ଧୋନି ଡିଆର୍‌ଏସ୍‌ ସପକ୍ଷରେ ନଥିଲେ; କୋହଲି ବିପରୀତ

ଧୋନିଙ୍କ ନେତୃତ୍ବରେ ଗାଙ୍ଗୁଲି ଓ ଦ୍ରାବିଡ୍‌ଙ୍କ ମିଶ୍ରଣ

ନୂଆଦିଲ୍ଲୀ: ‘ଡିଆର୍‌ଏସ୍‌’ର ମାନେ ଯଦିଓ ଡିସିସନ୍‌ ରିଭ୍ୟୁ ସିଷ୍ଟମ ତେବେ ସାମାଜିକ ଗଣମାଧ୍ୟରେ ଏହା ଧୋନି ରିଭ୍ୟୁ ସିଷ୍ଟମ ନାମରେ ପରିଚିତ। ଏହାର କାରଣ ହେଲା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌ ଜୀବନକାଳରେ ତାଙ୍କ ଡିଆର୍‌ଏସ୍‌ ଡାକିବାରେ ବାସ୍ତବରେ ସଫଳତା ହାର ସବୁଠୁ ଭଲ ପ୍ରତିଶତ ପାଇଛନ୍ତି। ଏପରିକି ୱିକେଟ୍‌ ପଛରେ ଥିବା ଧୋନି ଡିଆର୍‌ଏସ୍‌କୁ ବ୍ୟବହାର କରି ପ୍ରାୟ ୧୦ରୁ ୯ ଥର ସଠିକ୍‌ କଲ୍‌ କରିଥାନ୍ତି ବୋଲି ଜଣାପଡ଼ିଛି। ଯଦି ତୁମର କିଛି ଭୁଲ୍‌ ରହିଥିବା ସେ ଅନୁଭବ କରନ୍ତି, ତାହାଲେ ଡିଆର୍‌ଏସ୍‌ର ପ୍ରୟୋଗ କରିବାକୁ ଆଦୌ ରାଜି ହୁଅନ୍ତିନି। ଏସବୁ ସତ୍ତ୍ବେ ଧୋନି ଯେ ଆରମ୍ଭରୁ ଡିଆର୍‌ଏସ୍‌କୁ ସମର୍ଥନ କରୁନଥିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆଇସିସି ଦ୍ବାରା ପ୍ରଣୟନ ସେହି ଜ୍ଞାନ କୌଶଳ ବିପକ୍ଷରେ ଧୋନି ରହୁଥିବା ଯୋଗୁଁ ଭାରତ ଏହାକୁ ପ୍ରୟୋଗ କରିବାକୁ ଅରାଜି ହେଉଥିଲା ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ଆକାଶ ଚୋପ୍ରା। ଚୋପ୍ରା ନିଜ ୟୁଟ୍ୟୁବ୍‌ ଚାଟ୍‌ ସୋ’ କ୍ରିକ୍‌ କାଷ୍ଟ୍‌ରେ ପାକିସ୍ତାନ ପ୍ରସାରଣ ସଂସ୍ଥା ସାୱେରା ପାସାକୁ ଧୋନି ଯେ ଡିଆର୍‌ଏସ୍‌ର ପ୍ରଶଂସକ ନଥିଲେ ‌ତାହା ଉପରେ କହିଛନ୍ତି।

ଭାରତ ପ୍ରଥମ ଦଳ ଭାବେ ୨୦୦୮ ଶ୍ରୀଲଙ୍କା ବିପକ୍ଷ ଏକ ଶୃଙ୍ଖଳା ଜରିଆରେ ଡିଆର୍‌ଏସ୍‌କୁ ବ୍ୟବହାର କରିଥିଲା। ତେବେ ସେତେବେଳେ ଧୋନି ଦଳର ଅଧିନାୟକ ନଥିଲେ। ଅନିଲ କୁମ୍ବଲେ ହିଁ ଦଳର ନେତୃତ୍ବ ଭାର ପାଇଥିଲେ। ହେ‌ଲେ ସେହି ଶୃଙ୍ଖଳାରେ ଆମେ ଡିଆର୍‌ଏସ୍‌ରେ ଅନେକ ଖରାପ ରିଭ୍ୟୁ କରିଥିଲୁ। ଅବଶ୍ୟ ଏହା ସେତେବେଳେ ସଂପୂର୍ଣ୍ଣ ନୂଆ ଥିଲା ଏବଂ ଆମେ ଅନୁନ୍ନତ ଜ୍ଞାନ କୌଶଳର ବ୍ୟବହାର କରିଥିଲୁ। ଆଉ ଖାସ୍‌ ସେହି କାରଣରୁ ହିଁ ଆମେ ଡିଆର୍‌ଏସ୍‌କୁ ସମର୍ଥନ କରୁନଥିଲୁ। ଡିଆର୍‌ଏସ୍‌କୁ ଭଲ ପାଉନଥିବାରୁ ଆମେ ତାକୁ ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଥିଲୁ ବୋଲି ଚୋପ୍ରା କହିଛନ୍ତି। ଧୋନି ମଧ୍ୟ ଡିଆର୍‌ଏସ୍‌ର ଘୋର ବିରୋଧୀ ଥିଲେ। ସେହି ଜ୍ଞାନ କୌଶଳ ପ୍ରତି ତାଙ୍କର ବିଶ୍ବାସ କମ୍‌ ରହୁଥିଲା। ଏହା ପୂର୍ଣ୍ଣମାତ୍ରାରେ ପ୍ରମାଣିତ ନଥିବା ସେ କହୁଥିଲେ। ଅବଶ୍ୟ ଡିଆର୍‌ଏସ୍‌କୁ ବିଶ୍ବାସକୁ ଆଣିବାକୁ ତାଙ୍କୁ ବହୁ ବର୍ଷ ଲାଗି ଯାଇଥିଲା। ହେଲେ ସେହି ଡିଆର୍‌ଏସ୍‌କୁ ନେଇ ଅମ୍ପାୟାର ନିଷ୍ପତ୍ତି ଏବେ ବି ଏକ ପ୍ରସଙ୍ଗ ହୋଇ ରହିଛି। କିନ୍ତୁ ଏହାକୁ ଏବେ ସବୁ ଦଳ ବ୍ୟବହାର କରିବାକୁ ରାଜି ହୋଇଯାଇଛନ୍ତି ବୋଲି ଚୋପ୍ରା କହିଛନ୍ତି।

ଧୋନି ଡିଆର୍‌ଏସ୍‌ର ସପକ୍ଷରେ ନଥିଲା ବେଳେ ବିରାଟ କୋହଲି କିନ୍ତୁ ଏହାର ପୂରା ବିପରୀତ ଥିଲେ। କୋହଲି ଯେତେବେଳେ ଦଳର ନେତୃତ୍ବ ନେଲେ ସେ ଡିଆର୍‌ଏସ୍‌କୁ ପୂରା ସମର୍ଥନ କରିଥିଲେ। ମୁଁ ଦଳର ନେତୃତ୍ବ ନେବା ପ୍ରଥମ ଦିନରୁ ହିଁ ଡିଆର୍‌ଏସ୍‌ର ପ୍ରଶଂସକ ରହିଛି। ଯଦି ତୁମେ ମୋତେ ଏନେଇ ପଚାର ତାହାଲେ ମୁଁ କହିବି ତୁମେ ଏହି ଜ୍ଞାନ କୌଶଳକୁ ପ୍ରୟୋଗ ନକଲେ ତୁମେ ଉନ୍ନତି କରିପାରିବନି ବୋଲି କୋହଲି କହିଛନ୍ତି। ମୁଁ ଖେଳାଳି ଥିଲା ବେଳେ ଏହାକୁ ବ୍ୟବହାର କରାଯାଉନଥିଲା। କାରଣ ଧୋନି ଏହାର ବିରୋଧୀ ଥିବାରୁ ଭାରତ ବ୍ୟବହାର କରିପାରୁନଥିଲା। ହେଲେ କୋହଲି ନେତୃତ୍ବ ଭାର ସମ୍ବାଳିବାଠାରୁ କିନ୍ତୁ ସ୍ଥିତି ବଦଳିଯାଇଛି। ସେ ଡିଆର୍‌ଏସ୍‌ର ଜଣେ ବଡ଼ ପ୍ରଶଂସକ। ସେ ମଧ୍ୟ ପ୍ରତି ମ୍ୟାଚ୍‌ରେ ଡିଆର୍‌ଏସ୍‌ର ବ୍ୟବହାର ଚାହାନ୍ତି। ଏପରିକି ଆଇପିଏଲ୍‌ କିମ୍ବା ରଣଜୀରେ ମଧ୍ୟ। ତେଣୁ ଏବେ ଡିଆର୍‌ଏସ୍‌କୁ ନେଇ ମନୋଭାବ ବଦଳିଗଲାଣି। ତେଣୁ ଏହାକୁ ଆଗକୁ ବଢ଼ାଇବା ଏବଂ ଆହୁରି ଉନ୍ନତ କରିବାକୁ ସେ କହିଛନ୍ତି।

ଧୋନିଙ୍କ ନେତୃତ୍ବରେ ଗାଙ୍ଗୁଲି ଓ ଦ୍ରାବିଡ୍‌ଙ୍କ ମିଶ୍ରଣ

ନୂଆଦିଲ୍ଲୀ: ଗତ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ଏବେ ବି ପ୍ରତ୍ୟେକ ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ମନରେ ଉଜ୍ଜୀବୀତ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଏକ ସଂପୂର୍ଣ୍ଣ ଯୁବ ଦଳ ସମସ୍ତ ଘାତପ୍ରତିଘାତକୁ ଏଡାଇ ଏହି ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହେବା କିଛି କମ୍‌ ଗୌରବର କଥା ନଥିଲା। ପୁଣି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ ଏବେ ବି ଭାରତୀୟଙ୍କ ମନରୁ ପାସୋରିନାହିଁ। ରୋହିତ ଶର୍ମା, ରବିନ ଉଥପ୍ପା, ୟୁସୁଫ୍‌ ପଠାନ୍‌ ଏବଂ ଯୋଗୀନ୍ଦର ଶର୍ମାଙ୍କ ଭଳି କ୍ରିକେଟର୍‌ ସେହି ବିଶ୍ବକପ୍‌ରୁ ଦେଶ ପାଇଁ ହିରୋ ବନିଯାଇଥିଲେ। କିନ୍ତୁ ଧୋନିଙ୍କ ପାଇଁ ଏହି ବିଶ୍ବକପ୍‌ କ୍ରଇକେଟ୍‌ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଆରମ୍ଭରୁ ବିଶ୍ବକପ୍‌ ଜିତିବାର ଗୌରବ ଯୋଗୁଁ ଧୋନି ହିଁ ଭାରତୀୟ କ୍ରିକେଟ୍‌ର ମୁହଁ ଭାବେ ପରିଗଣିତ ହୋଇଥିଲେ। ଆଉ ଏହାର ଦୁଇ ବର୍ଷ ପରେ ପୁରସ୍କାର ସ୍ବରୂପ ତାଙ୍କୁ ମିଳିଯାଇଥିଲା ଭାରତୀୟ ଦଳର ନେତୃତ୍ବ ଭାର। ପୁଣି ସବୁ ଫର୍ମାଟ (ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦)। ଧୋନି ମଧ୍ୟ ତାଙ୍କ ନେତୃତ୍ବ ମଧ୍ୟରେ ଭାରତକୁ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା କରାଇଥିଲା ବେଳେ ୨୦୧୩ରେ ଚାମ୍ପିଅନ୍‌ସ ଟ୍ରଫି ଜିତାଇଥିଲେ। ଯାହା ଫଳରେ କ୍ରିକେଟ୍‌ ଇତିହାସରେ ୩ଟି ଆଇସିସି ଟ୍ରଫି ଜିତାଇବାରେ ସେ ପ୍ରଥମ ଅଧିନାୟକ ବିବେଚିତ ହୋଇଥିଲେ।

ଧୋନିଙ୍କ ସେହି ନେତୃତ୍ବ ଶୈଳୀରେ ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କ ମିଶ୍ରଣ ଥିବା ମୁଁ ଅନୁଭବ କରିଥିଲି ବୋଲି କରିଛନ୍ତି ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳର ପ୍ରବନ୍ଧକ ଥିବା ଲାଲଚାନ୍ଦ ରାଜପୁତ। ସ୍ପୋର୍ଟସକୀଡ଼ା ସହ ଏକ ଫେସ୍‌ବୁକ୍‌ ଲାଇଭ୍‌ ବାର୍ତାଳାପ ବେଳେ ରାଜପୁତ ଏଭଳି କହିଥିଲେ। ଧୋନି ଯେ ଖୁବ୍‌ ଶାନ୍ତ ସ୍ବଭାବର ଥିଲେ ଏବଂ ସେ ସବୁବେଳେ ଆଗକୁ ଦୁଇପାଦ ଚିନ୍ତା କରୁଥିଲେ। ଜଣେ ଅଧିନାୟକ ଭାବେ ଯାହା ଚିନ୍ତା କରନ୍ତି, ପଡ଼ିଆରେ ହିଁ ଧୋନି ନିଷ୍ପତ୍ତି ନେଇଯାଆନ୍ତି। ଯଦି ତୁମେ ତାଙ୍କୁ କୌଣସି ସୁଯୋଗ ଦିଅ, ତାହାଲେ ସେ ତାଙ୍କୁ ଆହ୍ବାନ ଭାବେ ନିଅନ୍ତି। ସେଥିରେ ଆମର ବିଶେଷ କିଛି ଚିନ୍ତା କରିବାର ନଥାଏ ବୋଲି କହିଛନ୍ତି ରାଜପୁତ। ଧୋନି ଜଣେ ଭାବୁକ ଅଧିନାୟକ। ସେ ଥିଲେ ଗାଙ୍ଗୁଲି ଓ ଦ୍ରାବିଡ୍‌ଙ୍କ ମିଶ୍ରଣ। ଧୋନି ଖୁବ୍‌ ଶାନ୍ତ ଥିଲା ବେଳେ ଗାଙ୍ଗୁଲି ଥିଲେ ଅତ୍ୟଧିକ ଆକ୍ରମଣାତ୍ମକ। ତେବେ ଗାଙ୍ଗୁଲି ମଧ୍ୟ ସକାରାତ୍ମକ ଭାବନା ରଖୁଥିଲେ। ଗାଙ୍ଗୁଲି ମଧ୍ୟ ଜଣେ ଖେଳାଳିଙ୍କୁ ପୂର୍ଣ୍ଣ ବିଶ୍ବାସର ସହ ବ୍ୟବହାର କରୁଥିଲେ। ଗାଙ୍ଗୁଲି ଏଭଳି ଜଣେ ଅଧିନାୟକ ଥିଲେ ଯିଏକି ଭାରତୀୟ ଦଳର ମାନସିକତା ବଦଳାଇ ଦେଇଥିଲେ। ତେଣୁ ମୁଁ ବାବୁଛି ଏହା ହିଁ ଧୋନିଙ୍କ କ୍ଷେତ୍ରରେ ଆଗକୁ ବଢ଼ିଥିଲା ବୋଲି ରାଜପୁତ କହିଛନ୍ତି। ଅନ୍ୟପକ୍ଷରେ ଧୋନି କଦାପି ସାଥୀ ଖେଳାଳିଙ୍କୁ ଉଚ୍ଚସ୍ବରରେ କିଛି କହିନଥାନ୍ତି। ସେ ମଧ୍ୟ ପଡ଼ିଆ ଭିତରେ ଅସ୍ରାବ୍ୟ ଭାଷା ବ୍ୟବହାର କରନ୍ତିନି। ସେ ଖୁବ୍‌ ଶାନ୍ତ ରହୁଥିଲେ, ଯେଉଁଥିପାଇଁ ଖେଳାଳିମାନେ ଖୁସୀ ରହିବା ସାଙ୍ଗକୁ ନିଜ ନିଜର ଶ୍ରେଷ୍ଠ ଦେଉଥିଲେ ବୋଲି ରାଜପୁତ କହିଛନ୍ତି।

ସମ୍ବନ୍ଧିତ ଖବର