ପୁଣି ପଡ଼ିଆରେ ଚମକିବେ ଧୋନି, ମାର୍ଚ୍ଚ ୨ରୁ ଆଇପିଏଲ୍‌ ପ୍ରସ୍ତୁତି କରିବେ

ଚେନ୍ନାଇ: କ୍ରିକେଟ୍‌କୁ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତନ ପାଇଁ ମହେନ୍ଦ୍ର ସିଂହ ଧୋନି ସଜବାଜ ହେଲେଣି। ମାର୍ଚ୍ଚ ୨୯ ତାରିଖରୁ ଚଳିତ ବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଆରମ୍ଭ ହେବାକୁ ଯାଉଥିଲା ବେଳେ ଧୋନି କେବେ ପଡ଼ିଆକୁ ଫେରିବେ ସେ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଏହି ଚର୍ଚ୍ଚା ଉପରୁ ଧୋନି ମଙ୍ଗଳବାର ପ୍ରାୟତଃ ପରଦା ଉଠାଇଛନ୍ତି। ସେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆଇପିଏଲ୍‌ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ଧୋନି ୨ରୁ ହିଁ ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଅନ୍ୟ କେତେକ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ ଆରମ୍ଭ କରିଦେବେ ବୋଲି ସୂଚନା ଦେଇଛନ୍ତି। ବିଶେଷକରି ଗତ ତିନି ସପ୍ତାହ ଧରି ଏଠାରେ ଅଭ୍ୟାସ ଚଳାଇଥିବା ସୁରେଶ ରାଇନା‌, ଅମ୍ବାତି ରାୟୁଡୁଙ୍କ ଭଳି ସାଥୀଙ୍କ ସହ ଧୋନି ଦୁଇ ସପ୍ତାହ ଧରି ଅଭ୍ୟାସ କରିବେ। ଧୋନିଙ୍କ ଫେରିବା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ପ୍ରସ୍ତୁତି ଜୋର୍‌ଦାର ହେବ ଏବଂ ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଦଳର ସନ୍ତୁଳନ ସଜାଡ଼ିବାରେ ସହାୟକ ହେବ। ମାର୍ଚ୍ଚ ୨୯ ତାରିଖ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ମୁକାବିଲା ଗତଥର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ସହ ହେବ।

ସମ୍ବନ୍ଧିତ ଖବର