ଆଇପିଏଲ୍‌ରେ ଆଜି ଧୋନି-ରୋହିତ, ସଂଜୁ-ୱାର୍ଣ୍ଣର ମୁକାବିଲା

ମୁମ୍ବାଇ/ଗୁଆହାଟୀ : ଆଇପିଏଲ୍‌ରେ ଶନିବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ମୁକାବିଲା ରହିଛି। ଗୁଆହାଟୀରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ରାଜସ୍ଥାନ ରୟାଲ୍ସ ଖେଳିବା ପରେ ରାତିରେ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ଭିଡ଼ାଭିଡ଼ି ହେବେ। ରାତିରେ ଖେଳାଯିବାକୁ ଥିବା ମୁମ୍ବାଇ-ଚେନ୍ନାଇ ମୁକାବିଲା ଉପରେ ନିଶ୍ଚିତ କ୍ରିକେଟ୍‌ ପ୍ରେମୀଙ୍କ ନଜର ଅଧିକ ରହିବ। ୫ ଥର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନିକଟରୁ ହାରିଥିବାରୁ ଚାପରେ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସୁପର୍‌ କିଙ୍ଗ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଗୁଜରାଟ ଜାଏଣ୍ଟସ୍‌ ନିକଟରୁ ହାରିଯାଇଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌କୁ ପରାସ୍ତ କରି ପ୍ରତ୍ୟାବର୍ତନ କରିଛି। ଫଳରେ ଏହି ଦୁଇ ପୁରୁଣା ଦଳ ମଧ୍ୟରେ ଆଉ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ବିଗତ ୧୫ ବର୍ଷ ମଧ୍ୟରେ ୧୩ଟି ସଂସ୍କରଣରେ ଏହି ଦୁଇ ଦଳ ପରସ୍ପର ସହ ୩୪ ଥର ଖେଳିଥିବା ବେଳେ ମୁମ୍ବାଇ ୨୦ ବିଜୟ ସହ ଆଗରେ ରହିଛି।

ରୋହିତ ଶର୍ମାଙ୍କ ପାଇଁ ବ୍ୟକ୍ତିଗତ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି। ବଡ଼ ସ୍କୋର୍‌ କରିବା ସତ୍ତ୍ବେ ଆର୍‌ସିବି ନିକଟରୁ ହାରିବା ମଧ୍ୟ ଦଳକୁ ଚାପରେ ରଖିଛି। କେବଳ ଚେନ୍ନାଇ ସୁପର୍‌ କିଙ୍ଗ୍ସର ବୋଲିଂ ଦୁର୍ବଳତାରୁ ଦଳ ଫାଇଦା ଉଠାଇବା ଆଶାରେ ରହିଛି। ଅନଭିଜ୍ଞ ରାଜବର୍ଦ୍ଧନ ହଙ୍ଗର୍ଗେକର ଓ ତୁଷାର ଦେଶପାଣ୍ଡେଙ୍କ ବିଶୃଙ୍ଖଳିତ ବୋଲିଂ ପାଇଁ ଧୋନି ଗତ ମ୍ୟାଚ୍‌ରେ ସତର୍କବାଣୀ ଶୁଣାଇ ସାରିଛନ୍ତି। ବ୍ୟାଟିଂ ଫ୍ରେଣ୍ଡଲି ୱାଙ୍ଖ୍‌ଡେ ପିଚ୍‌ ଏମାନଙ୍କ ପାଇଁ ଅଧିକ ଆହ୍ବାନ ଆଣିବାର ଆଶଙ୍କା ରଖିଛି। ତଥାପି ମୋଇନ୍ ଅଲୀ, ମିଚେଲ୍ ସାଣ୍ଟନର୍‌ଙ୍କ ବୋଲିଂ ଚେନ୍ନାଇର ଭାଗ୍ୟ ନିର୍ଣ୍ଣୟ କରିବ। ଦକ୍ଷିଣ ଆଫ୍ରିକାର ଯୁବ ବୋଲର ସିସାନ୍ଦା ମଗଲା ୱାଇଡ୍ ୟର୍କର ପାଇଁ ବିଶେଷ ପରିଚିତି ରଖିଥିବାରୁ ସାଣ୍ଟନରଙ୍କ ବଦଳରେ ଖେଳିପାରନ୍ତି। ମୁମ୍ବାଇ ପାଇଁ ଜୋଫ୍ରା ଆର୍ଚର, ଅର୍ସଦ ଖାନ୍‌, କାମେରନ୍ ଗ୍ରିନ୍, ଈଶାନ କିଶନ ନିଶ୍ଚିତ ଭଲ କରିବାକୁ ଆଶା ରଖିବେ। ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମାଙ୍କଠାରୁ ପ୍ରଭାବୀ ପ୍ରଦର୍ଶନର ଲମ୍ବା ଅପେକ୍ଷା ରହିଲାଣି। ତିଲକ ବର୍ମା ଗତ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଦୀପକ ଚହର ଆହତ ସମସ୍ୟାରୁ ଫେରିବା ପରଠାରୁ ସେତେଟା ଭଲ କରୁନଥିବାରୁ ଧୋନିଙ୍କ ଚିନ୍ତା ମଧ୍ୟ ବଢ଼ିଛି।

ଚେନ୍ନାଇ ସୁପର୍‌ କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ଶିବମ ଦୁବେ, ମୋଇନ ଅଲୀ, ବେନ୍ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମିଚେଲ ସାଣ୍ଟନର୍‌, ଦୀପକ ଚହର, ରାଜବର୍ଦ୍ଧନ ହଙ୍ଗର୍ଗେକର।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ (ୱିକେଟରକ୍ଷକ), କାମେରନ୍ ଗ୍ରିନ୍‌, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ନେହାଲ୍ ୱାଧେରା, ଟିମ୍ ଡେଭିଡ୍‌, ହ୍ରିତିକ ସୌକିନ୍‌, ଅର୍ସଦ ଖାନ୍‌, ପୀୟୂଷ ଚାୱଲା, ଜୋଫ୍ରା ଆର୍ଚର।

ରୟାଲ୍ସ ବନାମ କ୍ୟାପିଟାଲ୍ସ
ଅପରାହ୍ଣରେ ଖେଳାଯିବାକୁ ଥିବା ଗୁଆହାଟୀ ମୁକାବିଲାରେ ଡେଭିଡ୍‌ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ସଂଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ। ଲଗାତାର ପରାଜୟ ବରଣ କରିଥିବାରୁ ୱାର୍ଣ୍ଣରଙ୍କ ଦଳ ଚାପରେ ରହିଛି। ମାର୍କ ଉଡ୍‌ (ଲକ୍ଷ୍ନୌ ସୁପର୍ ଜାଏଣ୍ଟସ) ଏବଂ ଅଲଜାରି ଯୋସେଫ୍ (ଗୁଜରାଟ ଟାଇଟନ୍ସ) ଦିଲ୍ଲୀର ବ୍ୟାଟିଂ ଲାଇନ୍‌କୁ ବିଧ୍ବସ୍ତ କରିଥିଲେ ପ୍ରଥମ ଦୁଇ ମୁକାବିଲାରେ। ପୃଥ୍ବୀ ସ’ ଏବଂ ସର୍ଫରାଜ ଖାନ୍‌ଙ୍କ ବିଫଳତା ଦିଲ୍ଲୀକୁ ଭଲ ଆରମ୍ଭ ଦେଇ ପାରିନଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଏକମାତ୍ର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଠାରୁ ମାତ୍ର ୫ ରନ୍‌ରେ ହାରିଥିବାରୁ ମନୋବଳକୁ ଉଚ୍ଚରେ ରଖିଛି। ପଞ୍ଜାବର ୧୯୭ ଜବାବରେ ସଂଜୁଙ୍କ ଦଳ ୧୯୨ ରନ୍ କରିଥିଲା। ଯଶସ୍ବୀ ଜୟସ୍ବାଲଙ୍କଠାରୁ ରାଜସ୍ଥାନ ରୟାଲ୍ସ ଭଲ ପାଳି ଆଶା କରିବ।

ରାଜସ୍ଥାନ ରୟାଲ୍‌ସ: ସଂଜୁ ସାମସନ୍ (ଅଧିନାୟକ, ୱିକେଟରକ୍ଷକ), ଜୋସ୍ ବଟଲର୍‌, ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡ଼ିକଲ, ରୢାନ୍ ପରାଗ, ସିମ୍ରନ ହେଟମେୟର, ଆର୍‌ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ଜାସନ୍ ହୋଲ୍ଡର, ‌କେଏମ୍ ଅସିଫ୍‌।

ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍ ୱାର୍ଣ୍ଣର, ପୃଥ୍ବୀ ସ’, ମିଚେଲ୍ ମାର୍ସ, ରିଲି ‌ରୁସୋ, ଅକ୍ଷର ପଟେଲ୍‌, ଅମନ ଖାନ, ଅଭିଷେକ ପୋରେଲ୍‌ (ୱିକେଟରକ୍ଷକ), କୁଲଦୀପ ଯାଦବ, ଖଲିଲ୍ ଅହମ୍ମଦ, ଅନରିକ୍ ନର୍ଖିୟା, ମୁକେଶ କୁମାର।

ସମ୍ବନ୍ଧିତ ଖବର