ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ନିଆରା ସ୍ବଭାବ ପାଇଁ ପରିଚିତ। ସେ କେତେବେଳେ କ’ଣ କରି ଦିଅନ୍ତି, ତାହା ତାଙ୍କ ନିକଟତମ ବନ୍ଧୁ ଓ ପରିବାରବର୍ଗ ମଧ୍ୟ ଜାଣି ପାରି ନଥାଆନ୍ତି। ସେଥିପାଇଁ ବିଳମ୍ବରେ ହେଲେ ମଧ୍ୟ ଧୋନିଙ୍କୁ ନେଇ ଅନେକ ରୋଚକ କାହାଣୀ ରହି ରହି ପଦାକୁ ଆସେ। ଧୋନିଙ୍କୁ ନେଇ ଘଟିଥିବା ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଉପରୁ ଏକଦା ଭାରତୀୟ କ୍ରିକେଟ୍ ଦଳର ସଙ୍କଟ ମୋଚକ ଥିବା ଭିଭିଏସ୍ ଲକ୍ଷ୍ମଣ ଉଠାଇଛନ୍ତି। ନିଜ ଆତ୍ମଜୀବନୀ ‘୨୮୧ ଆଣ୍ଡ ବିଅଣ୍ଡ’ରେ ଧୋନି କିଭଳି ନିଜ ଟେଷ୍ଟ ନେତୃତ୍ବର ଶୁଭାରମ୍ଭକୁ ବସ୍ ଚଳାଇ ପାଳନ କରିଥିଲେ ଲକ୍ଷ୍ମଣ ତାହା ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ୨୦୦୮ ମସିହାରେ ଦିଲ୍ଲୀରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମୋ ଖେଳ ଜୀବନର ଶତକୀୟ ପାଞ୍ଚ ଦିନିଆ ମ୍ୟାଚ୍ ଥିଲା। ସେହି ମ୍ୟାଚ୍ ଅବସରରେ ଧୋନି ଦିନେ ନିଜେ ବସ୍ ଚଳାଇ ଆମକୁ ଦଳୀୟ ହୋଟେଲକୁ ନେଇଥିଲେ। ମୁଁ ଏହାକୁ ବିଶ୍ବାସ କରି ପାରି ନଥିଲି। କେମିତି ଜଣେ ଅଧିନାୟକ ଆମକୁ ପଡ଼ିଆରୁ ହୋଟେଲକୁ ବସ୍ ଚଳାଇ ନେଉଛନ୍ତି! ଅଧିନାୟକ ଭାବେ ଧୋନିଙ୍କର ଏହା ପ୍ରଥମ ଟେଷ୍ଟ ଥିଲା। ଅନୀଲ କୁମ୍ବଲେଙ୍କ ଅବସର ପରେ ସେ ଭାରତୀୟ ଦଳର ମଙ୍ଗ ଧରିଥିଲେ। ହେଲେ ଧୋନି ସମ୍ଭବତଃ ଏହାକୁ ବିଶେଷ ଗୁରୁତ୍ବ ଦେଉ ନଥିଲେ। ସେ ସବୁବେଳେ ସେମିତି ଥିଲେ। ନମ୍ର, ଶାନ୍ତ ଏବଂ ଖୁସମିଜାଜ। ଧୋନି ତାଙ୍କ ପିଲାଳିଆମିକୁ କେବେବି ଛାଡ଼ି ନଥିଲେ। ଏହା ହିଁ ତାଙ୍କ ମହାନତା। ତାଙ୍କ ଭଳିଆ ଆଉ ଜଣେ ଲୋକଙ୍କୁ ମୁଁ ମୋ ଜୀବନରେ କେବେବି ଭେଟି ନାହିଁ। ଦଳ ଭଲ କରୁ ନଥିଲା ବେଳେ ମଧ୍ୟ ଧୋନି କିଭଳି ଆଦୌ ଧୈର୍ଯ୍ୟ ହରାଉନଥିଲେ ସେ ବିଷୟରେ ମଧ୍ୟ ଲକ୍ଷ୍ମଣ ନିଜ ବହିରେ ସୂଚନା ଦେଇଛନ୍ତି।
ଅଧିନାୟକ ହେବା ଖୁସିରେ ବସ୍ ଚଳାଇଥିଲେ ଧୋନି
/sambad/media/post_attachments/wp-content/uploads/2018/08/715005-ms-dhoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)