ନୂଆଦିଲ୍ଲୀ: ଆମ ଦେଶରେ କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ବିଭାଜିତ ନେତୃତ୍ବ ସଠିକ୍ ଭାବେ କାଯ୍ୟ କରିବନି। ଏହି ଏକଥା ମୁଁ ଆରମ୍ଭରୁ ହିଁ ସମର୍ଥନ କରିଆସୁଥିଲି। ଯେଉଁଥିପାଇଁ ମୁଁ ଅଧିନାୟକ ପଦକ ଛାଡୁଛି ବୋଲି ବିସିସିଆଇକୁ ଅବଗତ କରାଇଥିଲି। ଭାରତୀୟ କ୍ରିକେଟ୍ରେ ଅଧିନାୟକ ପଦକୁ ନେଇ ଏଭଳି ମନ୍ତବ୍ୟ ରଖିଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଶନିବାର ବିରାଟ କୋହଲି ଟେଷ୍ଟ୍ ନେତୃତ୍ବ ଛାଡ଼ିଦେବାର ଦିନକ ପରେ ଧୋନିଙ୍କ ଏଭଳି ମତକୁ ନେଇ ରହିଥିବା ଏକ ଭିଡିଓ ଟ୍ବିଟରରେ ସେୟାର କରାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ସୀମିତ ଓଭର ନେତୃତ୍ବରୁ ହଟିଯାଇଥିବା କୋହଲି ଟେଷ୍ଟ ଅଧିନୟକ ପଦ ଛାଡ଼ିଦେବା ପରେ ପରବର୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି କେହି ନୂଆ ଅଧିନାୟକଙ୍କ ଉପରେ ଆଲୋଚନା କରୁଥିଲା ବେଳେ ଅନ୍ୟ କେହି ପୁରୁଣାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। ଏହି ଚର୍ଚ୍ଚାରେ ଯୋଡ଼ି ହୋଇଯାଇଥିବା ଧୋନଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ପନ୍ତ୍ଙ୍କୁ ଟେଷ୍ଟ୍ ନେତୃତ୍ବ ଦେବା ସପକ୍ଷରେ ଗାଭାସ୍କର
ରୋହିତ ଶର୍ମା ଭାରତୀୟ ଟେଷ୍ଟ୍ ଦଳର ପରବର୍ତୀ ଅଧିନାୟକ ହେବାର ଚର୍ଚ୍ଚା ଚାଲିଥିଲା ବେଳେ କିଂବଦନ୍ତି ସୁନିଲ ଗାଭାସ୍କର କିନ୍ତୁ ରବିବାର ଏକ ଭିନ୍ନ ମନ୍ତବ୍ୟ ରଖିଛନ୍ତି। କୋହଲିଙ୍କ ଉତ୍ତରାଧିକାରୀ ଭାବେ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ନୂଆ ଟେଷ୍ଟ୍ ଅଧିନାୟକ ହୁଅନ୍ତୁ ବୋଲି ଗାଭାସ୍କର ମତ ଦେଇଛନ୍ତି। ଦଳର ଦାୟିତ୍ବ ତୁଲାଇବା ପାଇଁ ଏହି ୱିକେଟ୍ରକ୍ଷକ ପ୍ରଥମ ପସନ୍ଦ ହେବେ ବୋଲି କହିବା ସହ ପନ୍ତ୍ ତିନିଟିଯାକ ଫର୍ମାଟ୍ରେ ଜଣେ ଉନ୍ନତ କ୍ରିକେଟର୍ ବୋଲି ଗାଭାସ୍କର କହିଛନ୍ତି। ସେ ହିଁ ମନୋନୟନକର୍ତାମାନଙ୍କ ସିଧାସଳଖ ପସନ୍ଦ ହୋଇପାରିବେ ବୋଲି ଗାଭାସ୍କର କହିଛନ୍ତି। କିଏ କୋହଲିଙ୍କ ପରବର୍ତୀ ଅଧିନାୟକ ହେବେ ସେନେଇ ବିତର୍କ ଚାଲିଥିଲା ବେଳେ ଯଦି ମୋତେ ପଚରାଯାଏ ତାହାଲେ ମୁଁ ପନ୍ତ୍ଙ୍କ ନାମ ନେବି ବୋଲି ଗାଭାସ୍କର କହିଛନ୍ତି। ପନ୍ତ୍ଙ୍କ ଉପରେ ଦଳର ନେତୃତ୍ବ ଭାର ଲଦିଦେଲେ ସେ ନିଶ୍ଚିତ ଅଧିକରୁ ଅଧିକ ରନ୍ ସଂଗ୍ରହ କରିପାରିବେ। ପୁଣି ଯୁବ ବୟସରେ ନେତୃତ୍ବ ଭାର ଗ୍ରହଣ କରି ମନ୍ସୁର ଅଲ୍ଲୀ ଖାନ୍ ପଟୌଦି କିପରି ସଫଳତାର ସ୍ବାଦ ଚାଖିଥିଲେ ତାହାର ଉଦାହରଣ ମଧ୍ୟ ଗାଭାସ୍କର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/dhoni1.jpg)