ଯେ କୌଣସି ସ୍ଥାନରେ ବ୍ୟାଟିଂ ପାଇଁ ଧୋନି ପ୍ରସ୍ତୁତ

ମେଲବର୍ନ: ଭାରତୀୟ ଦିନିକିଆ ଦଳର କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ବ୍ୟାଟିଂ କରିବା ମୋ ଦାବି କି ପସନ୍ଦ ନୁହେଁ, ବରଂ ଦଳ‌ ମୋତେ ଯେଉଁ ସ୍ଥାନରେ ଚାହିଁବ ସେହି ନମ୍ବରରେ ଖେଳିବାକୁ ମୁଁ ପ୍ରସ୍ତୁତ ବୋଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ପଷ୍ଟ କରିଛନ୍ତି। ଭାରତକୁ ଶୁକ୍ରବାର ନିଜ ପରିଶ୍ରମୀ ୮୭* ରନ୍ ବଳରେ ଶୃଙ୍ଖଳା ବିଜୟ ପ୍ରଦାନ କରିଥିବା ଧୋନି କହିଛନ୍ତି, ‘ମୁଁ ଯେ କୌଣସି ସ୍ଥାନରେ ବ୍ୟାଟିଂ କଲେ ବି ଖୁସୀ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଦଳ ମୋତେ କେଉଁଠି ଚାହୁଁଛି। ମୁଁ ୪ କି ୬ ନମ୍ବରରେ ଖେ‌ଳେ ସେଥିରେ ଯାଏ ଆସେ ନାହିଁ। ଦଳର ସନ୍ତୁଳନ କିନ୍ତୁ ସୁରକ୍ଷିତ ରହିବା ଉଚିତ। ଦେଶ ପାଇଁ ୧୪ ବର୍ଷ ଖେଳି ସାରିବା ପରେ ମୁଁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ (୬ ନମ୍ବର) ଆଉ ଖେଳିପାରିବି ନାହିଁ ବୋଲି କହିପାରିବିନି। ଧୋନି ଶୁକ୍ରବାର ୪ ନମ୍ବର ସ୍ଥାନରେ ଖେଳି କେଦାର ଯାଦବଙ୍କ ସହିତ ଗଢ଼ିଥିବା ୧୨୧ ରନ୍ ଭାଗୀଦାରି ଭାରତକୁ ୪ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲା। ଶୁକ୍ରବାରର ବିଜୟ ସମ୍ପର୍କରେ ଧୋନି କହିଥିଲେ, ‘ଏମ୍‌ସିଜିରେ ୱିକେଟ୍‌ ମନ୍ଥର ଥିଲା, ଯେତେବେଳେ ଚାହିଁବ ବଡ ସଟ୍ ଖେଳିବା କଷ୍ଟକର ଥିଲା। କୌଣସି ସମୟରେ ବୋଲରଙ୍କୁ ପଛରେ ପଡ଼ି ଧୂଲେଇ କରିବା ସ୍ଥିତି ନ ଥିଲା। ତେଣୁ ଯୋଜନା ଅନୁସାରେ ବ୍ୟାଟିଂ କରିଥିଲୁ, କେଦାର ଯାଦବ ଭଲ ସମର୍ଥନ ଦେଇଥିଲେ ଏବଂ ଯୋଜନାକୁ ସଠିକ୍ କାର୍ଯ୍ୟକାରୀ କରିଥିଲେ’ ବୋଲି‌ ଧୋନି କହିଥିଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ଧୋନି, କେଦାର ଏବଂ ଚହଲଙ୍କ ପ୍ରଶଂସା କରିଥିଲେ। ବିଶ୍ବକପ୍ ପାଇଁ ଦଳର ଆତ୍ମବିଶ୍ବାସ ଠିକ୍ ରହିଛି ଏବଂ ସନ୍ତୁଳିତ ଦଳ ପ୍ରସ୍ତୁତିକୁ ନଜରରେ ରଖି‌ଛୁ ବୋଲି କୋହଲି କହିଥିଲେ।

‌ଧୋନିଙ୍କ ବିକଳ୍ପ ନାହିଁ: ଶାସ୍ତ୍ରୀ
ମହେନ୍ଦ୍ର ସିଂହ ଧୋନିଙ୍କ ବୟସ ୩୭ ହୋଇଗଲାଣି ଏବଂ ସେ ଆଉ ଆଗ ଭଳି ବିସ୍ଫୋରକ ବ୍ୟାଟିଂ କରିପାରୁ ନାହାନ୍ତି ସତ କିନ୍ତୁ ସେ ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ। ଧୋନିଙ୍କ ବିକଳ୍ପ କେହି ନାହିଁ ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଧୋନିଙ୍କ ଭଳି ଖେଳାଳି ଏ ଧରାପୃଷ୍ଠକୁ ୩୦/୪୦ ବର୍ଷରେ ଧରେ ଆସନ୍ତି। ତେଣୁ କରି ମୁଁ ଖେଳାଳିମାନଙ୍କୁ କହିଛି ତାଙ୍କ ସହିତ ଯେତେ ପାରୁଛ ଉପଭୋଗ କର। ସେ ଯିବା ପରେ ଶୂନ୍ୟସ୍ଥାନ ନିଶ୍ଚିତ ଅପୂରଣୀୟ ରହିବ। ମୁଁ ଜାଣିଛି ଋଷବ ପନ୍ତ୍‌ ଅଛନ୍ତି, କିନ୍ତୁ ଧୋନି କ୍ରିକେଟ୍‌ର ରାଷ୍ଟ୍ରଦୂତ ଏବଂ ଏତେ ଦିନ ଖେଳିବା ଚମତ୍କାର ବୋଲି ଶାସ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ମେ’-ଜୁନ୍‌ରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ଲାଗି ଧୋନି ପ୍ରଥମ ପସନ୍ଦ ୱିକେଟ୍‌ରକ୍ଷକ ଭାବେ ନିଶ୍ଚିତ ଯିବେ। ୱିକେଟ୍‌ ପଛପଟେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଶାସ୍ତ୍ରୀ କହିଛନ୍ତି। ଟେଷ୍ଟ୍ ଶୃଙ୍ଖଳା ବେଳେ ଋଷବ ପନ୍ତ୍‌ ସମ୍ଭବତଃ ଅନ୍ୟ କାହା ସହ ଏତେ ଥର କଥା ହୋଇନଥିବେ ଯେତେଥର ଧୋନିଙ୍କ ସହ କଥା ହୋଇଛନ୍ତି। ସେହିଭଳି ଧୋନି-କୋହଲିଙ୍କ ମଧ୍ୟରେ ଥିବା ସମ୍ପର୍କ ମୋ ଡ୍ରେସିଂ ରୁମ୍ କାମକୁ ସହଜ କରିଦିଏ ବୋଲି କହିଥିଲେ ଶାସ୍ତ୍ରୀ। ପ୍ରଶିକ୍ଷକ ଭାବେ ମୁଁ ଟେକ୍‌ନିକ୍ ତୁଳନାରେ ମାନସିକତା ଉପରେ ଅଧିକ କାମ କରୁଛି। ଖେଳାଳିଙ୍କ ଭିତରେ ଥିବା ଭୟ ଦୂର କରିଥାଏ। ମୁଁ ପ୍ରଶିକ୍ଷକ ନୁହେଁ, ଅନ୍ୟ କିଛି’ ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ଆଗାମୀ ବିଶ୍ବକପ୍‌ରେ ଭାରତ ଏବଂ ଇଂଲଣ୍ଡ ସହିତ ୪ଟି ଦଳ ଦାବିଦାର ରହିବେ ବୋଲି ମଧ୍ୟ ସେ ମତ ରଖଥିଲେ। ଭାରତ ଏକ ବିପଜ୍ଜନକ ଦଳ। ବର୍ତମାନର ଇଂଲଣ୍ଡ ଦଳ ମୁଁ ଦେଖିଥିବା ଦଳ ମଧ୍ୟରୁ ଶ୍ରେଷ୍ଠ’ ବୋଲି ଶାସ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର