ୍ତି। ରୋହିତ ରବିବାର ସୁଦ୍ଧା ୨୯୮* ମ୍ୟାଚ୍‌ ଖେଳିସାରିଛନ୍ତି। ରୋହିତ ମଧ୍ୟ ଏକ୍ଷେତ୍ରରେ ବିଶ୍ବର ତ୍ରୟୋଦଶ ଖେଳାଳି ହୋଇଥିଲା ବେଳେ ସୁରେଶ ରାଇନା (୨୯୬ ମ୍ୟାଚ୍‌) ଏବଂ ଦୀନେଶ କାର୍ତିକ (୨୬୦*) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଭାରତୀୟ ରହିଛନ୍ତି। ତେବେ ସର୍ବାଧିକ ଟେଣ୍ଟି-୨୦ ମ୍ୟାଚ୍‌ ଖେଳିବାର କୀର୍ତିମାନ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡଙ୍କ ନାମରେ ରହିଛି। ପୋଲାର୍ଡ ୪୪୬ ମ୍ୟାଚ୍‌ ଖେଳି ସର୍ବକାଳୀନ କୀର୍ତିମାନ ନିଜ ନାମରେ ରଖିଛନ୍ତି। ସେ ୨୯.୯୭ ହାରରେ ୮୭୫୩ ରନ୍‌ କରିଥିଲା ବେଳେ ସେଥିରେ ୪୩ ଅର୍ଧଶତକ ସାମିଲ ରହିଛି।

ସମ୍ବନ୍ଧିତ ଖବର