ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ହେବାଠାରୁ ମିଷ୍ଟର କୁଲ୍ ଭାବେ ପରିଗଣିତ କରାଯାଏ। କୌଣସି ଚାପର ବଶବର୍ତୀ ହେଉ କିମ୍ବା ସଂକଟଜନକ ସ୍ଥିତି ଆସୁ କେବେ ବି ସେ ବିରକ୍ତ କି କ୍ରୋଧିତ ହେବାର ନଜିର ଦେଖାଯାଇନଥାଏ। ଏପରିକି ଧୋନି ନିଜ ଉପରୁ ନିୟଂତ୍ରଣ ହରାଇବାର ଉଦାହରଣ ଘଟଣା ମଧ୍ୟ କ୍ବଚିତ ବୋଲି କୁହାଯାଏ। ତେବେ ଏଭଳି ଏକ ସ୍ଥିତିର ଖୁଲାସା କରିଛନ୍ତି କ୍ରିକେଟ୍ ଦୁନିଆରେ ଧୋନିଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆର୍ପି ସିଂହ। ଧୋନି ଯେ କିପରି ଏକଦା ନିଜ ଉପରୁ ନିୟଂତ୍ରଣ ହରାଇଥିଲେ ଏବଂ ସୁରେଶ ରାଇନାଙ୍କୁ କ୍ଷେତ୍ରରକ୍ଷଣ ବେଳେ ପଛକୁ ହଟିବାକୁ କହିଥିଲେ ସେ ସଂପର୍କରେ ବର୍ଣ୍ଣନା କରିଛନ୍ତି ଆର୍ପି।
''ଆମେ ସେତେବେଳେ ଶ୍ରୀଲଙ୍କାରେ ଥିଲୁ। କ୍ଷେତ୍ରରକ୍ଷଣ କରୁଥିଲା ବେଳେ ରାଇନା ଆଗୁଆ ବଲ୍ ଧରିବା ପାଇଁ ଦୌଡ଼ି ଆସିଥିଲେ ଏବଂ ସେତେବେଳେ ଅତି ପାଖକୁ ନଆସିବା ପାଇଁ ରାଇନାଙ୍କୁ ଧୋନି ସତର୍କବାଣୀ ଶୁଣାଇଥିଲେ। କିଛି ବଲ୍ ବୋଲିଂ ପରେ ରାଇନା ଏକ ବଲ୍କୁ ଧରିପାରିନଥିଲେ। ସେଥିପାଇଁ ତାଙ୍କ ନିର୍ଦେଶ ମୁତାବକ ପଛକୁ ଯିବାକୁ ଦୃଢ଼ତାର ସହ କହିଥିଲେ ଧୋନି। ସେତେବେଳେ ଧୋନି ବିରକ୍ତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ସେ ଚାହୁଁଥିବା ମୁତାବକ କାର୍ଯ୍ୟନକଲେ ଧୋନି କ୍ରୋଧିତ ହେଉଥିଲେ। ଅବଶ୍ୟ ସେ କଦାପି ଖରାପ ଭାଷା ପ୍ରୟୋଗ କରନ୍ତିନି ହେଲେ ତାଙ୍କ ମୁହଁରେ ବିରକ୍ତିର ଭାବ ଫୁଟିଉଠେ'' ବୋଲି କହିଛନ୍ତି ଧୋନିଙ୍କଠୁ ୯ ମାସ ପରେ ଭାରତୀୟ ଦଳରେ ପଦାର୍ପଣ କରିଥିବା ଆର୍ପି। ସେ ଧୋନିଙ୍କ ନେତୃତ୍ବରେ ତାଙ୍କ କ୍ୟାରିୟର ଶେଷ ପର୍ଯ୍ୟନ୍ତ ଖେଳିଥିଲେ। ତେଣୁ ଧୋନିଙ୍କ ପ୍ରତି ତାଙ୍କର ପ୍ରଥମ ଧାରଣାକୁ ମନେ ପକାଇଛନ୍ତି ଆର୍ପି। ଯଦିଓ ଉଭୟେ ଏକ ଘରୋଇ ମ୍ୟାଚ୍ ବେଳେ ଭେଟ ହୋଇଥିଲେ ତଥାପି ସେତେବେଳେ ଧୋନି ନାଁ କମାଇ ସାରିଥିବାରୁ ତାଙ୍କୁ ଦେଖି କିଛିଟା ଭୟ ଲାଗିଥିଲା। ସେହି ଭେଟ ହେବାର ମ୍ୟାଚ୍ ଥିଲା ଦେଓଧର ଟ୍ରଫି।
ପୂର୍ବାଞ୍ଚଳ ପାଇଁ ଚୂଡାନ୍ତ ଏକାଦଶରେ ସାମିଲ ହୋଇନଥିବାରୁ ସେ ଦେଓଧର ଟ୍ରଫିକୁ ଆସିଥିଲେ। ତେଣୁ ଆମେ ବେଙ୍ଗାଲୁରୁରେ ଏକ ଶିବିରରେ ଭେଟ ହୋଇଥିଲୁ। କିନ୍ତୁ ଉତ୍ତର ପ୍ରଦେଶ ଏବଂ ବିହାରରେ ବିଶେଷକରି ସଂଖ୍ୟାଧିକ ଅଣଆନୁଷ୍ଠାନିକ ପ୍ରତିଯୋଗିତା ଖେଳାଯାଉଥିବାରୁ ଧୋନିଙ୍କ ପ୍ରତି କିଛିଟା ଭୟ ରହିଥିଲା। କାରଣ ପ୍ରଥମ ଥର ଆମେ ଗ୍ବାଲିୟରରେ ଭେଟାଭେଟି ହେଲାବେଳକୁ ଧୋନି ଏକ ବଡ଼ ନାମ ପାଲଟି ସାରିଥିଲେ ବୋଲି କହିଛନ୍ତି ଆର୍ପି। ଧୋନି ଜଣେ ଚୁପ୍ଚାପ ରହୁଥିବା ବ୍ୟକ୍ତି ଏବଂ ସୀମିତ ସଂଖ୍ୟକ ଲୋକଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି। ସେ ମଧ୍ୟ ସର୍ବଦା ସଂଗରୋଧ ସମୟକୁ ଭଲ ପାଉଥିଲେ। ସେ ପ୍ରାୟ ସମୟ ଇନ୍ଡୋରରେ ରହୁଥିବାରୁ, ନିଜ ଦୁନିଆରେ ରହୁଥିବାରୁ ଏବଂ ଭିଡିଓ ଗେମ୍ ଆଦି ଖେଳୁଥିବାରୁ ଏହା ମଧ୍ୟ ତାଙ୍କୁ ପ୍ରଭାବିତ କରୁଥିଲା। ସେ ସର୍ବଦା ଜଣେ ଅନ୍ତର୍ନିହିତ ବ୍ୟକ୍ତି ଥିଲେ ଏବଂ କଦାପି ଅଧିକ ବନ୍ଧୁଙ୍କ ଗହଣରେ ରହିବାକୁ ବିଶ୍ବାସ କରୁନଥିଲେ ବୋଲି କହିଛନ୍ତି ଆର୍ପି।