ନୂଆଦିଲ୍ଲୀ,: ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍କୁ ନେଇ ଅନିଶ୍ଚିତତା ଜାରି ରହିଛି। ପୂର୍ବତନ ଖେଳାଳି ଆକାଶ ଚୋପ୍ରା କିନ୍ତୁ କହିଛନ୍ତି ଭାରତୀୟ ଦଳ ପାଇଁ ଧୋନି ଆଉ ଖେଳିନପାରନ୍ତି। ନିରବରେ ସେ ଭାରତୀୟ କ୍ରିକେଟ୍ ପାଇଁ ହିଁ ଗତ ବିଶ୍ବକପ୍ରେ ନିଜର ଶେଷ ମ୍ୟାଚ୍ ଖେଳି ସାରିଛନ୍ତି ବୋଲି ଚୋପ୍ରା ପ୍ରକାଶ କରିଛନ୍ତି। ମାଞ୍ଚେଷ୍ଟରଠାରେ ଖେଳିଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ୍ ଧୋନିଙ୍କ ପାଇଁ ଶେଷ ମ୍ୟାଚ୍ ଥିଲା ବୋଲି ଚୋପ୍ରା କହିଛନ୍ତି। ଆଇପିଏଲ୍ରେ ଭଲ ଖେଳିଲେ ସେ ଟି-୨୦ ବିଶ୍ବକପ୍ ଦଳକୁ ଫେରିପାରନ୍ତି ବୋଲି ଅନେକ ବିଶ୍ବାସ କରୁଥିଲେ ମଧ୍ୟ ମୋ ମତରେ ସେ ମାଞ୍ଚେଷ୍ଟର୍ଠାରେ ହିଁ ଶେଷ ମ୍ୟାଚ୍ ଖେଳି ସାରିଛନ୍ତି ବୋଲି ଚୋପ୍ରା ପ୍ରକାଶ କରିଛନ୍ତି। ଏହା ପରଠାରୁ ସେ ଦଳରୁ ବାଦ୍ ପଡ଼ିନାହାନ୍ତି, କିନ୍ତୁ ଆଉ ଦେଶ ପାଇଁ ଖେଳିବେ ନାହିଁ ବୋଲି ନିଶ୍ଚିତ ମନ ସ୍ଥିର କରିସାରିଛନ୍ତି। ଟି-୨୦ ବିଶ୍ବକପ୍ ଯଦି ଖେଳାଯାଏ ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିମ୍ବା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କିମ୍ବା ଅଧିନାୟକ ବିରାଟ କୋହଲିଙ୍କ ଡକରା ପାଇ ସେ ଖେଳିପାରନ୍ତି। ଏହି ଗୋଟିଏ ସମ୍ଭାବନା ରହିଛି ବୋଲି ଚୋପ୍ରା ପ୍ରକାଶ କରିଛନ୍ତି। ମୋ ମତରେ ଧୋନି ନିଜକୁ କହି ସାରିଛନ୍ତି 'ମୁଁ ଆଉ ଖେଳିବାର ନାହିଁ, ମୋତେ ବି ବିଦାୟୀ ମ୍ୟାଚ୍ର ଆବଶ୍ୟକତା ନାହିଁ। ମୁଁ ନିରବରେ ଆସିଥିଲି ଏବଂ ନିରବରେ ଚାଲିଯିବି।' ଧୋନି ସେଭଳି ଜଣେ ଖେଳାଳି ଯିଏ ଜନସମୁଦ୍ରଙ୍କ ସମ୍ମୁଖରେ ଅବସର ନେବାକୁ ଚାହାନ୍ତି ନାହିଁ ବୋଲି ଚୋପ୍ରା ପ୍ରକାଶ କରିଥିଲେ।
ଧୋନି କିନ୍ତୁ ଆଉ ଦୁଇ ତିନିଟି ଆଇପିଏଲ୍ ଖେଳିବେ: ଲକ୍ଷ୍ମଣ
ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଅନୁଭବ କରନ୍ତି ପୂର୍ବତନ ଅଧିନାୟକ ତଥା ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଆହୁରି ଦୁଇ ତିନିଟି ଆଇପିଏଲ୍ ଖେଳିବେ। ଧୋନି ସବୁଠୁ ଫିଟ୍ ଅଛନ୍ତି ଏବଂ ବୟସ ତାଙ୍କ ପାଇଁ ଏକ ସଂଖ୍ୟା ଭଳି। କେବଳ ଶାରୀରିକ ଫିଟ୍ ନୁହେଁ, ମାନସିକ ଭାବେ ମଧ୍ୟ ସେ ଦୃଢ଼ମନା ଅଛନ୍ତି। ସିଏସ୍କେର ଅଧିନାୟକତ୍ବକୁ ସେ ଢ଼େର ଉପଭୋଗ ମଧ୍ୟ କରିବେ ବୋଲି ଲକ୍ଷ୍ମଣ ଆଶା ପ୍ରକାଶ କରିଛନ୍ତି। ଧୋନିଙ୍କ କ୍ରିକେଟ୍ ଖେଳକୁ ମୁଁ ଯେତିକି ଜାଣିଛି ସେ ନିଶ୍ଚିତ ଆହୁରି କିଛି ବର୍ଷ ଖେଳିବେ, ମୁଁ ମଧ୍ୟ ତାଙ୍କ ଖେଳ ଦେଖିବାକୁ ବ୍ୟାକୁଳ ରହିଛି। ସେ ନିଜର କ୍ରିକେଟ୍ ଭବିଷ୍ୟତ ସମ୍ପର୍କିତ ନିଷ୍ପତ୍ତି ନେଇପାରିବେ ବୋଲି ମଧ୍ୟ ଲକ୍ଷ୍ମଣ କହିଛନ୍ତି। ୨୦୧୯ ବିଶ୍ବକପ୍ ପରେ ସେ ନିଶ୍ଚିତ ସ୍ପଷ୍ଟଭାବେ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି। ନୂଆ ଚୟନ ସମିତି ଯେଭଳି ଚିନ୍ତା କରୁ ପଛେ, ଧୋନି ସିଏସ୍କେ ପାଇଁ ଖେଳିବା ଜାରି ରଖିବେ। ଆଇପିଏଲ୍-୧୩ କିନ୍ତୁ କରୋନା ଭୂତାଣୁ କାରଣରୁ ଅନିଶ୍ଚିତତା ଭିତରେ ରହିଛି।