ବାରବାଟୀରେ ଧୋନିଙ୍କ ୩ ଦିନିକିଆ, ୨ ଟ୍ବେଣ୍ଟି-୨୦, ୧ ଆଇପିଏଲ୍‌

ବୋତଲମାଡ଼ ଘଟଣାରେ ଦର୍ଶକଙ୍କୁ ଦୋଷ ଦେଇନଥିଲେ

କଟକ: ବାରବାଟୀରେ ମହେନ୍ଦ୍ର ସିଂହ ଧୋନି ୩ ଦିନିକିଆ, ୨ ଟ୍ବେଣ୍ଟି-୨୦ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଗୋଟିଏ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ଗୋଟିଏ ଶତକ ଓ ଗୋଟିଏ ଅର୍ଧଶତକ ସହ ୧୯୦ ରନ୍‌ ଏବଂ ଦୁଇଟି ଟ୍ବେଣ୍ଟି-୨୦ରେ ୪୪ ରନ୍‌ କରିଛନ୍ତି। ତେବେ ଇଂଲଣ୍ଡ ସହ ୨୦୧୭ରେ ଖେଳାଯାଇଥିବା ଦିନିକିଆରେ ଧୋନିଙ୍କ ଧମାକାଦାର ୧୩୪ ରନ୍‌ ତାଙ୍କର ଶ୍ରେଷ୍ଠ ପାଳିଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା।

ଭାରତ-ୱେଷ୍ଟଇଣ୍ଡିଜ୍‌ (୨୦୦୭)
ଏହି ବର୍ଷ ଧୋନି ବାରବାଟୀରେ ପ୍ରଥମ ଦିନିକିଆ ଖେଳିଥିଲେ। ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଖେଳୁଥିବା ଧୋନି ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଥିଲେ। କିନ୍ତୁ କମ୍‌ ସ୍କୋର୍‌ ବିଶିଷ୍ଟ ଏହି ମ୍ୟାଚ୍‌ରେ ଭାରତ ୨୦ ରନ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସାଙ୍ଗକୁ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। ତେବେ ମଧ୍ୟକ୍ରମରେ ଦୀନେଶ କାର୍ତ୍ତିକ ୬୩ ଓ ନିମ୍ନକ୍ରମରେ ଅଜିତ ଅଗରକର ୪୦ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିବାରୁ ଦଳ ୧୮୯ ରନ୍‌ରେ ପହଞ୍ଚିପାରିଥିଲା। ଜବାବରେ ଶିବନାରାୟଣ ଚନ୍ଦ୍ରପଲ୍‌ଙ୍କ ଅର୍ଧଶତକୀୟ ପାଳି ଭାରତ ପାଇଁ ଚିନ୍ତାର କାରଣ ହୋଇଥିଲେ ବି ତାଙ୍କୁ ଜାହିର ଖାନ୍‌ ବୋଲ୍ଡ କରିବା ପରେ ମ୍ୟାଚ୍‌ର ମୋଡ଼ ବଦଳି ଯାଇଥିଲା। ଅତିଥି ଦଳକୁ ମାତ୍ର ୧୬୯ ରନ୍‌ରେ ଆଉଟ କରିବାରେ ଭାରତୀୟ ବୋଲର ସଫଳ ହୋଇଥିଲେ। ଧୋନି ଏହି ମ୍ୟାଚ୍‌ରେ ଦୁଇଟି ରନ୍‌ଆଉଟ କରାଇବାରେ ସଂପୃକ୍ତ ଥିଲେ।

ଭାରତ-ଇଂଲଣ୍ଡ (୨୦୦୮)
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୃଙ୍ଖଳାର ଏହା ଶେଷ ମ୍ୟାଚ୍‌ ଥିଲା। ବାରବାଟୀରେ ଭାରତ ଟସ୍‌ ଜିତି ବୋଲିଂ କରିଥିଲା ବେଳେ ଇଂଲଣ୍ଡ ୪ ୱିକେଟ୍‌ ବିନିମୟରେ ୨୭୦ ରନ୍‌ କରିଥିଲା। କେଭିନ୍‌ ପିଟରସନ୍‌ ୧୧୧* ଓ ଓଏସ୍‌ ଶାହ ୬୬* ରନ୍‌ର ପାଳି ଖେଳିଥିଲେ। ଘରୋଇ ଦଳ ପାଇଁ ଜାହିର ଖାନ୍‌ ୨, ଇଶାନ୍ତ ଶର୍ମା ଓ ହରଭଜନ ସିଂହ ପ୍ରତ୍ୟେକ ୧ ୱିକେଟ ଲେଖାଏଁ ନେଇଥିଲେ। ୨୭୧ରନ୍‌ର ଲକ୍ଷ୍ୟକୁ ପିଛାକରି ବୀରେନ୍ଦ୍ର ସେହବାଗ୍‌ ଓ ସଚିନ ତେନ୍ଦୁଲକର ଆରମ୍ଭରୁ ଧୂଲେଇ କରିଥିଲେ। ୧୯.୫ ଓଭର ପର୍ଯ୍ୟନ୍ତ ଏବଂ ଭାଗୀଦାରି ଭାଙ୍ଗିବା ପୂର୍ବରୁ ସ୍କୋରବୋର୍ଡରେ ୧୩୬ ରନ୍ ସଂଗ୍ରହ ହୋଇସାରିଥିଲା। ଚତୁର୍ଥ ସ୍ଥାନରେ ଧୋନି ଓ ପଞ୍ଚମ ସ୍ଥାନରେ ସୁରେଶ ରାଇନା ବଳକା କାମ ଶେଷ କରିଥିଲେ। ଉଭୟ ଅର୍ଧଶତକ ଅର୍ଜନ କରିଥିଲା ବେଳେ ଧୋନି ୫୦ ରନ୍‌ରେ ଆଉଟ୍‌ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ରାଇନା (୫୩*) ଓ ରୋହିତ ଶର୍ମା (୮*) କ୍ରିଜ୍‌ରେ ରହି ଦଳକୁ ୪୩.୪ ଓଭରରେ ଜିତାଇଥିଲେ।

ଭାରତ-ଇଂଲଣ୍ଡ (୨୦୧୭)
ବାରବାଟୀରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ୨୦୧୭ର ଏହି ମ୍ୟାଚ୍‌ ସବୁଠୁ ସ୍ମରଣୀୟ ହୋଇରହିବ। ବିଶେଷକରି ଧୋନି ଓ ଯୁବରାଜ ଯେଉଁଭଳି ଢଙ୍ଗରେ ମ୍ୟାଚ୍‌କୁ ଆଗେଇ ନେଇ‌ଥିଲେ, ସେଥିଯୋଗୁଁ ଏକାଧିକ କୀର୍ତ୍ତିମାନ ଭଙ୍ଗା ଯାଇପାରିଥିଲା। ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ ନେଇଥିଲା ବେଳେ ଆରମ୍ଭରୁ କେ ଏଲ୍‌ ରାହୁଲ (୫), ଶିଖର ଧାୱନ (୧୧), କୋହଲି (୮) ରନ୍‌ରେ ଆଉଟ ହେବାରୁ ଭାରତୀୟ ଶିବିରରେ ଚିନ୍ତା ବଢିଯାଇଥିଲା। ହେଲେ ଧୋନି ଓ ଯୁବରାଜ ଦ୍ରୁତ ରନ୍‌ ସଂଗ୍ରହ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ୨୫୬ ରନ୍‌ ଯୋଗ କରିଥିଲେ। ଯୁବରାଜ ୧୨୭ ବଲ୍‌ରୁ ୨୧ ଚୌକା ଓ ୩ ଛକା ସହାୟତାରେ ୧୫୦ ରନ୍‌ର ଶ୍ରେଷ୍ଠ ପାଳି ଖେଳିଥିଲେ। ଅନ୍ୟପକ୍ଷରେ ଧୋନି ୧୨୨ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହ ୧୩୪ ରନ୍‌ କରି ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ଭାରତ ୬ ୱିକେଟ ବିନିମୟରେ ବାରବାଟୀରେ ସର୍ବାଧିକ ୩୮୧ ରନ୍‌ ସଂଗ୍ରହ କରିଥିଲା। ତେବେ ଇଂଲଣ୍ଡ ମଧ୍ୟ ଆରମ୍ଭରୁ ଦ୍ରୁତ ଖେଳିବା ଆରମ୍ଭ କରିବାରୁ ଭାରତର ସବୁ ଆକ୍ରମଣ ବିଫଳ ହେଉଥିବା ଦେଖାଯାଇଥିଲା। ୨୦ ଓଭର ପରେ ଧୋନି ଦଳର ଦାୟିତ୍ବ ସମ୍ଭାଳିବା ପରେ ଇଂଲଣ୍ଡ ରନ୍‌ ସଂଗ୍ରହରେ ଅଂଙ୍କୁଶ ଲାଗିଥିଲା। ଶେଷରେ ଭାରତ ୧୫ ରନ୍‌ରେ ବିଜୟୀ ହୋଇଥିଲା।

ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ (୨୦୧୫)
ବାରବାଟୀରେ ହୋଇଥିବା ପ୍ରଥମ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଶୋଚନୀୟ ଭାବେ ଭାରତକୁ ହରାଇଥିଲା। ଏପରକି ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ହୋଇ ଦର୍ଶକମାନେ ପଡ଼ିଆ ଭିତରକୁ ବୋତଲମାଡ଼ କରିଥିବାରୁ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଥିଲା। ଧୋନିଙ୍କ ନେତୃତ୍ବରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିୟମିତ ଭାବେ ୱିକେଟ ହରାଇ ୯୨ ରନ୍‌ ହିଁ କରିପାରିଥିଲା। ରୋହିତ ଶର୍ମା ୨୨, ସୁରେଶ ରାଇନା ୨୨, ଶିଖର ଧାୱନ ୧୧, ରବିଚନ୍ଦ୍ରନ ଅଶ୍ବିନ ୧୧ ଓ ଧୋନି ୫ ରନ୍‌ କରି ଆଉଟ ହୋଇଥ‌ିଲେ। ଭ୍ରମଣକାରୀ ଦଳ ବିଜୟ ଲକ୍ଷ୍ୟକୁ ୧୭.୧ ଓଭରରେ ହାସଲ କରିନେଇଥିଲା।

ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି-୨୦ (୨୦୧୭)
ବାରବାଟୀର ଦ୍ବିତୀୟ ଟ୍ବେଣ୍ଟି-୨୦ ବେଳକୁ ସ୍ଥିତି ସଂପୂର୍ଣ୍ଣ ବଦଳିଯାଇଥିଲା। ବ୍ୟାଟିଂକୁ ସୁହାଉଥିବା ପିଚ୍‌ରେ ଭାରତ ୩ ୱିକେଟ ବିନିମୟରେ ୧୮୦ ରନ୍‌ କରିଥିଲା। ରୋହିତ ଶର୍ମା ୧୭, କେଏଲ୍‌ ରାହୁଲ ୬୧, ଶ୍ରେୟସ ଆୟର ୨୪ ରନ୍‌ରେ ଆଉଟ ହେବା ପରେ ଧୋନି ୩୯* ଓ ମନୀଷ ପାଣ୍ଡେ ୩୨* ରନ୍‌ କରି ଶ୍ରୀଲଙ୍କାକୁ ବଡ଼ ଲକ୍ଷ୍ୟ ଦେଇଥିଲେ। ହେଲେ ଶ୍ରୀଲଙ୍କା ଖେଳାଳିମାନେ ଆଶାନୁରୂପକ ପ୍ରଦର୍ଶନ ଦେଇନପାରି ମାତ୍ର ୮୭ ରନ୍‌ରେ ସମସ୍ତ ୱିକେଟ ହରାଇଥିଲେ। ୟଜୁବେନ୍ଦ୍ର ଚହଲ ୪, ହାର୍ଦ୍ଦିକ ପାଣ୍ଡ୍ୟା ୩, କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସ-କିଙ୍ଗ୍ସ ଏକାଦଶ ପଞ୍ଜାବ (୨୦୧୪)
ପାଖାପାଖି ୬ ବର୍ଷ ପରେ ବାରବାଟୀରେ ଧୋନିଙ୍କ ଝଲକ ଦେଖିବାକୁ ମିଳିଥିଲା। ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ବୋଲିଂ କରିଥିଲେ। ହେଲେ ପଞ୍ଜାବ ପାଇଁ ବୀରେନ୍ଦ୍ର ସେହବାଗ ଆକ୍ରମଣାତ୍ମକ ଖେଳିବାକୁ ଯାଇ ୩୦ ରନ୍‌ରେ ଆଉଟ ହେବା ପରେ ଗ୍ଲେନ୍‌ ମ୍ୟାକ୍ସୱେଲ ଚୌକା, ଛକାର ବର୍ଷା ଆରମ୍ଭ କରିଦେଇଥିଲେ। ମ୍ୟାକ୍ସୱେଲ (୯୦), ଡେଭିଡ୍‌ ମିଲର (୪୭), ଜର୍ଜ ବିଲି (୪୦*), ମିଚେଲ ଜନସନ (୧୧*)ଙ୍କ ବଳ‌ରେ ପଞ୍ଜାବ ୪ ୱିକେଟ ବିନିମୟରେ ୨୩୧ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ଭଲ ଖେଳିଥିଲେ ବି ନିର୍ଧାରିତ ଓଭର ବେଳକୁ ୬ ୱିକେଟ ହରାଇ ୧୮୭ ରନ୍‌ କରିପାରିଥିଲା। ଦଳୀୟ ସ୍କୋରରେ ବ୍ରେଣ୍ଡନ ମ୍ୟାକଲମ୍‌ ୩୩, ସୁରେଶ ରାଇନା ୩୫, ଫାଫ୍‌ ଡୁପ୍ଲେସିସ୍‌ ୫୨, ‌ମହେନ୍ଦ୍ର ସିଂହ ଧୋନି ୨୩ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର