ଧୋନିଙ୍କ କୀର୍ତିମାନ

ଦୁବାଇ: ଏସିଆ କପ୍ ଫାଇନାଲ୍‌ରେ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୮୦୦ ଆଉଟ୍ କରାଇଥିଲେ। ଏ କ୍ଷେତ୍ରରେ ସେ ପ୍ରଥମ ଏସୀୟ ହୋଇଥିଲେ। ସବୁ ଫର୍ମାଟକୁ ମିଶାଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିନ୍ତୁ ଧୋନି (୮୦୦) ଦକ୍ଷିଣ ଆଫ୍ରିକାର ମାର୍କା ବାଉଚର (୯୯୮), ଅଷ୍ଟ୍ରେଲିଆର ଆଡାମ୍ ଗିଲକ୍ରିଷ୍ଟ୍ (୯୦୫)ଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ଏସିଆ କପ୍‌ରେ ସର୍ବାଧିକ ୧୨ ଆଉଟ୍ କରାଇ ଶୀର୍ଷରେ ରହିଛନ୍ତି। ଧୋନି ୱିକେଟ୍ ପଛପଟେ ୧୨ ଷ୍ଟମ୍ପିଂ/କ୍ୟାଚ୍ କରିଥିବାବେଳେ ମୁସଫିକର ରହିମ୍ (୬), ଲିଟିନ୍ ଦାସ (୪), ମହମ୍ମଦ ସେହଜାଦ (୪), ସର୍ଫରାଜ ଅହମ୍ମଦ (୪), କୁସାଲ ପେରେରା (୨) ପଛକୁ ପଛ ରହିଥିଲେ। ବୁଧବାରର ଧୈର୍ଯ୍ୟପୂର୍ଣ୍ଣ ପାଳି (୩୬, ୬୭ ବଲ୍) ଅବସରରେ ଧୋନି ମଧ୍ୟ ନିଜ ନାମରେ ଆଉ ଏକ ଭାରତୀୟ କୀର୍ତିମାନ କରି ନେଇଥିଲେ। ବାଂଲାଦେଶ ବିପକ୍ଷରେ ଏକଦିବସୀୟ ରନ୍ କରିବାରେ ସେ ବୀରେନ୍ଦ୍ର ସେବହାଗଙ୍କୁ ପଛରେ ପକାଇ ଦେଇଥିଲେ। ବାଂଲାଦେଶ ବିପକ୍ଷରେ ସେହବାଗ ୧୨ ମ୍ୟାଚ୍ ଖେଳି ୫୦୩ ରନ୍ କରିଥିଲେ। ଧୋନି ଏବେ ୨୦ ମ୍ୟାଚ୍ ଖେଳି ୫୩୪ ରନ୍ କରି ସାରିଛନ୍ତି। କିନ୍ତୁ ବାଂଲାଦେଶ ବିପକ୍ଷରେ ସର୍ବାଧିକ ରନ୍ କରିବାର ଭାରତୀୟ କୀର୍ତିମାନ ବିରାଟ କୋହଲି (୬୫୪ ରନ୍, ୧୧ ମ୍ୟାଚ୍)ଙ୍କ ନାମରେ ରହିଛି। ଗତ ଇଂଲଣ୍ଡ ଗସ୍ତରେ ଧୋନି ଚତୁର୍ଥ ଭାରତୀୟ ଭାବେ ୧୦,୦୦୦ ଦିନିକିଆ ରନ୍ ଅତିକ୍ରମ କରିଥିଲେ। ପୂର୍ବରୁ ଏହି କ୍ଲବ୍ରେ ସଚିନ ତେନ୍ଦୁଲକର,‌ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଥିଲେ। ସର୍ବକାଳୀନ ତାଲିକାରେ କିନ୍ତୁ‌ ଧୋନି ୧୨ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର