ମୁମ୍ବାଇ: ଗତକାଲି (ଏପ୍ରିଲ ୧୮ ତାରିଖ) ଥିଲା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ତ୍ରୟୋଦଶ ବାର୍ଷିକ ଉତ୍ସବ। ଏହି ଲୋଭନୀୟ ଲିଗ୍ର ତ୍ରୟୋଦଶ ସଂସ୍କରଣ ଆୟୋଜନ ନେଇ ଚଳିତ ବର୍ଷ ଆଶଙ୍କା ଉପୁଜିଥିଲା ବେଳେ ବାର୍ଷିକ ଉତ୍ସବ ଅବସରରେ ଷ୍ଟାର୍ ସ୍ପୋର୍ଟସ୍ ପକ୍ଷରୁ ସର୍ବକାଳୀନ ମହାନ୍ ଅଧିନାୟକ, ବ୍ୟାଟ୍ସମ୍ୟାନ୍, ବୋଲର ଓ ଅଲ୍ରାଉଣ୍ଡରଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। କ୍ରିକେଟ୍ ସହ ଜଡ଼ିତ ବିଶେଷଜ୍ଞ ବିଚାରକମାନେ ଏହି ତାଲିକା ବାଛିଥିଲେ। ମୋଟ ୫୦ ଜଣ ବିଚାରକ ପ୍ରଥମେ ପ୍ରତ୍ୟେକ ଖେଳାଳି ବର୍ଗରେ ଶ୍ରେଷ୍ଠ ୧୦ ଏବଂ ଅଧିନାୟକ ଓ ପ୍ରଶିକ୍ଷକ ବର୍ଗରେ ଶ୍ରେଷ୍ଠ ୫ ଲେଖାଏଁର ଏକ ତାଲିକା ପ୍ରସ୍ତୁତ କରିଥିଲେ। ଏହାପରେ ସମସ୍ତଙ୍କ ମତ ନେଇ ତିନି ଜଣିଆ ତାଲିକା ହେବା ପରେ କେକେଆର୍ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର, ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା ବିଶ୍ବ ଟ୍ବେଣ୍ଟି-୨୦ ବିଜେତା ବ୍ୟାଟ୍ସମ୍ୟାନ୍ କେଭିନ୍ ପିଟରସନ୍, ବିଶ୍ବକପ୍ ଓ ଆଇପିଏଲ୍ ବିଜେତା ଆଶିଷ ନେହେରା, ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ୍ ଏବଂ ପୂର୍ବତନ ନୁଜିଲାଣ୍ଡ ଦ୍ରୁତ ବୋଲର ତଥା ଆଇପିଏଲ୍ ଭାଷ୍ୟକାର ଡାନି ମୋରିସନ୍ ଚୂଡାନ୍ତ ତାଲିକା ବାଛିଥିଲେ। ସେଥିରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଯୁଗ୍ମ ଭାବେ ଆଇପିଏଲ୍ର ଶ୍ରେଷ୍ଠ ଅଧିନାୟକ ମନୋନୀତ ହୋଇଛନ୍ତି। ଧୋନି ସିଏସ୍କେ ପାଇଁ ୧୧ ଋତୁରେ ନେତୃତ୍ବ ନେଇଥିଲା ବେଳେ ୧୦ ଥର ଦଳକୁ ପ୍ଲେଅଫ୍ ନେଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଋତୁ ମଧ୍ୟରେ ୪ ଥର ଟ୍ରଫି ଭେଟି ଦେଇଛନ୍ତି ରୋହିତ ଶର୍ମା।
ସେହିପରି ଏବି ଡିଭିଲିୟର୍ସ, ଲସିତ୍ ମାଲିଙ୍ଗା ଓ ସେନ୍ ୱାଟ୍ସନ୍ ଯଥାକ୍ରମେ ବ୍ୟାଟ୍ସମ୍ୟାନ୍, ବୋଲର ଓ ଅଲ୍ରାଉଣ୍ଡର ବର୍ଗରେ ସର୍ବକାଳୀନ ମହାନ୍ ବିବେଚିତ ହୋଇଛନ୍ତି। ଦୁଇ ଭାରତୀୟ ସୁରେଶ ରାଇନା ଓ ବିରାଟ କୋହଲି ଆଇପିଏଲ୍ରେ ସବୁଠୁ ଅଧିକ ସ୍କୋର୍ କରିଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକୀୟ ତାରକା ଡିଭିଲିୟର୍ସ ଉଭୟଙ୍କୁ ପଛରେ ପକାଇ ଦେଇଛନ୍ତି। ସେହିପରି ଏପର୍ଯ୍ୟନ୍ତ ଆଇପିଏଲ୍ରେ ୧୨୨ ମ୍ୟାଚ୍ ଖେଳି ୧୭୦ ୱିକେଟ୍ ଦଖଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ସିଂହଳୀ ଦ୍ରୁତ ବୋଲର ମାଲିଙ୍ଗାଙ୍କୁ ବିଚାରକମାନେ ଅନାୟାସରେ ମହାନ୍ ବୋଲର ଆଖ୍ୟା ଦେଇଛନ୍ତି। ଅନ୍ୟପକ୍ଷରେ ନିଜର ସ୍ଥିର ପ୍ରଦର୍ଶନ ଯୋଗୁଁ ୱାଟ୍ସନ୍ ଅଲ୍ରାଉଣ୍ଡର ତାଲିକାରେ ଦୁଇ ୱେଷ୍ଟଇଣ୍ଡିଜ୍ ତାରକା ଡ୍ବେନ୍ ବ୍ରାଭେ ଓ ଆନ୍ଦ୍ରେ ରସେଲଙ୍କୁ ପଛରେ ପକାଇ ଦେଇଛନ୍ତି।
ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇପିଏଲ୍ର ମହାନ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୋନୀତ ହୋଇଛନ୍ତି। କୋହଲି ଏପର୍ଯ୍ୟନ୍ତ ୧୭୭ ମ୍ୟାଚ୍ ଖେଳି ୩୭.୮୪ ହାରରେ ୫୪୧୨ ରନ୍ ନିଜ ନାମରେ ରଖିଛନ୍ତି। ଯାହାକି ଆଇପିଏଲ୍ ଇତିହାସରେ ସର୍ବୋଚ୍ଚ ସ୍କୋର୍। ପୁଣି ଆଇପିଏଲ୍ର ଶ୍ରେଷ୍ଠ ପ୍ରଶିକ୍ଷକ ତାଲିକାରେ ସବୁଠୁ ଭଦ୍ର ଓ ନମ୍ର ଭାବେ ପରିଚିତ ସିଏସ୍କେର ଷ୍ଟିଫେନ୍ ଫ୍ଲେମିଂ ସର୍ବାଗ୍ରେ ରହିଛନ୍ତି। ସେ ଅଳ୍ପକେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)ର ଟ୍ରେଭର ବେଲିସ୍ଙ୍କୁ ପଛରେ ପକାଇ ଦେଇଛନ୍ତି।
ଧୋନିଙ୍କ ବିନା ସିଏସ୍କେ ସେଭଳି ନୁହେଁ: ଡୁ ପ୍ଲେସିସ୍
ନୂଆଦିଲ୍ଲୀ: ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳରେ ଏହାର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଗୁରୁତ୍ବ କଥା ସମସ୍ତଙ୍କୁ ଜଣା। ସେଥିପାଇଁ ରବିବାର ଇନ୍ଷ୍ଟାଗ୍ରାମ ଲାଇଭ୍ ପୃଷ୍ଠାରେ ଏହି ଦଳର ଦକ୍ଷିଣ ଆଫ୍ରିକୀୟ ଖେଳାଳି ଫାପ୍ ଡୁ ପ୍ଲେସିସ୍ କହିଛନ୍ତି, ତାଙ୍କ ବିନା ସିଏସ୍କେ ସମାନ ଦଳ ନୁହେଁ। ତାଙ୍କ ନେତୃତ୍ବରେ ଚେନ୍ନାଇ ୮ ଥର ଆଇପିଏଲ୍ ଫାଇନାଲ୍ ଖେଳିଥିଲା। ‘ଥରେ ଏମ୍ଏସ୍ ପଡିଆରୁ ବାହାରି ଗଲେ ଚେନ୍ନାଇ ଏକ ଭିନ୍ନ ଦଳ ପାଲଟିଯିବ। ସେ ଦଳ ଭିତରେ ଏଭଳି ଏକ ଦୃଢ଼ ନେତୃତ୍ବ ଦେଇଥିଲେ’ ବୋଲି ଏହି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ପ୍ରକାଶ କରିଥିଲେ। ଦଳରେ ସେ ନଥିଲେ ଏକ ବୃହତ୍ ଶୂନ୍ୟତା ସୃଷ୍ଟି ହେବ। ଏହି ଦଳ ମଧ୍ୟ ଅନ୍ୟ ଜଣେ ଅଧିନାୟକଙ୍କ ଅଧୀନରେ ଖେଳିବା କଷ୍ଟକର ହେବ। ଜଣେ ଅଧିନାୟକ ଭାବେ ସେ ମଧ୍ୟ ମୋଠାରୁ ବେଳେ ବେଳେ ପଡିଆ ସଜାଇବାରେ ପରାମର୍ଶ ନେଉଥିଲେ। ସେ ଅଧିନାୟକ ଭାବେ ମୋ ମୂଲ୍ୟ ବୁଝୁଥିଲେ ବୋଲି ଡୁ ପ୍ଲେସିସ୍ ପ୍ରକାଶ କରିଥିଲେ। କରୋନା ଭୂତାଣୁ ସମ୍ପର୍କରେ ଫାପ୍ କହିଥିଲେ, ‘ଖେଳଠାରୁ ବି ଅଧିକ ଗମ୍ଭୀର କଥା ଜୀବନରେ ରହିଛି ଏହି ପରିସ୍ଥିତି ପ୍ରମାଣିତ କରିଛି’। କିନ୍ତୁ ଖେଳାଳି ଓ ପ୍ରଶଂସକଙ୍କ ପାଇଁ ଆଇପିଏଲ୍ ଆଭ୍ୟନ୍ତରୀଣ ଅଙ୍ଗ ପାଲଟିଯାଇଛି। ଆପଣ ଜାଣନ୍ତି ମୁଁ ଗତ ୧୦ ବର୍ଷ ହେବ ଆଇପିଏଲ୍ ସହିତ ସଂଶ୍ଲିଷ୍ଟ ରହିଛି। ଏଠାରେ ଖେଳିବାକୁ ଭଲ ପାଏ, ବିଭିନ୍ନ ଖେଳାଳିଙ୍କ ସହ ଓ ବିପକ୍ଷରେ ଖେଳିବାରେ ଏହା ଶୀର୍ଷକୁ ଛୁଇଁଛି। ନୂଆ ବଂଧୁ ପାଇବାର ମଧ୍ୟ ଏହା ଏକ ମାଧ୍ୟମ ବୋଲି ମଧ୍ୟ ଫାପ୍ ପ୍ରକାଶ କରିଥିଲେ।