ନୂଆଦିଲ୍ଲୀ: ଗତବର୍ଷ କ୍ରିକେଟ୍ ବିଶ୍ବକପ୍ ବେଳେ ଇଂଲଣ୍ଡ ନିକଟରୁ ଭାରତ ହାରିଯାଇଥିଲା। ଏହାକୁ ନେଇ ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ତାଙ୍କ ପୁସ୍ତକ ‘ଅନ୍ ଫାୟାର’ରେ ଭାରତୀୟ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ସେହି ମ୍ୟାଚ୍ରେ ଭାରତୀୟ ଦଳର ପ୍ରଦର୍ଶନ ବିତର୍କର ଝଡ଼ ସୃଷ୍ଟି କରିଥିଲା। ଭାରତୀୟ ଦଳ ଆମ ବିପକ୍ଷ ମ୍ୟାଚ୍ରେ ବିଜୟ ହାସଲ କରିବାର ସୁଯୋଗ ପାଇଥିଲେ ମଧ୍ୟ ସାକାର କରିପାରିନଥିଲା। ବିଶେଷକରି ଶ୍ରେଷ୍ଠ ଫିନିସର ଭାବେ ଖ୍ୟାତି ବହନ କରିଥିବା ମହେନ୍ଦ୍ର ସିଂହ ଧୋନି ବଡ଼ ସଟ୍ ଖେଳିବାକୁ ନଯିବାରୁ ତାଙ୍କ ଆଭିମୁଖ୍ୟକୁ ନେଇ ଷ୍ଟୋକ୍ସ ତାଙ୍କ ପୁସ୍ତକରେ ପ୍ରଶ୍ନବାଚୀ ଛାଡ଼ିଥିଲେ। ହେଲେ ୨୦୧୯ ବିଶ୍ବକପ୍ର ଇଂଲଣ୍ଡ ବିପକ୍ଷ ସେହି ମ୍ୟାଚ୍କୁ ଜିତିବାକୁ ଧୋନି ଚାହୁଁଥିଲେ ବୋଲି କହିଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ମାଇକେଲ ହୋଲ୍ଡିଂ। ହୋଲ୍ଡିଂଙ୍କ କହିବା କଥା ହେଲା, ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚ୍ ଜିତାଇବାକୁ ଚାହୁଁନଥିବା କହିବା ଯଥାର୍ଥ ନୁହେଁ। କ୍ରିକେଟ୍ରେ କିଛି ବି ଘଟିପାରେ। ହେଲେ ଏବର ସମୟରେ ଲୋକମାନେ ସେମାନଙ୍କ ପୁସ୍ତକରେ ମନଇଛା ଲେଖିବା ଏକ ବ୍ୟାଧି ପାଲଟିଗଲାଣି।
ଏହାର କାରଣ ହେଲା ଲୋକମାନଙ୍କୁ ନିଜ ନିଜର ମତ ଉପସ୍ଥାପନ କଲାଭଳି ସ୍ବାଧୀନତା ମିଳିଯାଉଛି। ଆଉ ଯେତେବେଳେ ସେମାନେ ପୁସ୍ତକ ଲେଖୁଛନ୍ତି, ସେତେବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଛନ୍ତି ବୋଲି ହୋଲ୍ଡିଂ ତାଙ୍କ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି। ହେଲେ ଭଦ୍ରତାର ସହ କହିବାକୁ ଗଲେ, ଯଥେଷ୍ଟ ସଂଖ୍ୟକ ଲୋକ ସେହି ମ୍ୟାଚ୍କୁ ଦେଖିଛନ୍ତି ଏବଂ ସେମାନେ ଷ୍ଟୋକ୍ସଙ୍କ ଏଭଳି ସିଦ୍ଧାନ୍ତ ସହ ଏକମତ ହୋଇନପାରନ୍ତି ବୋଲି ହୋଲ୍ଡିଂ କହିଛନ୍ତି। ମୁଁ ସେହି ମ୍ୟାଚ୍ ଦେଖିଥିଲି ଏବଂ ଭାରତ ଶତ ପ୍ରତିଶତ ପ୍ରଦର୍ଶନ କରିପାରିନଥିବା ଅନୁଭବ କରିଥିଲି। ହେଲେ ଧୋନି ଯେ ମ୍ୟାଚ୍ ହରାଇଦେଲେ କିମ୍ବା ସେ ଭାରତ ଜିତିବାକୁ ଚାହିଁନଥିଲେ ତାହା ଅଯଥାର୍ଥ। ବିଜୟ ହାସଲ ପାଇଁ ପ୍ରୟାସ ନକରିବା ମଧ୍ୟ ଭାରତର ଦଳଗତ ନିଷ୍ପତ୍ତି ନଥିବ ବୋଲି ମୁଁ ଭାବୁଛି। ତଥାପି ଏହା ଯଦି ଏକ ‘କର ବା ମର’ ମ୍ୟାଚ୍ ହୋଇଥା’ନ୍ତା ତାହାଲେ ଭାରତୀୟ ଖେଳାଳିମାନେ ଭିନ୍ନ ଆଭିମୁଖ୍ୟ ଆପଣେଇଥା’ନ୍ତେ ବୋଲି ହୋଲ୍ଡିଂ କହିଛନ୍ତି। ତାହା ହୋଇଥିଲେ ଆମକୁ ଏକ ଭିନ୍ନ ମ୍ୟାଚ୍ ମଧ୍ୟ ଦେଖିବାକୁ ମିଳିଥା’ନ୍ତା ବୋଲି ହୋଲ୍ଡିଂ କହିଛନ୍ତି।