ଚର୍ଚାରେ ଧୋନିଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ: ଆଗାମୀ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ରେ ଖେଳାଳିମାନେ ପିନ୍ଧିବାକୁ ଥିବା ଜର୍ସିରେ ପ୍ରଥମ ଥର ପାଇଁ ‘ନମ୍ବର’ ରହିବ। ଏହା ପୂର୍ବରୁ ଭାରତୀୟ ଦଳ ଅଗଷ୍ଟ ୨୨ରୁ ଆଣ୍ଟିଗୁଆଠାରେ ଖେଳିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ନମ୍ବର ଥିବା ଜର୍ସି ପିନ୍ଧିପାରେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ବିସିସିଆଇ ଅଣଆନୁଷ୍ଠାନିକ ଭା‌ବେ ଅବସର ଦେଇ ସାରିଥିଲା ବେଳେ ଏହି ଶୃଙ୍ଖଳାରେ କିମ୍ବଦନ୍ତୀ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ପିନ୍ଧୁଥିବା ୭ ନମ୍ବର ଜର୍ସି ଭାରତୀୟ ଖେଳାଳି ପିନ୍ଧୁଛନ୍ତି କି ନାହିଁ ସେ ନେଇ ଚର୍ଚା ଆରମ୍ଭ ହୋଇ ଗଲାଣି। ଯୁବ ଦ୍ରୁତ ବୋଲର ସାର୍ଦୁଲ ଠାକୁର ଏକ ମ୍ୟାଚ୍ ଅବସରରେ ସଚିନଙ୍କ ୧୦ ନମ୍ବର ଜର୍ସି ପିନ୍ଧିବା ପରେ କ୍ରିକେଟପ୍ରେମୀଙ୍କ ‌ରୋଶର ଶିକାର ହୋଇଥିଲେ। ମାସାଧିକ କାଳ ସଚିନ ପ୍ରଶଂସକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଧିକାର କରିଥିଲେ। ଏଣୁ ଧୋନିଙ୍କ ପ୍ରିୟ ‘ ୭ ନମ୍ବର’କୁ ଭାରତୀୟ ଦଳର ଅଧିକାଂଶ ଖେଳାଳି ପିନ୍ଧିବାକୁ ପଛଘୁଞ୍ଚା ଦେଇପାରନ୍ତି। ସୂଚନା ଅନୁସାରେ ଭାରତୀୟ ଖେଳାଳି ନିଜ ଏକଦିବସୀୟ କ୍ରିକେଟ୍ ଜର୍ସିକୁ ଅପରିବର୍ତିତ ରଖି ପାରନ୍ତି। ଏଣୁ ବିରାଟ ୧୮ ନମ୍ବର ଏବଂ ରୋହିତ ୪୫ ନମ୍ବର ଜର୍ସିରେ ଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିବାର ସମ୍ଭାବନା ଅଧିକ ରହିଛି। ଧୋନି ଟେଷ୍ଟ ଖେଳୁ ନଥିବାରୁ ଅନ୍ୟ ଖେଳାଳିଙ୍କ ପାଖରେ ଏହି ଜର୍ସି ନମ୍ବରକୁ ବାଛିବାର ବିକଳ୍ପ ମଧ୍ୟ ଖୋଲା ରହିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ୭ ନମ୍ବର ଜର୍ସିର ସମ୍ବନ୍ଧ ସିଧା ମହେନ୍ଦ୍ର ସିଂହ ଧୋନିଙ୍କ ସହ ରହିଛି। ତାଙ୍କୁ ସମ୍ମାନ ଜଣାଇ ଭାରତୀୟ ଖେଳାଳି ‘୭ ନମ୍ବର’ ଜର୍ସି ନପିନ୍ଧି ଅନ୍ୟ କୌଣସି ନମ୍ବରକୁ ବାଛି ପାରନ୍ତି।

ସମ୍ବନ୍ଧିତ ଖବର