ଚେନ୍ନାଇ ସୁପରକିଙ୍ଗସ ପାଇଁ ୨୦୦ତମ ମ୍ୟାଚ ଖେଳିଲେ ଧୋନି

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗରେ ମହେନ୍ଦ୍ର ସିଂ ଧୋନି ଆଜି ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । ନିଜ ଦଳ ଚେନ୍ନାଇ ସୁପରକିଙ୍ଗସ ପାଇଁ ସେ ଆଜି ୨୦୦ତମ ମ୍ୟାଚ ଖେଳୁଛନ୍ତି । ପୂର୍ବରୁ କେବଳ ବିରାଟ କୋହଲି ଗୋଟିଏ ଦଳ ପାଇଁ ୨୦୦ଟି ମ୍ୟାଚ ଖେଳିବାର ରେକର୍ଡ କରିଥିଲେ ।

ତେବେ ୨୦୦୮ରେ ଅନୁଷ୍ଠିତ ଆଇପିଏଲର ପ୍ରଥମ ସଂସ୍କରଣରୁ ହିଁ ଆଇପିଏଲ ଖେଳୁଥିବା ଧୋନି ଏପର୍ଯ୍ୟନ୍ତ ମୋଟ ୨୩୦ଟି ମ୍ୟାଚ ଖେଳିସାରିଲେଣି । ତେବେ ୨୦୧୬ ଓ ୨୦୧୭ରେ ସେ ରାଇଜିଂ ପୁନେ ସୁପରଜାଣ୍ଟସ ପାଇଁ ଖେଳିଥିଲେ । ଏହି ଦୁଇବର୍ଷ ସିଏସକେ ଦଳକୁ ନିଲମ୍ବିତ କରାଯାଇଥିଲା ।

ଅନ୍ୟପକ୍ଷରେ ବିରାଟ କୋହଲି ଏପର୍ଯ୍ୟନ୍ତ ବାଙ୍ଗାଲୋର (ଆରସିବି) ଦଳପାଇଁ ମୋଟ ୨୧୮ଟି ମ୍ୟାଚ ଖେଳିଛନ୍ତି । ୨୦୦୮ରୁ ହିଁ ସେ ଆରସିବି ପାଇଁ ଖେଳୁଛନ୍ତି । ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ରେକର୍ଡ ଧୋନିଙ୍କ ନାମରେ ଥିବାବେଳେ ଗୋଟିଏ ଦଳ ପାଇଁ ସର୍ବାଧିକ ମ୍ୟାଚ ଖେଳିବାର ରେକର୍କ କୋହଲିଙ୍କ ନାମରେ ରହିଛି । ସୁରେଶ ରାଇନା ଏପର୍ଯ୍ୟନ୍ତ ୧୭୬ଟି ମ୍ୟାଚ ଖେଳିସାରିଛନ୍ତି ଓ ରବୀନ୍ଦ୍ର ଜାଦେଜା ୧୪୨ଟି ମ୍ୟାଚ ଖେଳିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଆଇପିଏଲରେ ଚେନ୍ନାଇ ଓ ବାଙ୍ଗାଲୋର ଦଳ ମଧ୍ୟରେ ମୁକାବିଲା ଚାଲିଛି । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରୁଛି ।

ସମ୍ବନ୍ଧିତ ଖବର